ପ୍ରଶଂସକଙ୍କୁ ଲାଗିଲା ଝଟକା, ଚେନ୍ନାଇରେ ହେବ ନାହିଁ ଆଇପିଏଲ୍-୧୧ର ବାକି ମ୍ୟାଚ୍
ଆଇପିଏଲ୍କୁ ସୁରକ୍ଷା ଦେବା ପାଇଁ ମନା କଲା ଚେନ୍ନାଇ ପୁଲିସ
ଚେନ୍ନାଇ: କାବେରୀ ଜଳ ବିବାଦ ନେଇ ତାମିଲନାଡୁ ଉତ୍ତେଜନାପୂର୍ଣ୍ଣ ଥିବାରୁ ଚେନ୍ନାଇରୁ ଆଇପିଏଲ୍ର ବାକି ସମସ୍ତ ମ୍ୟାଚ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କାବେରୀ ପରିଚାଳନା ବୋର୍ଡ ଗଠନକୁ ନେଇ ତାମିଲନାଡୁରେ ରାଜନୈତିକ ଦଳର ବିରୋଧ ପ୍ରଦର୍ଶନ ଜାରି ରହିଛି, ଯେଉଁଥି ପାଇଁ ଚେନ୍ନାଇ ପୁଲିସ ଆଇପିଏଲ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନା କରି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଆଇପିଏଲ୍ ୧୧ତମ ସଂସ୍କରଣ ୫ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ କିଛି ଯୁବ ପ୍ରଦର୍ଶନକାରୀ ପଡ଼ିଆ ଭିତରକୁ ମଙ୍ଗଳବାର ରାତିରେ ଜୋତା ଫିଙ୍ଗିଥିଲେ। କିନ୍ତୁ ଏଥିରେ କୌଣସି ଖେଳାଳି ଆହତ ହୋଇ ନ ଥିଲେ।
IPL matches scheduled to be held in Chennai, to be shifted to another venue: Sources #CauveryProtests pic.twitter.com/RkNBPxk6hn
— ANI (@ANI) April 11, 2018
କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ କରୁଥିବା ବେଳେ ୮ମ ଓଭରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କ୍ରିକ୍ ଇନଫୋ ରିପୋର୍ଟ ଅନୁସାରେ ସୀମାରେଖା ନିକଟରେ ଅବସ୍ଥାପିତ ଚେନ୍ନାଇ ସୁପର କିଙ୍ଗସ୍ର ଫିଲ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଲକ୍ଷ୍ୟ କରି ପଟ୍ଟାବିରାମନ ଗେଟ ନିକଟରୁ ଯୁବ ପ୍ରଦର୍ଶନକାରୀମାନେ ଜୋତା ଫିଙ୍ଗିଥିଲେ। ଏହି ଘଟଣା ପରେ ପୁଲିସ କର୍ମଚାରୀ ଓ ଚେନ୍ନାଇ ସୁପର କିଙ୍ଗସ୍ର ଅଧିକାରୀ ଷ୍ଟାଡିୟମ ନିକଟରେ ପହଞ୍ଚି ସୀମାରେଖା ନିକଟରୁ ଲୋକଙ୍କୁ ବାହାର କରିଥିଲେ।
ଆଇପିଏଲ୍ କମିସନର ରାଜୀବ ଶୁକ୍ଲା ସୁରକ୍ଷା ବଢ଼ାଇବାକୁ ନେଇ କେନ୍ଦ୍ରୀୟ ଗୃହ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଚେନ୍ନାଇରେ ଆଇପିଏଲ୍ର ସୁରକ୍ଷା ପାଇଁ ସିଆରପିଏଫ କର୍ମୀ ପଠାଇବାକୁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଏହା ସ୍ପଷ୍ଟ ହୋଇ ନଥିବାରୁ ଚେନ୍ନାଇର ବାକି ସମସ୍ତ ଆଇପିଏଲ୍ ୧୧ ମ୍ୟାଚ୍ ଅନ୍ୟ ସ୍ଥାନରେ ହେବ।