କୋହଲିଙ୍କ ଆଉ ଏକ ବିଶ୍ୱ କୀର୍ତ୍ତିମାନ: ଅଧିନାୟକ ଭାବେ ଦ୍ରୁତତମ ୧୦୦୦ ଟ୍ବେଣ୍ଟି-୨୦ ରନ୍‌

ଇନ୍ଦୋର : ପୁରୁଣା ବର୍ଷ ବିଦାୟ ନେଲା। ନୂଆ ବର୍ଷ ଆସିଲା। ହେଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚମକରେ କିଛି ବି ପରିବର୍ତନ ହୋଇନାହିଁ। ଇନ୍ଦୋରରେ ମଙ୍ଗଳବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ନୂଆବର୍ଷର ପ୍ରଥମ ମୁକାବିଲା ଥିଲାବେଳେ କୋହଲି ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ନୂଆବର୍ଷ ଆରମ୍ଭରୁ ସେ ଦଳକୁ ବିଜୟ ଭେଟି ଦେଇଥିଲା ବେଳେ ସେହି ମ୍ୟାଚ୍‌ରେ ମଧ୍ୟ ଆଉ ଏକ କିର୍ତ୍ତିମାନ ପ୍ରତିଷ୍ଠା କଲେ। ମଙ୍ଗଳବାର ମ୍ୟାଚ୍‌ରେ ଅପରାଜିତ ୩୦ ରନ୍‌ର ପାଳି ଅବସରରେ କୋହଲି ନିଜ ଦେଶର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ପଛରେ ପକାଇ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବୋଚ୍ଚ ସ୍କୋରର୍‌ ହେବା ସାଙ୍ଗକୁ ଜଣେ ଅଧିନାୟକ ଭାବେ ଏହି ଛୋଟିଆ ଫର୍ମାଟ୍‌ରେ ଦ୍ରୁତତମ ୧୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ରୋହିତ ଓ କୋହଲି ସମାନ ୨୬୩୩ ରନ୍‌ ଲେଖାଏଁ କରି ଯୁଗ୍ମ ଶୀର୍ଷରେ ରହିଥିଲେ। ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିବାରୁ କୋହଲି ଖାତା ଖୋଲିବା ମାତ୍ରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବୋଚ୍ଚ ସ୍କୋରର୍‌ ହେବାର କୀର୍ତ୍ତିମାନ ରଚିବାର ସୁଯୋଗ ରଖିଥିଲେ। ‌ତେବେ ସେ ଅପରାଜିତ ୩୦ ରନ୍‌ କରିବାରୁ ୭୧ ପାଳିରେ ତାଙ୍କ ସ୍କୋର୍‌ ଏବେ ୨୬୬୩ରେ ପହଞ୍ଚିଯାଇଛି। ଆସନ୍ତା ଶୁକ୍ରବାର ଶ୍ରୀଲଙ୍କା‌ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ପୁନେରେ ଖେଳାଯିବାକୁ ଥିଲା ବେଳେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ କୋହଲି ତାଙ୍କ ରନ୍‌ ସଂଖ୍ୟା ଆଗକୁ ବଢ଼ାଇନେବାର ସୁଯୋଗ ରଖିଛନ୍ତି।

ଅନ୍ୟପକ୍ଷରେ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ କୋହଲି ୧୦୦୬ ରନ୍‌ ସଂଗ୍ରହ କରିସାରିଲେଣି। ଯାହାକି ଦ୍ରୁତତମ ବିଶ୍ବ କୀର୍ତ୍ତିମାନ। ସେ ୩୦ ପାଳିରୁ ୧୦୦୦ ରନ୍‌ ପୂରଣ କରିନେଇଥିଲା ବେଳେ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ ପ୍ଲେସିସ୍‌ (୩୧ ପାଳି)ଙ୍କ ନାମରେ ଥିବା ଏହି କୀର୍ତ୍ତିମାନକୁ ପଛକୁ ଠେଲି ଦେଇଛନ୍ତି।

ସମ୍ବନ୍ଧିତ ଖବର