ରବୀନ୍ଦ୍ର ଜାଦେଜା ଧୋନିଙ୍କୁ ପ୍ରଶଂସାରେ ପୋତିଲେ; କହି‌ଲେ ‘ବେଷ୍ଟ୍‌ ଫିନିସର୍’

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ନିକଟରେ ଏବେ ବି ମ୍ୟାଚ୍‌ ଫିନିସ୍ କରିବାର ଦକ୍ଷତା ଓ କଳା ଭରପୁର ଅଛି ବୋଲି ଗୁରୁବାର ରାତିରେ ସେ ପ୍ରମାଣିତ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶେଷ ୪ ବଲ୍‌ରୁ ୧୬ ରନ୍‌ ଆଦାୟ କରି ଧୋନି ମ୍ୟାଚ୍‌ ଶେଷ କରିବା ପରେ ଏବେ ତାଙ୍କ ନିକଟକୁ ପ୍ରଶଂସକ ଓ କ୍ରିକେଟରଙ୍କ ପ୍ରଶଂସାର ସୁଅ ଛୁଟିଛି। ଯେଉଁମାନେ ୪୧ ବର୍ଷୀୟ ଧୋନିଙ୍କୁ ବୁଢ଼ା କହି ସମାଲୋଚନା କରୁଥିଲେ ଏବେ ସେମାନେ ମାହିଙ୍କୁ ପ୍ରଶଂସା କରିବାକୁ ଆଗେଇ ଆସିଛନ୍ତି। ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ମାହି ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବା ବେଳେ ଡଗ୍ ଆଉଟ୍‌ରୁ ବାହାରି ଅଧିନାୟକ ରବୀନ୍ଦ୍ର ଜାଦେଜା ପ୍ରଥମେ ମାହିଙ୍କୁ ସ୍ବାଗତ କରିଥିଲେ। ହାତରେ ହାତ ମିଳାଇବା ପୂର୍ବରୁ ମୁଣ୍ଡରୁ ଟୋପି କାଢ଼ି ସେ ନତମସ୍ତକ ହୋଇ ଧୋନିଙ୍କୁ କୃତଜ୍ଞତା ଜଣାଇବାର ଦୃଶ୍ୟ ବିରଳ ଥିଲା। ଜାଦେଜା କହିଥିଲେ, ‘ଆମେ ବାସ୍ତବରେ ଉତ୍ତେଜକ ପରିସ୍ଥିତିରେ ଥିଲୁ, ୪ କ୍ୟାଚ୍‌ ଛାଡିଥିଲୁ, ମୁଁ ୨ଟି ଛାଡ଼ିଥିଲି। ମାହି ଗୋଟିଏ ଷ୍ଟମ୍ପିଂ ଛାଡିଥିଲେ। ଧୋନି କିନ୍ତୁ ବିଶ୍ବକୁ‌ ଦେଖାଇ ଦେଲେ ଯେ ସେ ଏବେ ବି ଅଛନ୍ତି ଓ ମ୍ୟାଚ୍‌ ଫିନିସ୍ କରିପାରିବେ’।

ଅନ୍ୟପକ୍ଷରେ ବିଗତ କିଛି ଦିନ ହେବ ଦୀନେଶ କାର୍ତିକଙ୍କୁ ବେଷ୍ଟ୍ ଫିନିସର୍‌ କହୁଥିବା ପ୍ରଶଂସକମାନେ ଏବେ ପୁଣି ମହେନ୍ଦ୍ର ସିଂହ ଧୋନିଙ୍କ ଆଡକୁ ମନ ବଳାଇଛନ୍ତି। ଏପରିକି ମାହିଙ୍କୁ ଶ୍ରେଷ୍ଠ ଫିନିସର୍‌ କହିବାକୁ ପଛାଇନାହାନ୍ତି। ଧୋନି ତାଙ୍କ ଫିନିସିଂ ସାମର୍ଥ୍ୟ ପୁଣି ଦେଖାଇ ଦେଇଛନ୍ତି‌ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଅଜୟ ଜାଦେଜା। ସବୁଠୁ ଭିନ୍ନ କଥା ହେଉଛି ଧୋନି ପଡ଼ିଆକୁ ଆସିବା ମାତ୍ରେ ବୋଲରମାନେ ତାଙ୍କ ବିଷୟରେ ଚିନ୍ତା କରିବସନ୍ତି ଏବଂ ଚାପରେ ପଡନ୍ତି। ସିଏସ୍‌କେ ଅଧିନାୟକ ରବୀନ୍ଦ୍ର ଜାଦେଜା ମଧ୍ୟ ମାହିଙ୍କୁ ଏବେ ବି ଶ୍ରେଷ୍ଠ ଫିନିସର କହିଛନ୍ତି। କେବଳ ଭାରତୀୟ କ୍ରିକେଟର୍‌ ନୁହଁନ୍ତି ବିଦେଶୀ ଖେଳାଳିମାନେ ମଧ୍ୟ ମାହିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମାହିଙ୍କ ପାଇଁ ଗୁରୁବାର ରାତିଠୁ ଟ୍ବିଟ୍‌ର ଓ ଫେସ୍‌ ବୁକ୍‌ ଚଳଚଞ୍ଚଳ ହୋଇଥିବା ବେଳେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ର ବହୁ ପୂର୍ବତନ ଖେଳାଳି ଏଥିରେ ମାହିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ସମ୍ବନ୍ଧିତ ଖବର