କୋହଲିଙ୍କ ଟେ‌ଷ୍ଟ୍‌ ଦଳ ଭାରତର ସର୍ବଶ୍ରେଷ୍ଠ: ଗାଭାସ୍କର

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବାଧୀନ ଏବର ଟେଷ୍ଟ ଦଳ ଭାରତର ସର୍ବଶ୍ରେଷ୍ଠ। ଘାତକ ବୋଲିଂ ଆକ୍ରମଣ ଏହି ଦଳକୁ ପୂର୍ବର ସବୁ ଦଳ ତୁଳନାରେ ଅଧିକ ସନ୍ତୁଳିତ କରିଛି ବୋଲି ବର୍ଣ୍ଣନା କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ସୁନିଲ ଗାଭାସ୍କର। କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା ଏବଂ ଦଳ ଏବେ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ତାଲିକାର ଶୀର୍ଷରେ ବି ରହିଛି। ୨୦୧୮-୧୯ ଗସ୍ତରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଶୃଙ୍ଖଳା ବିଜୟ ହିଁ ଦଳ ସଫଳତାର ଉଲ୍ଲେଖନୀୟ ଦିଗ ବୋଲି ଗାଭାସ୍କର କହିଛନ୍ତି। ”ତେଣୁ ମୋର ବିଶ୍ବାସ ଯେ କୋହଲିଙ୍କ ଏବର ଦଳ ସନ୍ତୁଳନ, ସାମର୍ଥ୍ୟ, ଦକ୍ଷତା ଏବଂ ଦୃଷ୍ଟିଭଙ୍ଗୀ ଦୃଷ୍ଟିକୋଣରୁ ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ୍‌ ଦଳ। ଏହାଠୁ ଆଉ ଉନ୍ନତ ଦଳ ଭାବିପାରିବାନି” ବୋଲି ଇଣ୍ଡିଆ ଟୁଡେର ଇ-କନ୍‌କ୍ଲେଭ୍‌ ଇନ୍‌ସ୍ପିରେସନ୍‌ ସିରିଜ୍‌ ଅବସରରେ କହିଛନ୍ତି ଗାଭାସ୍କର।

ଗାଭାସ୍କରଙ୍କ କହିବା କଥା ହେଲା ଏବର କୋହଲିଙ୍କ ଦଳରେ ବିବିଧ ବୋଲିଂ ଆକ୍ରମଣ ଭରି ରହିଛି। ଯାହାକି ‌ଯେକୌଣସି ପିଚ୍‌ ଓ ପରିବେଶରେ ବି ଭାରତକୁ ମ୍ୟାଚ୍‌ ଜିତାଇବାର ସାମର୍ଥ୍ୟ ରଖିଛି। ଆଉ ବ୍ୟାଟିଂକୁ ଦେଖିଲେ ୧୯୮୦ ଦଶକର ଦଳ ଯେଭଳି ଥିଲା କୋହଲିଙ୍କ ଦଳ ପୂରା ସେହିଭଳି। ହେଲେ କୋହଲିଙ୍କ ପାଖରେ ଯେଉଁଭଳି ବୋଲର ରହିଛନ୍ତି ତାହା ସେତେବେଳେ ନଥିଲେ ବୋଲି କହିଛନ୍ତି ଗାଭାସ୍କର। ନିଶ୍ଚିତପକ୍ଷେ ବିନା ଦ୍ବନ୍ଦ୍ବରେ କୁହାଯାଇପାରେ ଯେ ଭାରତ ପାଖେ ଏବେ ଯେଭଳି ବିବିଧ ବୋଲିଂ ଆକ୍ରମଣ ମହଜୁଦ୍‌ ରହିଛି ତାହାହିଁ ଆବଶ୍ୟକତା। କାରଣ ତୁମେ ଯଦି ୨୦ ୱିକେଟ୍‌ ଦଖଲ କରିନପାର ତାହାଲେ ମ୍ୟାଚ୍‌ ଜିତିପାରିବନି। ସେହିଦୃଷ୍ଟିରୁ ଯସ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଭୁବନେଶ୍ବର କୁମାରଙ୍କ ଭଳି ବିଶ୍ବସ୍ତରୀୟ ଦ୍ରୁତ ବୋଲର ହିଁ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ଶିଖରରେ ପହଞ୍ଚାଇପାରିଛନ୍ତି। ତେଣୁ ଏବେ ଆମ ପାଖରେ ଯେଉଁ ବୋଲରମାନେ ଅଛନ୍ତି ସେମାନେ ଭାରତ ସ୍କୋର୍‌ଠୁ ଅତିକମ୍‌ରେ ୧ ରନ୍‌ ପୂର୍ବରୁ ଅଷ୍ଟ୍ରେଲିଆର ୨୦ ୱିକେଟ୍‌ ଦଖଲ କରିନେବାର ସାମର୍ଥ୍ୟ ରଖିଛନ୍ତି ବୋଲି କହିଛନ୍ତି ୧୯୭୧ରୁ ୧୯୮୭ ମଧ୍ୟରେ ୧୨୫ ଟେଷ୍ଟ୍‌ ଖେଳି ୧୦,୧୨୨ ରନ୍‌ ନିଜ ନାମରେ ରଖିଥିବା ୭୧ ବର୍ଷ ବୟସ୍କ ଗାଭାସ୍କର।

ସମ୍ବନ୍ଧିତ ଖବର