ପରାଜୟ ଦ୍ୱାରରେ ମୁମ୍ବାଇ

ମୁମ୍ବାଇ: ଓଡ଼ିଶା ସାମିଲ ଥିବା ରଣଜୀ ଟ୍ରଫି ଗ୍ରୁପ୍‌-ସି ଅନ୍ତର୍ଗତ ବରୋଦା ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ପରାଜୟ ଦ୍ୱାରରେ ରହିଛି। ସ୍ୱପ୍ନୀଲ ସିଂହ (୧୬୪)ଙ୍କ ପ୍ରଥମ ଶତକ ସହାୟତାରେ ବରୋଦା ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ୪୦୪ ରନ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷରେ ୫୦୦ତମ ମ୍ୟାଚ୍‌ ଖେଳୁଥିବା ୪୧ ଥର ବିଜେତା ମୁମ୍ବାଇ ପାଳି ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ଘରୋଇ ଦଳ ଶନିବାରର ଷ୍ଟମ୍ପ୍‌ ଅପସାରଣ ବେଳକୁ ଦ୍ୱିତୀୟ ପାଳିର ୪ ଓ୍ଵିକେଟ୍‌ ହରାଇ ୧୦୨ ରନ୍‌ କରିଛି। ଫଳରେ ପ୍ରଥମ ପାଳିରେ ୧୭୧ ରନ୍‌ କରିଥିବା ମୁମ୍ବାଇକୁ ପାଳି ପରାଜୟ ଏଡାଇବା ପାଇଁ ଆହୁରି ୩୦୨ ରନ୍‌ ଦରକାର ରହିଛି। ମୁମ୍ବାଇ ପକ୍ଷରୁ ଦ୍ୱିତୀୟ ପାଳିରେ ପୃଥ୍ଵୀ ସ (୫୬) ଅର୍ଧଶତକ ହାସଲ କରିଥିଲା ବେଳେ ବରୋଦା ପକ୍ଷରୁ ଅତିତ ସେଠ୍‌, ଲୁକ୍‌ମାନ ମେରିଓ୍ଵାଲ, ସ୍ୱପ୍ନୀଲ ସିଂହ ଓ କାର୍ତିକ କାକାଡେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ତେବେ ହାତରେ ମାତ୍ର ୬ ଓ୍ଵିକେଟ୍‌ ରହିଥିବାରୁ ପରାଜୟ ଏଡାଇବା ମୁମ୍ବାଇ ପାଇଁ କଷ୍ଟକର ହୋଇପଡ଼ିବ। ତଥାପି ଆନ୍ତର୍ଜାତିକ ତାରକା ଆଜିଙ୍କ୍ୟ ରହାଣେ (୨୮) ଓ ସୂର୍ଯ୍ୟକୁମାର ଯାଦବ (୨) କ୍ରିଜ୍‌ରେ ରହିଥିବାରୁ ମୁମ୍ବାଇ ଅମିମାଂସିତ ରଖିବାର ଆଶା ବାନ୍ଧିଛି। ଏହା ପୂର୍ବରୁ ଶନିବାର ତୃତୀୟ ଦିବସରେ ବରୋଦା ୫୭୫/୯ରେ ତା’ର ପ୍ରଥମ ପାଳି ଘୋଷଣା କରିଥିଲା। ଆଦିତ୍ୟ ଓ୍ଵାଘମୋଦ୍‌ (୧୩୮) ଓ ସ୍ୱପ୍ନୀଲ ସିଂହ (୧୬୪) ଶତକ ଏବଂ ବିଷ୍ଣୁ ସୋଲାଙ୍କି (୫୪) ଓ ଅଧିନାୟକ ଦୀପକ ହୁଦା (୭୫) ଅର୍ଧଶତକ କରିଥିଲେ। ମୁମ୍ବାଇ ପକ୍ଷରୁ ସାର୍ଦୁଲ ଠାକୁର ୩, ଧଓ୍ଵଲ କୁଲକର୍ଣ୍ଣି ଓ ବିଜୟ ଗୋହିଲ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର