ବିଶାଖାପାଟଣା ଦିନିକିଆରେ କୁଲଦୀପଙ୍କ ହ୍ୟାଟ୍ରିକ୍ କମାଲ

ରୋହିତ, ରାହୁଲଙ୍କ ଶତକ, ଭାରତର ବିପୁଳ ବିଜୟ

ବିଶାଖାପାଟଣା : ବିଶାଖାପାଟଣା ଦିନିକିଆକୁ ଭାରତ ୧୦୭ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ଏହି କାରଣରୁ ମଧ୍ୟ ବାରବାଟୀରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆର ମହତ୍ବ,‌ ରୋମାଞ୍ଚ ଓ ଉତ୍କଣ୍ଠା ବଢ଼ିଛି। ବୁଧବାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହ ସ୍ପିନର କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ କମାଲ ପାଇଁ ୱେଷ୍ଟଇଣ୍ଡିଜ୍‌କୁ ଭାରତ ସହଜରେ ପରାସ୍ତ କରିଛି। କୁଲଦୀପ ଆଜି ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ଦ୍ବିତୀୟ ହ୍ୟାଟ୍ରିକ୍ ଅଜର୍ନ କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଳିର ୩୩ତମ ଓଭରର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲ୍‌ରେ ସାଇ ହୋପ୍, ଜାସନ ହୋଲ୍ଡର ଏବଂ ଆଲଜେରି ଯୋଶେଫଙ୍କୁ ଆଉଟ୍ କରି ସେ ଏହି ସଫଳତା ପାଇଥିଲେ। ଏହା ପୂର୍ବରୁ କୁଲଦୀପ ୨୦୧୭ ମସିହାରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଖେଳ ଜୀବନର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେତେବେଳେ ସେ ଲଗାତାର ତିନିଟି ବଲ୍‌ରେ ଅଷ୍ଟ୍ରେଲିଆର ମାଥ୍ୟୁ ୱାଦେ, ଆଷ୍ଟନ୍ ଆଗର ଓ ପ୍ୟାଟ୍ କମିନ୍ସଙ୍କୁ ଆଉଟ୍ କରିଥିଲେ। ଭାରତ ପକ୍ଷରୁ ଦିନିକିଆରେ ପ୍ରଥମ ହ୍ୟାଟ୍ରିକ୍ କିନ୍ତୁ ଚେତନ ଶର୍ମା ନେଇଥିଲେ। ତାଙ୍କ ପରେ କିପଳ ଦେବ (ବନାମ ଶ୍ରୀଲଙ୍କା), ହରଭଜନ ସିଂହ (ବନାମ ଅଷ୍ଟ୍ରେଲିଆ) ଓ ଇର୍ଫାନ ପଠାନ ମଧ୍ୟ ଏହି କ୍ଲବ୍‌ରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର