ଉତ୍ତରାଞ୍ଚଳ ପୁଣି ଜିତିଲା ଭିଜି ଟ୍ରଫି

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭିଜି ଟ୍ରଫି ଅନ୍ତଃଜୋନ୍‌ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରିକେଟ୍‌ରେ ବିଜେତା ହୋଇଛି ଉତ୍ତରାଞ୍ଚଳ। କିଟ୍‌ ବିଶ୍ୱବିବ୍ୟାଳୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍‌ରେ ଉତ୍ତରାଞ୍ଚଳ ୬୯ ରନ୍‌ରେ ପୂର୍ବ ବିଜେତା ପଶ୍ଚିମାଞ୍ଚଳକୁ ପରାସ୍ତ କରିଥିଲା। ଶୁଭମ ଦାହିଆ (୧୧୫, ୧୦୭ ବଲ, ୧୨ ଚୌକା, ୩ ଛକା)ଙ୍କ ଶତକ ଏବଂ ଅଭିଷେକ ସାଙ୍ଗଓ୍ଵାନ (୪୫, ୪୭ ବଲ୍‌, ୫ ଚୌକା, ୧ ଛକା)ଙ୍କ ବଳରେ ଉତ୍ତରାଞ୍ଚଳ ୪୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ କରିଥିଲା। ପ୍ରତିପକ୍ଷ ପଶ୍ଚିମାଞ୍ଚଳ ଦଳ ଅଧିନାୟକ ପ୍ରାଞ୍ଜଳ ପୁରୀ ୭.୪ ଓଭରରେ ୩୭ ରନ୍‌ ଦେଇ ସର୍ବାଧିକ ୪ ଓ୍ଵିକେଟ୍‌ ଏବଂ ମନନ ମେହେଟା ୨୧ ରନରେ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପଶ୍ଚିମାଞ୍ଚଳ ଦଳ ୪୮ ଓଭରରେ ୨୦୪ ରନରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ମନନ ମେହେଟା (୪୮ ରନ, ୭୬ ବଲ, ୬ ଚୌକା) ଏବଂ ୟାଶ ଚଭନ (୪୨, ୬୬ ବଲ୍‌, ୪ ଚୌକା, ୧ ଛକା) ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌ ଥିଲେ। ଭିଭି ଯାଦବ ୩୬ ରନ୍‌ରେ ୩ ଓ୍ଵିକେଟ୍‌ ନେଇଥିଲେ। ଫଜଲ୍‌ ଆଲାମ ଓ ଏସ୍‌ପି କୁମାର ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ବିଜେତା ଦଳକୁ ବିସିସିଆଇ କେବଳ ଟ୍ରଫି ପ୍ରଦାନ କରିଥିବାବେଳେ କିଟ୍‌ ପକ୍ଷରୁ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। ସେହିଭଳି ଉପ ବିଜେତା ପଶ୍ଚିମାଞ୍ଚଳକୁ ୨୦,୦୦୦ ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଶୁଭମ ଦାହିଆଙ୍କୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ମିଳିଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ନବ ନିଯୁକ୍ତ ବିସିସିଆଇ ପ୍ରବଂଧକ (କ୍ରିକେଟ୍‌ ଅପରେସନ୍‌ସ) ସୟଦ ସବା କରିମ୍‌ ଏବଂ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଯୁଗ୍ମ ସମ୍ପାଦକ (କ୍ରୀଡ଼ା) ଗୁରଦୀପ୍‌ ସିଂହ ପୁରସ୍କାର ପ୍ରଦାନ କରିଥିଲେ। କିସ୍‌ର ହଜାର ହଜାର ପିଲା ପୁରସ୍କାର ବିତରଣ ଉତ୍ସବରେ ସାମିଲ ହେବା କ୍ରିକେଟ୍‌ ପାଇଁ ଏକ ନିଆରା ପରିବେଶ ଆଣିଥିଲା।

ମୁକେଶ ଖୁସୀ: ବିଜୟ ପରେ ଖୁସୀ ଜାହିର କରିଥିଲେ ଉତ୍ତରାଞ୍ଚଳ ପ୍ରଶିକ୍ଷକ ମୁକେଶ ଗୋଏଲ। ଆମେ ଗତବର୍ଷ ମଧ୍ୟ ବିଜେତା ହୋଇଥିଲୁ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ। ବିଗତ ୩ ବର୍ଷ ଧରି ଆମେ ଫାଇନାଲ୍‌ ଖେଳିବା ନିଶ୍ଚିତ ଏକାଧିକ ଖେଳାଳିଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ। କିନ୍ତୁ ଭିଜି ଟ୍ରଫି ପାଇଁ ପୂର୍ବରୁ ଥିବା ୩/୪ ଦିନିଆ ପ୍ରତିଯୋଗିତା ଭଲ । ଏହା ଖେଳାଳିଙ୍କ ଅସଲ ପରୀକ୍ଷା ଓ ଶାରୀରିକ ସକ୍ଷମତାର ପ୍ରମାଣ ଦେଇଥାଏ। ଜଣେ ବୋଲର ୨୦/୩୦ ଓଭର ବୋଲିଂ କଲେ ହିଁ ତା ନିକଟରେ କେତେ ଦମ୍‌ ଅଛି ଜଣାପଡ଼େ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଅନେକ ପ୍ରଥମ ଥର: ଓଡ଼ିଶାରେ ପ୍ରଥମ ଥର ପାଇଁ ଭିଜି ଟ୍ରଫି ଆୟୋଜିତ ହେବା ଓଡ଼ିଶା କ୍ରିକେଟ୍‌ ସଂଘ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟକୁ ମଧ୍ୟ ନୂଆ ଗୌରବ ଦେଇଛି। ସେହିଭଳି ପୂର୍ବାଞ୍ଚଳରେ ପ୍ରଥମ ଥର ପାଇଁ ଏହାର ଅନ୍ତଃଜୋନ୍‌ ଆୟୋଜିତ ହେବା ଥିଲା ପ୍ରଥମ ଘଟଣା। ଅନ୍ୟପକ୍ଷରେ ଭୁବନେଶ୍ୱରରୁ କୌଣସି କ୍ରିକେଟ୍‌ ମ୍ୟାଚ୍‌ ପ୍ରଥମ ଥର ଅନ୍ତର୍ଜାତୀୟ ଚାନେଲ୍‌ରେ (ଷ୍ଟାର୍‌ ସ୍ପୋର୍ଟସ-୨)ରେ ସିଧା ପ୍ରସାରିତ ହେବା ମଧ୍ୟ ଆଉ ଏକ ପ୍ରଥମ ଯୋଡ଼ିଥିଲା।

ପ୍ରଶିକ୍ଷଣ ମୋ ପ୍ରଥମ ପସନ୍ଦ: ଦାହିୟା

ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌କୁ ବିସିସିଆଇ ଗୁରୁତ୍ୱ ଦେବା ବଡ଼ ସକରାତ୍ମକ ସଙ୍କେତ। ଖେଳାଳିଭାବେ ମୋତେ ଭାରି ଖୁସୀ ଲାଗୁଛି ଯେ ଭିଜି ଟ୍ରଫି ସିଧା ପ୍ରସାରିତ ହେଉଛି। ଆଗକୁ ମଧ୍ୟ ଅଧିକ ମ୍ୟାଚ୍‌ ସିଧା ପ୍ରସାରିତ ହେବାର ଯୋଜନା କରୁଛି ବିସିସିଆଇ। ଏଭଳି କଥା କହିଥିଲେ ଭାରତୀୟ ଦଳର ପୂର୍ବତନ ଓ୍ଵିକେଟ୍‌ରକ୍ଷକ ବିଜୟ ଦାହିୟା। କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଓଡ଼ିଶା ବିପକ୍ଷ ମ୍ୟାଚ୍‌କୁ ମନେ ପକାଇ ଦାହିୟା କହିଥିଲେ ଏହି ପଡ଼ିଆର ଗୁରୁତ୍ୱ ବଢ଼ୁଛି ଏବଂ ଦିନକୁ ଦିନ ଭଲ ହେବାରେ ଲାଗିଛି। ଓଡ଼ିଶା ମଧ୍ୟ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ଗଢ଼ି ପାରିବା ବଡ଼ କଥା, ଏହା ଅନ୍ୟମାନଙ୍କ ପାଇଁ ଉତ୍ସାହଜନକ କଥା। ବ୍ୟକ୍ତିଗତ ଭାବେ ମୁଁ ପିିଲା ଦିନରୁ ଏ ପର୍ଯର୍୍ୟନ୍ତ କ୍ରିକେଟ୍‌ ସହ ଜଡ଼ିତ ରହିପାରିଥିବାରୁ ଖୁସୀ ଲାଗୁଛି। ପିଲାଦିନରୁ ଆରମ୍ଭ କରି ବୟସ ବର୍ଗର କ୍ରିକେଟ୍‌ ଖେଳିବା ଓ ଭାରତର ପ୍ରତିନିଧିିତ୍ୱ କରିବାର ଯାତ୍ରା ନିଶ୍ଚିତ ଉପଭୋଗ୍ୟ ରହିଛି। କିନ୍ତୁ ପ୍ରଶିକ୍ଷଣ ଦେବା ମୋ ପ୍ରଥମ ପସନ୍ଦ ବୋଲି କହିଥିଲେ ଭାଷ୍ୟକାର ଦାୟିତ୍ୱ ତୁଲାଇବାକୁ ଭୁବନେଶ୍ୱର ଆସିଥିବା ୪୪ ବର୍ଷୀୟ ଦାହିୟା। ଭାରତ ପାଇଁ ୨ ଟେଷ୍ଟ୍‍ ଏବଂ ୧୯ ଦିନିକିଆ ଖେଳିଥିବା ବିଜୟ ଦାହିୟା ଦିଲ୍ଲୀକୁ ରଣଜୀ ଟ୍ରଫି ବିଜେତା କରାଇବା ଏବଂ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସର ପ୍ରଶିକ୍ଷକ ରହିବାର ଏକାଧିକ ପ୍ରମାଣ ଛାଡ଼ିଛନ୍ତି।

ତାରକାଙ୍କ ମିଳନପର୍ବ: ବିଗତ ଏକ ସପ୍ତାହ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଏକାଧିକ ପୂର୍ବତନ ଖେଳାଳିଙ୍କ ମହାମିଳନ ନଜରକୁ ଆସିଥିଲା। ବିଭିନ୍ନ କ୍ଷମତା ଓ ଦାୟିତ୍ୱରେ ଆସିଥିବା ଏହି ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଥିଲେ ବିସିସିଆଇର ମହାପ୍ରବଂଧକ (କ୍ରିକେଟ୍‌ ଅପରେସନ୍‌ସ) ସୟଦ ସବା କରିମ, ସହକାରୀ କେଭିପି ରାଓ, ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ, ମ୍ୟାଚ୍‌ ରେଫରି ପଙ୍କଜ ଧର୍ମାନି, ଅଶୋକ ମାଲହୋତ୍ରା, ବିବେକ ରାଜଦାନ, ବିଜୟ ଦାହିୟା, ସୁଶୀଲ ଦୋଶୀ, ଭିନିତ କୁଲକର୍ଣି, ଅଜୟ ମେହେରା, ଅମ୍ପାୟାର ତପନ ଶର୍ମା, ସଦାଶିବ ଆୟର। ସମସ୍ତଙ୍କୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର