ପୃଥ୍ବୀ ସ’ ଆହତ; ପ୍ରଥମ ଟେଷ୍ଟ୍‌ରୁ ବାଦ୍‌

ନୂଆଦିଲ୍ଲୀ: ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳକୁ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଝଟ୍‌କା ଲାଗିଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ସହ ଖେଳୁଥିବା ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ ବେଳେ ଉଦୀୟମାନ ଯୁବ ପ୍ରାରମ୍ଭିକ ବ୍ୟାଟ୍‌ସ୍‌ମ୍ୟାନ୍‌ ପୃଥ୍ବୀ ସ ଆହତ ହୋଇଛନ୍ତି। ଅଭ୍ୟାସ ମ୍ୟାଚ୍‌ର ତୃ୍ତୀୟ ଦିବସରେ ସେ ଏକ କ୍ୟାଚ୍‌ ନେବାକୁ ପ୍ରୟା‌ସ କରୁଥିଲା ବେଳେ ତାଙ୍କ ଗୋଇଠିରେ ପୃଥ୍ବୀ ଆଘାତ ପାଇଛନ୍ତି। ଗୋଇଠିରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆରେ ପଡ଼ି ରହିଥିଲେ। ତୁରନ୍ତ ଦଳର ଫିଜିଓ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଟେକିଟେକି ଚେଜିଂ ରୁମ୍‌କୁ ଆଣିଥିଲେ। ସେଠାରେ ମଧ୍ୟ ଯନ୍ତ୍ରଣା ନକମିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ତାଙ୍କ ଗୋ‌ଇଠିର ସ୍କାନ୍‌ କରାଯାଇଛି। ତାଙ୍କୁ ଅତି କମ୍‌ରେ ଗୋଟିଏ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଆସନ୍ତା ୬ ତାରିଖରୁ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ଟେଷ୍ଟ୍‌ ପରେ ତାଙ୍କ ଅବସ୍ଥାର ଆକଳନ କରାଯାଇ ଦ୍ବିତୀୟ ଟେଷ୍ଟ୍‌କୁ ଫିଟ୍‌ ହେବା ନା ନାହିଁ କୁହାଯିବ। ପୃଥ୍ବୀଙ୍କ ଆହତ ଓ ବାଦ୍‌ ପଡ଼ିବା ଭାରତୀୟ ଦଳ ପାଇଁ ଶକ୍ତ ଝଟ୍‌କା ଲାଗିଛି। କାରଣ ଲୋକେଶ ରାହୁଲ୍‌ ଫର୍ମରେ ନଥିଲା ବେଳେ ପୃଥ୍ବୀ ହିଁ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳାରେ ପାଳି ଆରମ୍ଭ କରିବାର ପ୍ରଥମ ପସନ୍ଦ ଥିଲେ। ହେଲେ ତାଙ୍କ ଆହତ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ର ସମସ୍ୟା ବଢ଼ାଇ ଦେଇଛି। ତଥାପି ଯଦି ପୃଥ୍ବୀଙ୍କ ବଦଳ ଖେଳାଳି ଆଣିବା ପାଇଁ ଭାରତ ନିଷ୍ପତ୍ତି ନିଏ, ତାହାଲେ ଦଳରୁ ବାଦ୍‌ ପଡ଼ିଥିବା ବାମହାତୀ ଶିଖର ଧାୱନ୍‌ କିମ୍ବା ନବାଗତ ମୟଙ୍କ ଅଗ୍ରୱାଲଙ୍କୁ ଡାକିବାର ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର