ରାହୁଲ ଓ ଗେଲ୍‌ଙ୍କ ଅର୍ଦ୍ଧଶତକ, ୮ ୱିକେଟରେ ବିଜୟୀ ହେଲା କିଙ୍ଗସ୍ ଇଲେଭେନ ପଂଜାବ

ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି  କିଙ୍ଗସ ଇଲେଭେନ ପଂଜାବ । ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଂଜାବ ୧୭୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ୱିକେଟ ହରାଇ ୧୭୭ ରନ୍‌ କରି ବିଜୟ ହାସଲ କରିଛି । ପଂଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୨୫ ବଲରେ ୪୫ ରନ୍‌ ଓ ଅଧିନାୟକ କେ.ଏଲ୍ ରାହୁଲ ୪୯ ବଲରେ ୬୧ ରନ୍‌ କରିଥି‌ଲେ । ସେହିପରି ଚଳିତ ସିଜିନ୍‌ରେ ପ୍ରଥମ ମ୍ୟାଚ ଖେଳୁଥିବା କ୍ରିସ୍ ଗେଲ୍ ୪୫ ବଲରେ ୫୩ ରନ୍‌ କରିଥିବା ବେଳେ ଶେଷ ବଲରେ ନିକୋଲାସ୍ ପୁରାନ୍ ଛକା ମାରି ପଂଜାବକୁ ବିଜୟ ଦେଇଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା । ୟୁଜବେନ୍ଦ୍ର ଚହଲ ମାତ୍ର ଗୋଟିଏ  ୱିକେଟ ନେଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ବୋଲର କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଫଳରେ ପଂଜାବ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଏହି ବିଜୟ ସହ ୪ ଅଙ୍କ ସଂଗ୍ରହ କରି ୮ମ ସ୍ଥାନରେ ରହିଛି କିଙ୍ଗସ ଇଲେଭେନ ପଂଜାବ।

ପୂର୍ବରୁ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ଦୁଇ ଓପନର ଆରୋନ ଫିଞ୍ଚ ଓ ଦେବଦତ୍ତ ପଡିକଲ୍ଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଉଭୟ ବଡ଼ ସ୍କୋର କରିପାରି ନଥିଲେ । ଫିଞ୍ଚ ୨୦ ରନ ଓ ପଡିକଲ୍ଲ ୧୮ ରନ କରି ଆଉଟ ହୋଇଥିଲେ । ତେବେ ବିରାଟ କୋହଲି ସତର୍କତାର ସହ ଖେଳି ୩୯ ବଲରେ ୪୮ ରନ କରିଥିଲେ । ମାତ୍ର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଶିଭମ ଦୁବେ ଓ କ୍ରିସ ମୋରିସ ଯଥାକ୍ରମେ ୨୩ ଓ ୨୫ ରନର ଯୋଗଦାନ ଦେଇଥିଲେ । ଏହାଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୧ ରନ କରିଥିଲା ।

ସମ୍ବନ୍ଧିତ ଖବର