ଗୋଟିଏ ଇନଷ୍ଟାଗ୍ରାମ ‌ପୋଷ୍ଟ ପାଇଁ କୋହଲି ନିଅନ୍ତି ୧୪ ଲକ୍ଷ

ମୁମ୍ବାଇ: ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଥିବା ଅଧିକାଂଶ ଫଟୋ ଚର୍ଚାରେ ରହେ। ପ୍ରଶଂସକ ଏହାକୁ ପସନ୍ଦ କରିବା‌ ସହ ମନଭରି ପ୍ରଶଂସା ମଧ୍ୟ କରନ୍ତି। ତେବେ ଅନେକ ଲୋକ ଜାଣି ନଥିବେ ଯେ ବିରୁଷ୍କା (ବିରାଟ ଓ ଅନୁଷ୍କା) ନିଜର ଏହି ଫଟୋଗୁଡ଼ିକୁ ପ୍ରକାଶ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସାମାଜିକ ଗଣମାଧ୍ୟମରେ ୩୦ ବର୍ଷୀୟ କୋହଲିଙ୍କର ମୋଟ ୩୬, ୧୫୯,୭୭୬ ଅନୁଗାମୀ ଅଛନ୍ତି। ଅନୁଷ୍କାଙ୍କ ଅନୁଗାମୀଙ୍କ ସଂଖ୍ୟ ବି କିଛି କମ୍ ନୁହେଁ। ତେବେ କୋହଲି ନିଜ ଇନଷ୍ଟାଗ୍ରାମରେ ପ୍ରକାଶ କରୁଥିବା ଗୋଟିଏ ପୋଷ୍ଟ ପାଇଁ ୧,୯୬, ୦୦୦ ଡଲାର ବା ପାଖାପାଖି ୧୪ ଲକ୍ଷ ଟଙ୍କା ନିଅନ୍ତି। ଇନଷ୍ଟାଗ୍ରାମରେ ସର୍ବାଧିକ ଅର୍ଥ ରୋଜଗାର କରୁଥିବା ବିଶ୍ବର ଶ୍ରେଷ୍ଠ ୧୦ କ୍ରୀଡ଼ା ତାରକାଙ୍କ ମଧ୍ୟରେ କୋହଲି ଏକମାତ୍ର କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି। ଏହି କ୍ଷେତ୍ରରେ ପର୍ତୁଗାଲର ମହାନ ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲଡୋ ପ୍ରଥମ ସ୍ଥାନରେ ରହିଛନ୍ତି। ସାମାଜିକ ଗଣମାଧ୍ୟମରେ ରୋନାଲଡୋଙ୍କର ୧୭୩ ନିୟୁତ ଏବଂ ଆର୍ଜେଣ୍ଟିନାର ଚର୍ଚିତ ତାରକା ଲିଓନେଲ ମେସିଙ୍କର ୧୨୩ ନିୟୁତ ଅନୁଗାମୀ ଅଛନ୍ତି। ଏହା କିନ୍ତୁ ବ୍ରାଜିଲର ଯୁବ ତାରକା ନେମାରଙ୍କଠାରୁ କମ୍। ଇନଷ୍ଟାଗ୍ରାମ ଧନୀ କ୍ରୀଡ଼ାବିତ୍‌ ତାଲିକାରେ ରୋନାଲଡୋ (ପ୍ରତି ପୋଷ୍ଟ ପାଇଁ ୯୭୫୦୦୦ ଡଲାର) ପ୍ରଥମ ସ୍ଥାନରେ ଥିଲା ବେଳେ ନେମାର (ପ୍ରତିପୋଷ୍ଟ ପାଇଁ ୭୨୨୦୦୦ ଡଲାର) ଦ୍ବିତୀୟ ଏବଂ ଲିଓନେଲ ମେସି (ପ୍ରତିପୋଷ୍ଟ ପାଇଁ ୬୪୮୦୦୦ ଡଲାର) ତୃତୀୟ ସ୍ଥାନରେ ରହିଛନ୍ତି। ଡେଭିଡ୍ ବେକହାମ (୩୫୭୦୦୦ ଡଲାର), ଲି’ବ୍ରନ୍ ଜେମ୍ସ (ବାସ୍କେଟବଲ୍, ୨୭୨୦୦୦ ଡଲାର), ରୋନାଲଡିନୋ (ଫୁଟବଲ୍ ୨୫୬୦୦୦ ଡଲାର), ଗ୍ୟାରେଥ ବାଲେ (ଫୁଟବଲ୍ ୨୧୮୦୦୦ ଡଲାର), ଜଲଟାନ ଇବ୍ରାହିମୋଭିକ (୨,୦୦,୦୦୦ ଡଲାର), ବିରାଟ କୋହଲି (୧୯୬୦୦୦ ଡଲାର) ଓ ଲୁଇସ୍ ସୁଆରେଜ୍ (ଫୁଟବଲ୍ ୧୮୪୦୦୦ ଡଲାର) ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି। ଇନଷ୍ଟାଗ୍ରାମ୍ ଶୀର୍ଷ ୧୦୦ ଧନୀ ତାଲିକାରେ ବିରାଟଙ୍କ ଛଡ଼ା କେବଳ ପ୍ରିୟଙ୍କା ଚୋପ୍ରା ଅଛନ୍ତି। ଇନଷ୍ଟାଗ୍ରାମ ମହିଳା ଧନୀ ତାଲିକାରେ ରଣ୍ଡା ରୋସି (୬୭୭୦୦୦ ଡଲାର) ଓ ସେନେରା ୱିଲିୟମ୍ସ (୬୦,୫୦୦) ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର