ଅଧିନାୟକ ଭାବରେ ଆଜି ଧୋନି ଖେଳୁଛନ୍ତି ୨୦୦ତମ ମ୍ୟାଚ୍‌, ଜାଣନ୍ତୁ ଅନ୍ୟମାନେ କେତେ ମ୍ୟାଚ ଖେଳିଥିଲେ

ଦୁବାଇ: ଭାରତୀୟ କ୍ରିକେଟର ଅଧିନାୟକ ମହେନ୍ଦ୍ର ସିଂହ ଦିନିକିଆ କ୍ରିକେଟରୁ ଅଧିନାୟକ ଭାବରେ ଅବସର ନେବା ପରେ ବି ମଙ୍ଗଳବାର ଆଫିଗାନିସ୍ତାନ ବିରୋଧରେ ପୁଣି ଥରେ ଏହି ଦାୟିତ୍ୱ ନେଇଛନ୍ତି। ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଧୋନିଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୁପର-୪ ମୁକାବିଲାର ଅନ୍ୟତମ ମ୍ୟାଚରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଧୋନିଙ୍କ ନେତୃତ୍ୱରେ ଭାରତ ବୋଲିଂ ଜାରି ରଖିଛି।

ଧୋନି ଆଜି ଅଧିନାୟକ ଭାବରେ ତାଙ୍କର ୨୦୦ତମ ମ୍ୟାଚ ଖେଳୁଥିବା ଖବରକୁ ପାଠକ ଓ ଦର୍ଶକ ଆରମ୍ଭରୁ ସହଜରେ ଗ୍ରହଣ କରିପାରୁ ନଥଲେ କିନ୍ତୁ ସେ ଯେତେବେଳେ ଟସ୍‌ ପାଇଁ ପଡ଼ିଆକୁ ଆସିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏସିଆ କପରେ ଭାରତ ନିଜର ସ୍ଥାନ ସୁନିଶ୍ଚିତ କରିଥିବାରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି।

୩୭ ବର୍ଷିଅ ଧୋନି ୬୯୬ ଦିନ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ସେ ୨୦୧୭ ଜାନୁଆରିରେ ଅଧିନାୟକ ଭାବରେ ଦିନିକିଆରୁ ଅବସର ନେଇଥିଲେ। ଏହା ପରେ ବିରାଟ କୋହଲି ଟିମ୍‌ ଇଣ୍ଡିଆର ଅଧିନାୟକ ହୋଇଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଶିଖର ଧାଓ୍ଵନ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ଯୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ମିଳିଛି।

ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ଦିନିକିଆ ରେକର୍ଡ

୧. ମହେନ୍ଦ୍ର ସିଂହ ଧୋନି(୨୦୦୭-୨୦୧୮): ୧୯୯ ମ୍ୟାଚ୍‌, ୧୧୦ ବିଜୟ, ୭୪ ପରାଜୟ
୨. ମହମ୍ମଦ ଆଝାରୁଦ୍ଦୀନ(୧୯୯୦-୯୯): ୧୭୪ ମ୍ୟାଚ, ୯୦ ବିଜୟ, ୭୬ ପରାଜୟ
୩. ସୌରଭ ଗାଙ୍ଗୁଲି(୧୯୯୯-୨୦୦୫): ୧୪୬ ମ୍ୟାଚ, ୭୬ ବିଜୟ, ୬୫ ପରାଜୟ
୪. ରାହୁଲ ଦ୍ରାବିଡ(୨୦୦୦-୨୦୦୭): ୭୯ ମ୍ୟାଚ, ୪୨ ବିଜୟ, ୩୩ ପରାଜୟ
୫. କପିଳ ଦେବ(୧୯୮୨-୧୯୮୭): ୭୪ ମ୍ୟାଚ, ୩୯ ବିଜୟ, ୩୩ ପରାଜୟ
୬. ସଚିନ ତେନ୍ଦୁଲକର(୧୯୯୬-୨୦୦୦): ୭୩ ମ୍ୟାଚ, ୨୩ ବିଜୟ, ୪୩ ପରାଜୟ
୭. ବିରାଟ କୋହଲି(୨୦୧୩-୨୦୧୮): ୫୨ ମ୍ୟାଚ, ୩୯ ବିଜୟ, ୧୨ ପରାଜୟ

ସମ୍ବନ୍ଧିତ ଖବର