ମୁମ୍ବାଇ, ରାଜସ୍ଥାନ ପାଇଁ ଶେଷ ସୁଯୋଗ

ରୋଚକ ସ୍ଥିତି‌ରେ ପ୍ଲେ ଅଫ୍: ଗୋଟିଏ ସ୍ଥାନ, ୪ ଦାବିଦାର

ଦୁବାଇ: ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଚଳିତ ଆଇପିଏଲ୍‌ର ୟୁଏଇ ପର୍ଯ୍ୟାୟରେ ଆପାତତଃ ଅନୁପସ୍ଥିତ ରହୁଥିଲେ। ହେଲେ ଗତ ଶନିବାର ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ରେ ତାଙ୍କୁ ଦର୍ଶକ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା। ଚେନ୍ନାଇ ଖେଳାଳିମାନଙ୍କୁ ସେ ନିୟମିତ ଉତ୍ସାହିତ କରୁଥିଲେ। ସାକ୍ଷୀ ଉତ୍ସାହିତ କରିବା କିନ୍ତୁ ଚେନ୍ନାଇ ପାଇଁ ବିଶେଷ ଫଳପ୍ରଦ ହୋଇନଥିଲା। କାରଣ ୧୮୯ ରନ୍ କରିବା ସତ୍ତ୍ବେ ଚେନ୍ନାଇ ଏହି ମ୍ୟାଚ୍‌ରେ ରାଜସ୍ଥାନଠାରୁ ହାରି ଯାଇଥିଲା। ଅବଶ୍ୟ ସାକ୍ଷୀଙ୍କୁ ଦେଖି ଧୋନିଙ୍କ ପ୍ରଶଂସକ ବେଶ୍ ଉତ୍ସାହିତ ହୋଇଥିଲେ। ସେମାନେ କିନ୍ତୁ ମନେ ମନେ ଜିଭା ଧୋନି (ମାହି ଓ ସାକ୍ଷୀଙ୍କ କନ୍ୟା ସନ୍ତାନ)ଙ୍କୁ ଖୋଜିଥିଲେ। କାରଣ ଅତୀତରେ ଜିଭା ହିଁ ଆଇପିଏଲ୍ ବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିଲେ। ନିଜ କୌତୁକିଆ ହାବଭାବରେ ସମସ୍ତଙ୍କ ମନ ଜିତି ନେଉଥିଲେ ସେ।

ମୁମ୍ବାଇକୁ ତା ବ୍ୟାଟିଂ ବାହିନୀ ହିଁ ଏଥର ନିରାଶ କରି ଚାଲିଛି। ସୂର୍ଯ୍ୟକୁମାର ଯାଦବ ନିଜ ପୁରୁଣା ଯାଦୁ ଦେଖାଇ ପାରୁ ନାହାନ୍ତି। କ୍ବିଣ୍ଟନ୍ ଡି’କକ୍ ଓ ନିଜେ ରୋହିତ ମଧ୍ୟ ବଡ଼ ପାଳି ଖେଳିପାରୁ ନାହାନ୍ତି। ସେପଟେ ରାଜସ୍ଥାନ ପାଇଁ ତାର ଅନଭିଜ୍ଞ ବୋଲିଂ ବାହିନୀ ହିଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ହିଁ ଏହି ଦଳର ସବୁଠାରୁ ଅଭିଜ୍ଞ ବୋଲର। ଚେତନ ସାକାରିଆ, ରାହୁଲ ତିୱାତିଆ ପ୍ରମୁଖ ଆଶାଜନକ ସଫଳତା ପାଇ ନାହାନ୍ତି। ମୁମ୍ବାଇ ବୋଲିଂ ବାହିନୀ କିନ୍ତୁ ବେଶ୍ ଶକ୍ତିଶାଳୀ। ଯଶପ୍ରିତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହରଙ୍କ ଭଳି ବୋଲର ଭଲ ଫର୍ମରେ ଅଛନ୍ତି। ତେବେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଯୁବ ତାରକା ଶିବମ୍ ଦୁବେ ଓ ଯଶସ୍ବୀ ଜୟସ୍ବାଲଙ୍କୁ ରୋକିବା ଲାଗି ସେମାନଙ୍କୁ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ଅଧିନାୟକ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ମଧ୍ୟ ରାଜସ୍ଥାନ ପାଇଁ ଢେର ମହତ୍ବ ରଖିବ। ସେହିଭଳି ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍ ଡି’କକ୍‌ କିଭଳି ଆରମ୍ଭ ହେଉଛନ୍ତି, ତା ଉପରେ ମୁମ୍ବାଇର ସଫଳତା ଅନେକାଂଶରେ ନିର୍ଭର କରିବ। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ୨୪ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୨ ମ୍ୟାଚ୍ ଜିତିଥିଲା ବେଳେ ରାଜସ୍ଥାନ ୧୧ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ର କୌଣସି ଫଳାଫଳ ମିଳିନି।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (ଅଧିନାୟକ), ଏଭିନ୍ ଲୁଇସ୍, ଯଶସ୍ବୀ ଜୟସ୍ବାଲ, ଲିଆମ ଲିଭିଂ‌ଷ୍ଟୋନ୍, ମହିପାଳ ଲୋମରର୍‌, ରାହୁଲ ତିୱାତିଆ, ରିୟାନ୍ ପରାଗ, କ୍ରିସ୍ ମୋରିସ୍, ଚେତନ ସାକାରିଆ, କାର୍ତ୍ତିକ ତ୍ୟାଗି, ମୁସ୍ତାଫିଜୁର ରହମାନ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନାଥନ କୁଲଟର ନାଇଲ୍, ଜୟନ୍ତ ଯାଦବ, ଯଶପ୍ରୀତ ବୁମ୍‌ରା।

ଆଇପିଏଲ୍‌ ପଏଣ୍ଟ୍‌ ତାଲିକା ଏବେ ରୋଚକ ସ୍ଥିତିରେ ରହିଛି। ତା ସହ ପ୍ଲେ ଅଫ୍ ଲଢ଼େଇ ମଧ୍ୟ ବେଶ୍ ମଜାଦାର ହେବାରେ ଲାଗିଛି। ତାଲିକାର ଶୀର୍ଷ ୩ ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏହି ପର୍ଯ୍ୟୟରେ ସ୍ଥାନ ପକ୍କା କରି ନେଇଛନ୍ତି। ସେଥିପାଇଁ ଚତୁର୍ଥ ଦଳ ଭାବେ କିଏ ପ୍ଲେ ଅଫ୍‌କୁ ଯିବ, ତାହା ଏବେ ଲକ୍ଷେ ଟଙ୍କିଆ ପ୍ରଶ୍ନ ହୋଇଛି। ଏହି ଗୋଟିଏ ସ୍ଥାନ ପାଇଁ କିନ୍ତୁ ୪ ଦାବିଦାର ରହିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବାଦ ପ୍ଲେ ଅଫ୍‌ର ଶେଷ ସ୍ଥାନଟିକୁ ହାସଲ କରିବା ଦୌଡ଼ରେ ରହିଛନ୍ତି କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏହି ଚାରି ଦଳର ସ୍ଥିତି ଓ ସମ୍ଭାବନା ଏମିତି ରହିଛି।

କେକେଆର୍‌: ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍‌କୁ ଯିବାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ସଂପ୍ରତି ସବୁଠାରୁ ଦୃଢ଼ ସ୍ଥିତିରେ ରହିଛି। ପ୍ଲେ ଅଫ୍‌ର ଚତୁର୍ଥ ସ୍ଥାନ ଦୌଡ଼ରେ ଥିବା ଦଳ ମଧ୍ୟରେ କେକେଆର୍‌ର ନେଟ୍ ରନ୍ ରେଟ୍ ବି ସବୁଠାରୁ ଭଲ ରହିଛି। ଏହି ଦଳ ପ୍ଲେ ଅଫ୍ ଖେଳିବାର ୬୨.୫ ପ୍ରତିଶତ ସମ୍ଭାବନା ରହିଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚ୍‌ରେ ବିଜୟୀ ହେଲେ କେକେଆର୍‌ ପ୍ଲେ ଅଫ୍‌ ଖେଳିବ। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ତାର ବଳକା ଦୁଇ ମ୍ୟାଚ୍ ଜିତିଲେ କେକେଆର୍‌ ଅଡ଼ୁଆରେ ପଡ଼ିବ। ସେହି ସ୍ଥିତିରେ ଉଭୟ ଦଳ ୧୪ ପଏଣ୍ଟ ଲେଖାଏଁ ପାଇବେ ଏବଂ ଯାହାର ନେଟ୍ ରନ୍ ରେଟ୍‌ ଭଲ ଥିବ ସେ ପ୍ଲେ ଅଫ୍‌କୁ ଯିବ।

ପଞ୍ଜାବ କିଙ୍ଗ୍ସ: ସଂପ୍ରତିକ ପଏଣ୍ଟ୍‌ ତାଲିକାରେ କେକେଆର୍‌ ତଳକୁ ପଞ୍ଜାବ କିଙ୍ଗ୍ସ ରହିଛି। ସେମାନେ ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍ ଖେଳିବାର ସମ୍ଭାବନା କିନ୍ତୁ ମାତ୍ର ୬ ପ୍ରତିଶତ ରହିଛି। ସେମାନଙ୍କ ପାଇଁ ସମୀକରଣ ଅତ୍ୟନ୍ତ ଜଟିଳ ରହିଛି। ପ୍ଲେ ଅଫ୍ ଖେଳିବାକୁ ହେଲେ ସେମାନଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌କୁ ଜିତିବାକୁ ହେବ। ତା ସହ ରାଜସ୍ଥାନ ରୟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ, କେକେଆର୍‌କୁ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ହରାଇବାର ଆଶାରେ ରହିବାକୁ ହେବ। ଏହି ତିନିଟି ସମ୍ଭାବନାରୁ ଗୋଟିଏ ଅନ୍ତର ହେଲେ ପଞ୍ଜାକ କିଙ୍ଗ୍ସର ଅଭିଯାନ ଶେଷ ହୋଇଯିବ।

ରାଜସ୍ଥାନ ରୟାଲ୍ସ: ସଂପ୍ରତି ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ରାଜସ୍ଥାନ ରୟାଲ୍ସ ତୁଳନାତ୍ମକ ଭାବେ ଭଲ ସ୍ଥିତିରେ ରହିଛି। ସେମାନେ ଚତୁର୍ଥ ସ୍ଥାନରେ ରହିବାର ୨୫ ପ୍ରତିଶତ ଏବଂ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନ ଅଧିକାର କରିବାର ୩୭.୫ ପ୍ରତିଶତ ସମ୍ଭାବନା ରହିଛି। ସେମାନେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରିଲେ ମଧ୍ୟ ପ୍ଲେ ଅଫ୍‌କୁ ଯାଇପାରିବେ। ହେଲେ ଯେମିତି କେକେଆର୍‌ଠାରୁ ନହାରନ୍ତି ତା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ସେମାନେ ଯଦି ନିଜ ଶେଷ ଦୁଇ ମ୍ୟାଚ୍ ଜିତନ୍ତି, ତାହାଲେ ନିଶ୍ଚିତ ଭାବେ ପ୍ଲେ ଅଫ୍ ଖେଳିବେ।

ମୁମ୍ବାଇ ଇଣ୍ଡିଆନ୍ସ: ପ୍ଲେ ଅଫ୍ ଟିକେଟ ଦାବିବାରଙ୍କ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବନିମ୍ନ ସ୍ଥାନ ଅର୍ଥାତ୍ ସପ୍ତମ ସ୍ଥାନରେ ରହିଛି। ହେଲେ ରାଜସ୍ଥାନ ରୟାଲ୍ସ ଭଳି ସେମାନଙ୍କ ହାତରେ ଗୋଟିଏ ଅତିରିକ୍ତ ମ୍ୟାଚ୍ ରହିଛି। ସେଥିପାଇଁ ସେମାନେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିବାର ୩୭.୫ ପ୍ରତିଶତ ସମ୍ଭାବନା ରହିଛି। ହେଲେ ମୁମ୍ବାଇ ପ୍ଲେ ଅଫ୍‌ ଖେଳିବାର ସମ୍ଭାବନା ମାତ୍ର ୧୨.୫ ପ୍ରତିଶତ ରହିଛି। କାରଣ ସେମାନଙ୍କର ନେଟ୍ ରନ୍ ରେଟ୍ ସବୁଠାରୁ ଖରାପ ରହିଛି। ଅବଶ୍ୟ ସେମାନେ ଯଦି ନିଜ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସଙ୍କୁ ହରାଇ ଦିଅନ୍ତି, ତାହାଲେ ସେମାନେ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ।

ସମ୍ବନ୍ଧିତ ଖବର