ଆଇପିଏଲ୍‌: କାର୍ତ୍ତିକ କମାଲରେ ଜିତିଲା ଆର୍‌ସିବି

ମୁମ୍ବାଇ: ବ୍ୟାଟିଂରେ ଡିକେ (ଦୀନେଶ କାର୍ତ୍ତିକ) ଏବଂ କ୍ଷେତ୍ରରକ୍ଷଣରେ ଭିକେ (ବିରାଟ କୋହଲି)ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶନିବାରର ଦ୍ବିତୀୟ ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ତା ସହ ଆର୍‌ସିବି ୬ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ୮ ପଏଣ୍ଟ୍‌ ପାଇ ତାଲିକାର ତୃ୍ତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା। ଆର୍‌ସିବି ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୩ ରନ୍ କରିପାରିଥିଲା। ଡେଭିଡ୍ ୱାର୍ଣ୍ଣର (୬୬)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଗୋଟିଏ ଓଭରରେ ଦୁଇଜଣ ମଧ୍ୟକ୍ରମ ବ୍ୟାଟର୍‌ଙ୍କୁ ହରାଇ ଦିଲ୍ଲୀ ସଙ୍କଟରେ ପଡ଼ିଥିଲା। ସେହିଭଳି ହାତଖୋଲା ସଟ୍ ଖେଳିବା ଆରମ୍ଭ କରିଥିବା ଅଧିନାୟକ ଋଷଭ ପନ୍ତ (୩୪)ଙ୍କୁ ଏକ ଚମତ୍କାର କ୍ୟାଚ୍‌ରେ କୋହଲି ପ୍ୟାଭିଲିୟନ ଫେରାଇବା ପରେ ମାଚ୍ ସଂପୂର୍ଣ୍ଣ ଭାବେ ଆର୍‌ସିବି ଆଡ଼କୁ ଢଳି ଯାଇଥିଲା। କାର୍ତ୍ତିକ ତାଙ୍କ ଧମାକାଦାର ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍‌ସିବି ପୁଣି ଥରେ ଘୋର ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା। ଓପନର ଏବଂ ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୮) ଏବଂ ଅନ୍ୟତମ ଓପନର ଅନୁଜ ରାୱତ (୦) ମାତ୍ର ୧୩ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି (୧୨)ଙ୍କ ରନ୍ ଆଉଟ୍ ଦଳ ପାଇଁ ଆଉ ଏକ ମସ୍ତବଡ଼ ଧକ୍କା ଥିଲା। ଏସବୁ ସତ୍ତ୍ବେ ଆର୍‌ସିବି ଚମତ୍କାର ଢଙ୍ଗରେ ପାଳି ଶେଷ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ (୫୫) ଦ୍ରୁତ ଓ ଉପଯୋଗୀ ଅର୍ଦ୍ଧଶତକ ହାସଲକରି ଦଳର ସ୍ଥିତି କିଛିଟା ସୁଧାରି ଥିଲେ। ତେବେ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ (୬୬*) ଏବଂ ଶାହାବାଜ ଅହମ୍ମଦ (୩୨*)ଙ୍କ ଧମାକାଦାର ବ୍ୟାଟିଂ ବଳରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୧୮୯ ରନ୍ କରି ନେଇଥିଲା। ଏପରିକି ୧୨ ଓଭରରେ ୫ ୱିକେଟ୍ ବିନିମୟରେ ମାତ୍ର ୯୨ ରନ୍ କରିଥିବା ଆର୍‌ସିବି ଏହି ଦୁଇ ଜଣଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଶେଷ ୮ ଓଭରରୁ ୯୭ ରନ୍ ଯୋଡ଼ି ନେଇଥିଲା। କାର୍ତ୍ତିକ ମାତ୍ର ୨୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ଅହମ୍ମଦ ତାଙ୍କ ତୋଫାନି ପାଳିରେ ଦେଢ଼ ଶହରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର