ଏଲ୍‌ଏଲ୍‌ସିସି କ୍ରିକେଟ୍‌: ଶାଶ୍ବତଙ୍କ ଶତକ, ସେମିରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର: ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (ଏଲ୍‌ଏଲ୍‌ସିସି) ଆନୁକୂଲ୍ୟରେ ଚାଲିଥିବା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୧୨୧ ରନ୍‌ରେ ରାମେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ସହିଦ ସ୍ପୋର୍ଟିଂ ଶାଶ୍ବତ ରାଉତ (୧୩୪*)ଙ୍କ ଅପରାଜିତ ଶତକ ବଳରେ ନିର୍ଦ୍ଧାରିତ ୩୫ ଓଭରରେ ୩ ୱିକେଟ୍‌ ହରାଇ ୨୫୪ ରନ୍‌ କରିଥିଲା। ଦିବ୍ୟଜ୍ୟୋତି ଦାସ ପଟ୍ଟନାୟକ ୩୬ ଓ ଦେବଜ୍ୟୋତି ପଟ୍ଟନାୟକ ୨୮ ରନ୍‌ କରିଥିଲା ବେଳେ ଶୁଭକାନ୍ତ ପରିଡ଼ା ଓ ତୀର୍ଥଙ୍କର ସାହୁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବ‌ାବରେ ରାମେଶ୍ବର ୨୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜୟଦୀପ ଦାସ ୪୪ ଓ ସ୍ବୟମ ପ୍ରକାଶ ୨୮ ରନ୍‌ କରିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ପ୍ରିୟରଞ୍ଜନ ନାୟକ ୩ ଏବଂ ଶାଶ୍ବତ ରାଉତ, ‌କୋଶାଲ ବିଶ୍ବକର୍ମା ଓ ପାର୍ଥ କୁମାର ପାତ୍ର ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇ ଶାଶ୍ବତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ରଣଜୀ ଖେଳାଳି ବିପ୍ଳବ ସାମନ୍ତରାୟ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଅଜୟ ନାୟକ ଓ ଶାଶ୍ବତୀ ଶତପଥୀ ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ଦ୍ବିତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ସ୍ପୋର୍ଟିଂ ଜୁଭେନାଇଲ ଓ ପ୍ରଗତି ସ୍ପୋର୍ଟିଂ ମୁହାଁମୁହିଁ ହେବେ। ରବିବାର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ଆୟୋଜକ କ୍ଲବ୍‌ ଏଲ୍‌ଏଲ୍‌ସିସି ୫ ୱିକେଟ୍‌ରେ ଭୁବନେଶ୍ବରର କ୍ରାଉନ୍‌ ସ୍ପୋର୍ଟିଂକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର