କିମ୍ବଦନ୍ତୀ ଆଥଲେଟିକ୍ ପ୍ରଶିକ୍ଷକ ଓମ୍ ନାମ୍ବିଆରଙ୍କ ପରଲୋକ, ପିଟି ଉଷାଙ୍କୁ ତାଲିମ ଦେଇଥିଲେ

କୋଚି : ଭାରତର କିମ୍ବଦନ୍ତୀ ଆଥଲେଟିକ ପ୍ରଶିକ୍ଷକ ପଦ୍ମଶ୍ରୀ ଓମ୍ ନାମ୍ବିଆରଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି । ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିବା ନାମ୍ବିଆର ଭାରତର କିମ୍ବଦନ୍ତୀ ଆଥଲେଟ୍ ପି.ଟି. ଉଷାଙ୍କ କୋଚ ଭାବେ ମଧ୍ୟ ଜଣାଶୁଣା । ସେ ମଧ୍ୟ ଭାରତର ଆଉ କେତେକ ଅନ୍ତର୍ଜାତୀୟ ମେଡାଲ ଜିତିଥବା ଆଥଲେଟଙ୍କୁ ତାଲିମ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ବନ୍ଦନା ରାଓ ଓ ସାଇନି ଓ୍ବିଲସନ ।

କେରଳର କନ୍ନୁରରେ ଜନ୍ମିତ ନାମ୍ବିଆର କୋଜିକୋଡ଼ର ଗୁରୁବାୟୁରାପ୍ପନ କଲେଜରେ ପଢିବା ବେଳେ ଜଣେ ଆଥଲେଟିକ୍ ଚାମ୍ପିଅନ ଭାବେ ଲୋକପ୍ରିୟ ହୋଇଥିଲେ । ତାଙ୍କ କଲେଜ ଅଧ୍ୟାପକଙ୍କ ପରାମର୍ଶକ୍ରମେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ବାୟୁସେନାରେ ଥିବାବେଳେ ସେ ପାତିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରୁ କୋଚିଂରେ ଡିପ୍ଲୋମା ହାସଲ କରିଥିଲେ । ଏହା ପରେ ସେ ସାମରିକ ବାହିନୀର କ୍ରୀଡ଼ାବିତମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ ।

ତାଙ୍କ ପରଲୋକରେ ଆଥଲେଟ୍ ପି.ଟି.ଉଷା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଟ୍ବିଟ୍ କରି ସେ ଲେଖିଛନ୍ତି  ଯେ, ତାଙ୍କ ଗୁରୁ, ପ୍ରଶିକ୍ଷକ, ପଥ ପ୍ରଦର୍ଶକଙ୍କ ବିୟୋଗ ତାଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହି ଶୂନ୍ୟସ୍ଥାନ କେବେ ବି ପୂରଣ ହେବ ନାହିଁ ।

ସମ୍ବନ୍ଧିତ ଖବର