ସର୍ବଭାରତୀୟ କରାଟେ ପ୍ରତିଯୋଗିତା ୨୩ରୁ

ଭୁବନେଶ୍ବର: ଦଶମ ସର୍ବଭାରତୀୟ କରା‌ଟେ ପ୍ରତିଯୋଗିତା ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବ। ଏହି ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏଥିରେ ପୂର୍ବବର୍ଷ ଭଳି ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ହରିଆନା, ଗୁଜରାଟ ଭଳି ଅନ୍ୟ ରାଜ୍ୟମାନଙ୍କରୁ ପ୍ରା୍ର ୧୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏନେଇ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲ୍‌ ତରଫରୁ ସୂଚନା ଦିଆଯାଇଛି। ଜାତୀୟ କରାଟେ ସଂଘ ଦ୍ବାରା ସ୍ବୀକୃତ ଏହି ଆମନ୍ତ୍ରଣୀୟ ପ୍ରତିଯୋଗିତା ବିଶେଷକରି ଓଡ଼ିଶା ଏବଂ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହେଉଥିବା କରାଟେକାଙ୍କ ନିମନ୍ତେ ଏକ ପ୍ରାକ୍‌ ପରୀକ୍ଷା ସଦୃଶ ହେବ ବୋଲି ଆୟୋଜକ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ପ୍ରତିଯୋଗୀଙ୍କ ରହଣୀ ନିମନ୍ତେ ଇନ୍‌ଡୋର ଷ୍ଟାଡିୟମ୍‌ ଏସି ଡର୍ମିଟୋରୀ, ଯାତ୍ରୀ ନିବାସ ଓ ଉତ୍କଳ କରାଟେ ସ୍କୁଲ୍‌ରେ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା ଆୟୋଜକଙ୍କ ପକ୍ଷରୁ କରାଯାଇଥିବା ସେ କହିଛନ୍ତି। ୨୩ ତାରିଖ ସଂଧ୍ୟା ୭ଟାରେ ପ୍ରତିଯୋଗିତା ଉଦ୍‌ଘାଟିତ ହେବାକୁ ଥିଲା ବେଳେ ୨୪ ସଂଧ୍ୟାରେ ପୁରସ୍କାର ବିତରଣ ଏବଂ ୨୫ ସଂଧ୍ୟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। କେତେକ ବିଭାଗରେ ପୁରସ୍କାର ସେମାନଙ୍କ ଖେଳ ଶେଷ ହେବା ମାତ୍ରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ଶେଖର ଦାସ, ଚିତ୍ତରଞ୍ଜନ ସ୍ବାଇଁ, ଦେବାଶିଷ ଆଚାର୍ଯ୍ୟ, ସୁଶ୍ରୀ ଗୌରୀ ମହାନ୍ତି, ମୀର ଅଜମତ୍‌ ଅଲ୍ଲୀ, ଏବଂ ହରି ପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର