ପରୀକ୍ଷାନିରୀକ୍ଷା ସୁଯୋଗ: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି

ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ୬.୮ ଫୁଟିଆ ଜେମସନ୍

ୱେଲିଂଟନ୍: ହ୍ୟାଟ୍ରିକ୍ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ ୩-୦ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଏବେ ପରୀକ୍ଷାନିରୀକ୍ଷା କରିବାର ସୁଯୋଗ ଉପନୀତ ହୋଇଛି। ଏଥିପାଇଁ ମଧ୍ୟ ଶୁକ୍ରବାର ଓ ରବିବାର ଖେଳାଯିବାକୁ ଥିବା ଶୃଙ୍ଖଳାର ଶେଷ ଦୁଇ ମୁକାବିଲାରେ ଭାରତ କେତେକ ସଂରକ୍ଷିତ ଖେଳାଳିଙ୍କୁ ଦଳରେ ନେବାର ବାଟ ଖୋଲି ଯାଇଛି। ଶୁକ୍ରବାର ୱେଲିଂଟନରେ ଚତୁର୍ଥ ମ୍ୟାଚ୍ ଖେଳାଯିବାର ଥିଲା ବେଳେ ପଞ୍ଚମ ତଥା ଶେଷ ମ୍ୟାଚ୍ ମାଉଣ୍ଟମଙ୍ଗନୁଇରେ ରବିବାର ଆୟୋଜିତ ହେବ। ଲଗାତର କ୍ରିକେଟ୍ ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ବିଦେଶ ମାଟିରେ ପାଞ୍ଚ ଦିନରେ ତିନିଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଅବଶ୍ୟ କୌଣସି ଆହ୍ବାନଠାରୁ କିଛି କମ୍ ହେବନି। ଉଭୟ ନ୍ୟୁଜିଲାଣ୍ଡ ଓ ଭାରତୀୟ ଖେଳାଳି ଗୁରୁବାର ହାମିଲଟନରୁ ୱେଲିଂଟନ ଯାତ୍ରା କରିବାରେ କଟାଇଛନ୍ତି। ଏଣୁ କେହି ବି ଅଭ୍ୟାସ କରିପାରି ନାହାନ୍ତି। ତଥାପି ଭାରତ ବଳକା ଦୁଇ ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡରେ ବିରଳ ମୂଳପୋଛ ବିଜୟ ହାସଲ ଲକ୍ଷ୍ୟରେ ରହିବ। ସେପଟେ ଘରୋଇ ନ୍ୟୁଜିଲାଣ୍ଡ ନିଜ ମାଟିରେ ଭାରତଠାରୁ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ସାନ୍ତ୍ବନାମୂଳକ ବିଜୟରେ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଅଛି।

ହାମିଲଟନରେ ବୁଧବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ତୃତୀୟ ଟ୍ବେଣ୍ଟି-୨୦ରେ ପ୍ରଥମେ ମହମ୍ମଦ ସାମି ଏବଂ ପରେ ରୋହିତ ଶର୍ମା ହତଭାଗ୍ୟ ନ୍ୟୁଜିଲାଣ୍ଡ ହାତ ମୁଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ନ୍ୟୁଜିଲାଣ୍ଡ ଗତ ୭ ମାସ ମଧ୍ୟରେ ତୃତୀୟ ଥର ପାଇଁ କୌଣସି ମ୍ୟାଚ୍ ସୁପରଓଭରରେ ମ୍ୟାଚ୍ ହାରିଥିଲା। ଯାହା ଏହି ଦଳର ମନୋବଳକୁ ଏକରକମ ଦୋହଲାଇ ଦେଇଛି। ଅନ୍ୟପକ୍ଷରେ ହାମିଲଟନର ଅବିଶ୍ବସନୀୟ ବିଜୟ ସହ ଭାରତୀୟ ଦଳର ଆତ୍ମବିଶ୍ବାସ ପୂର୍ବାପେକ୍ଷା ଢେର ବଢ଼ି ଯାଇଛି। ତେବେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଦଳୀୟ ସନ୍ତୁଳନକୁ ଆହୁରି ସୁଧାରିବା ସହ ସ୍ଥିର ବ୍ୟାଟିଂକ୍ରମ ବାଛିବା ଲାଗି ଚତୁର୍ଥ ଓ ପଞ୍ଚମ ଟ୍ବେଣ୍ଟି-୨୦ ବହୁତ ବଢ଼ିଆ ମଞ୍ଚ ହେବ।

ସଞ୍ଜୁ ସାମସନ ଓ ଋଷବ ପନ୍ତ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଲକ୍ଷ୍ୟରେ ଅଛନ୍ତି। ତେବେ ଏହି ଦୁଇ ଜଣ ଦଳରେ ରହିବା ଅଧିନାୟକ ବିରାଟ କୋହଲି ଓ ରବି ଶାସ୍ତ୍ରୀ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦେବା ନିଷ୍ପତ୍ତି ନେଉଛନ୍ତି, ତା ଉପରେ ନିର୍ଭର କରିବ। ୱାସିଂଟନ ସୁନ୍ଦର ଓ ନଭଦୀପ ସୈନି ମଧ୍ୟ ପଡ଼ିଆକୁ ଓହ୍ଲାଇବା ଅପେକ୍ଷାରେ ଅଛନ୍ତି। ଦିନିକିଆ ଶୃଙ୍ଖଳା ପୂର୍ବରୁ ଯଶପ୍ରୀତ ବୁମରା ବିଶ୍ରାମ ପାଇଲେ ସୈନି ଚୂଡ଼ାନ୍ତ ଦଳରେ ରହିପାରନ୍ତି। ନ୍ୟୁଜିଲାଣ୍ଡ କିନ୍ତୁ ତା’ ଦଳରେ ଏକାଧିକ ପରିବର୍ତନ କରିବାର ଢେର ସମ୍ଭାବନା ରହିଛି। କଲିନ୍ ଡି’ଗ୍ରାଣ୍ଢୋମେଙ୍କ ସ୍ଥାନ ଟମ୍ ବ୍ରୁସ୍ ନେବା କିନ୍ତୁ ଏକପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍‌ ରାହୁଲ, ମନୀଷ ପାଣ୍ଡେ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟସ୍ ଆୟର, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଶାର୍ଦୁଲ ଠାକୁର, ନଭଦୀପ ସୈନି, ୱାସିଂଟନ ସୁନ୍ଦର।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, ରସ୍ ଟେଲର, ସ୍କଟ୍ କୁଗେଲିନ, କଲିନ୍ ମୁନ୍ରୋ, ଟମ୍ ବ୍ରୁସ୍, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍ ସେଫର୍ଟ, ହାମିସ ବେନେଟ, ଈଶ୍ ସୋଢ଼ୀ, ଟିମ୍ ସାଉଦି, ବ୍ଲେୟାର ଟିକନର।

ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ୬.୮ ଫୁଟିଆ ଜେମସନ୍
ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଗୁରୁବାର ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଏକାଧିକ ଅଭିଜ୍ଞ ଦ୍ରୁତ ବୋଲର ଆହତ ହେବା ପରେ କିୱି ଦଳ ଏକାଧିକ ଯୁବ ବୋଲରଙ୍କୁ ନିଜ ଦଳରେ ସାମିଲ କରିବାକୁ ବାଧ୍ୟ ‌ହୋଇଛି। ଦୀର୍ଘ ବ୍ୟବଧାନ ପରେ ହାସିମ ବେନେଟ୍ ଓ ସ୍କଟ୍ କୁଗେଲିନ୍ ଫେରିଛନ୍ତି। ତେବେ ସମସ୍ତଙ୍କ ନଜର ୨୫ ବର୍ଷୀୟ ଦୁର୍ଦ୍ଧର୍ଷ ବୋଲର କାଇଲ ଜେମସନଙ୍କ ଉପରେ ରହିଛି। ୬ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଜେମସନ୍ ୨୦୧୪ ମସିହାରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ନ୍ୟୁଜିଲାଣ୍ଡ ଦଳର ଅନ୍ୟତମ ସଦସ୍ୟ ଥିଲେ। ଡାହାଣହାତୀ ଦ୍ରୁତ ବୋଲିଂ କରୁଥିବା ଜେମସନ ୨୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୨ ୱିକେଟ୍ ଅକ୍ତିଆର କରିଛନ୍ତି। ଜେମସନ ମଧ୍ୟ ନ୍ୟୁଜିଲାଣ୍ଡର ସବୁଠାରୁ ଡେଙ୍ଗା କ୍ରିକେଟରର ମାନ୍ୟତା ଲାଭ କରିଛନ୍ତି। ଖରାପ ପ୍ରଦର୍ଶନ ପାଇଁ ଭାରତ ବିପକ୍ଷ ଶେଷ ଦୁଇ ଟ୍ବେଣ୍ଟି-୨୦ରୁ ବାଦ୍ ପଡ଼ିଥିବା କଲିନ୍ ଡି’ ଗ୍ରାଣ୍ଢୋମେ ଦିନିକିଆ ଦଳକୁ ଫେରିଛନ୍ତି। ୨୦୧୯ ଏକଦିବସୀୟ ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡଠାରୁ ନାଟକୀୟ ଭାବେ ହାରିବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛି।

ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ହାମିସ ବେନେଟ, ଟମ୍ ବ୍ଲୁଣ୍ଡେଲ, କଲିନ୍ ଡି’ ଗ୍ରାଣ୍ଢୋମେ, ମାର୍ଟିନ ଗପ୍ଟିଲ, କାଇଲ୍ ଜେମସନ୍, ସ୍କଟ କୁଗେଲିନ, ଟମ୍ ଲାଥାମ, ଜିମି ନିସାମ, ହେନରି ନିକୋଲାସ, ମିଚଲ ସାଣ୍ଟନର, ଈଶ୍ ସୋଢ଼ୀ (କେବଳ ପ୍ରଥମ ଦିନିକିଆ), ଟିମ୍ ସାଉଦି, ରସ୍ ଟେଲର।

ସମ୍ବନ୍ଧିତ ଖବର