ବିଦେଶୀ ଲିଗ୍ ଖେଳିବା ଅନୁମତି ଦେବାକୁ ରାଇନାଙ୍କ ଦାବି

ସ୍ବତନ୍ତ୍ରତା ରହିବନି: ବିସିସିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇ ନଥିବା ସହ ଢେର କିଛି ଦିନ ହେବ ଭାରତୀୟ ଦଳର ପ୍ରତିନିଧିତ୍ବ କରି ନଥିବା ବରିଷ୍ଠ ଖେଳାଳିମାନଙ୍କୁ ବିଦେଶୀ ଲିଗ୍ ଖେଳିବା ପାଇଁ ଅନୁମତି ଦେବାକୁ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଦାବି କରିଛନ୍ତି। ଏହି ବିଷୟ ବିଚାରକୁ ନେବାକୁ ସେ ରବିବାର ବିସିସିଆଇକୁ ଅନୁରୋଧ କରିଛନ୍ତି। ଏହା ବରିଷ୍ଠ ଖେଳାଳିଙ୍କୁ ପୁଣି ଥରେ ଜାତୀୟ ଦଳକୁ ଫେରିବାର ସୁଯୋଗ ଦେବ ବୋଲି ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଥିବା ରାଇନା ଆଶା ପ୍ରକାଶ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ସହ ଏକ ଇନଷ୍ଟାଗ୍ରାମ୍ ଲାଇଭ୍ ଚାଟ୍‌ରେ ଅଂଶଗ୍ରହଣ କରି ରାଇନା କହିଛନ୍ତି ଯେ ମୁଁ ଭାବୁଛି ୟୁସୁଫ ପଠାନ, ରବିନ ଉଥାପ୍ପା ଓ ମୋ ଭଳି ବହୁତ ଖେଳାଳି ଅଛନ୍ତି, ଯେଉଁମାନେ ବିଦେଶ ଯାଇ ଅନେକ କିଛି ଶିଖି ପାରିବେ, ସେମାନେ କେଉଁ ଲିଗ୍ ଖେଳୁଛନ୍ତି, ତାହା ବିଶେଷ ଗୁରୁତ୍ବ ରଖେନି। ଅନ୍ୟୁନ ଦୁଇଟି ବିଦେଶୀ ଲିଗ୍ ଖେଳିବାକୁ ଆମକୁ ଅନୁମତି ମିଳୁ।

ଆମେ ବିସିସିଆଇ ଚୁକ୍ତିରେ ନାହୁଁ। ଆମ ଭିତରୁ କିଛି ଖେଳାଳିଙ୍କ ପାଖରେ ଆଇପିଏଲ୍ ଚୁକ୍ତି ମଧ୍ୟ ନାହିଁ। ଆମେମାନେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁନୁ। ଆମ ଘରୋଇ ପ୍ରତିଯୋଗିତା ବି ଅନ୍ତର୍ଜାତୀୟ ସ୍ତରର ନୁହେଁ। ସିପିଏଲ୍ ହେଉ କିମ୍ବା ବିଗ୍ ବାସ୍, ଦୁଇ ତିନି ମାସର ଉଚ୍ଚଗୁଣମାନ କ୍ରିକେଟ୍ ଖେଳିବା ଅମକୁ ଯଥେଷ୍ଟ ସହାୟ ହେବ। ଜାତୀୟ କର୍ତ୍ତବ୍ୟ ପାଇଁ ପ୍ରସ୍ତୁତ ରହିବାରେ ମଧ୍ୟ ଏହା ଆମକୁ ଯଥେଷ୍ଟ ସହାୟ ହେବ। ବିଦେଶୀ ଖେଳାଳିମାନେ ଏଭଳି ଲିଗ୍ ଖେଳୁଛନ୍ତି। ଏହାକୁ ମାଧ୍ୟମ କରି ବହୁ ଖେଳାଳି ମଧ୍ୟ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଚୟନକର୍ତ୍ତା ଯଦି ଭାବୁଛନ୍ତି, ସେମାନଙ୍କ ପାଖରେ ୪୦-୫୦ ଜଣିଆ ଖେଳାଳି ପୁଲ୍ ଅଛି ଏବଂ ଏହି ତାଲିକା ବାହାରେ ଥିବା ଖେଳାଳିଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଯୋଗ୍ୟତା ନାହିଁ କିମ୍ବା ସେମାନେ ନିଜ ଶ୍ରେଷ୍ଠ ସମୟ ଅତିକ୍ରମ କରି ସାରିଛନ୍ତି, ତାହାଲେ ସେମାନେ ଆମକୁ ବାହାରେ ଖେଳିବାର ଅନୁମତି ଦିଅନ୍ତୁ। ଏହା ଦ୍ବାରା ଅନ୍ତତଃ ଆମେ କିଛି ଶିଖି ପାରିବୁ।

ସୂଚନାଯୋଗ୍ୟ ଯେ ସକ୍ରିୟ ଭାରତୀୟ ଖେଳାଳିଙ୍କ ବିଦେଶୀ ଲିଗ୍ ଖେଳିବା ଉପରେ ବିସିସିଆଇ ଅଙ୍କୁଶ ଜାରି କରିଛି। କେବଳ ଅବସରପ୍ରାପ୍ତ ଖେଳାଳି ଯେମିତିକି ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହଙ୍କ ଭଳି ଖେଳାଳି ବିଦେଶରେ ଖେଳିବାର ଅନୁମତି ପାଇଛନ୍ତି। ସ୍ପିନର ହରଭଜନ ସିଂହ ଇଂଲଣ୍ଡର ‘ହଣ୍ଡ୍ରେଡ୍’ ପ୍ରତିଯୋଗିତା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଆଇପିଏଲ୍ ଖେଳିବା ଜାରି ରଖିବା ଲାଗି ପରେ ଏଥିରୁ ଓହରି ଯାଇଥିଲେ।

ସ୍ବତନ୍ତ୍ରତା ରହିବନି: ବିସିସିଆଇ
ତେବେ ରାଇନାଙ୍କ ଦାବିକୁ ବିସିସିଆଇର ଜଣେ ଅଧିକାରୀ ଗ୍ରହଣ କରିନାହାନ୍ତି। ଏହାଦ୍ବାରା ଭାରତୀୟ ଖେଳାଳିଙ୍କର ସ୍ବତନ୍ତ୍ରତା ରହିବନି। ”ସେମିତି ବି ଆମେ ଆଇପିଏଲ୍ ନିଲାମ ବେଳେ ଭାରତୀୟ ଖେଳାଳିମାନେ ଯେଭଳି ଭାବେ ଉଚ୍ଚ ଦରରେ ବିକ୍ରି ହୁଅନ୍ତି ତାହା ଉପରେ ବିଶେଷ ଧ୍ୟାନ ଦେଉ। ସେମାନଙ୍କ ମୂଲ୍ୟ ଓ ମହତ୍ବ ବଜାୟ ରଖିବା ଆମ ଦାୟିତ୍ବ।” ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ”ଅବସର ଦ୍ବାର ଦେଶରେ ଥିବା କିମ୍ବା ଭାରତୀୟ ଦଳକୁ ଫେରିବାକୁ ସଂଘର୍ଷ କରୁଥିବା ଖେଳାଳିମାନେ ଏଭଳି ମତ ଦେବା ସ୍ବାଭାବିକ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ନିଜ ଭବିଷ୍ୟତ କଥା ଚିନ୍ତା କରିବାର ଅଧିକାର ସେମାନଙ୍କର ଅଛି।” ବୋଲି ସଂପୃକ୍ତ ଅଧିକାରୀ ଜଣକ ସ୍ପଷ୍ଟ କରି ଦେଇଛନ୍ତି। ତେବେ ବିସିସିଆଇ ଓ ଭାରତୀୟ କ୍ରିକେଟ୍‌ର ହିତ ଦୃଷ୍ଟିରୁ ଅଣଚୁକ୍ତିବଦ୍ଧ ଖେଳାଳିଙ୍କ ମୂଲ୍ୟ ଯେମିତି ଉଚ୍ଚ ରୁହେ, ସେ ଦାୟିତ୍ବ ଆମର। ମୋ ମତରେ ଆଇପିଏଲରେ ଅଂଶ ଥିବା ମାଲିକମାନେ ବିଦେଶୀ ଲିଗର ମାଲିକାନା ସତ୍ତ୍ବ କିଣିବାରୁ ବିରତ ରହିବାକୁ ସେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର