ରାଜେଶ କ୍ରିକେଟର୍‌ ଅଫ୍‌ ଦି ଇୟର, ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ ପୁରସ୍କାର ପ୍ରଦାନ

ଭୁବନେଶ୍ବର: ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ପକ୍ଷରୁ ରବିବାର ପ୍ରଦାନ କରାଯାଇଛି ଚଳିତ ବର୍ଷର କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର। ୨୭ତମ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି ୨୦୧୮-୧୯ ରଣଜୀ ଋତୁର ସଫଳ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଏବଂ ଷଷ୍ଠ ମହିଳା କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ମିଳିଛି ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କୁ। ଉଭୟଙ୍କୁ ସ୍ବତନ୍ତ୍ର ଟ୍ରଫି, ବ୍ଲେଜର, ମାନପତ୍ର ସହ ୩୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଦଲିପ ଟ୍ରଫି ଖେଳିବା ଲାଗି ଭାରତ ବ୍ଲୁ ଦଳରେ ସ୍ଥାନ ପାଇଥିବାରୁ ରାଜେଶ ଏହି ପୁରସ୍କାର ଉତ୍ସବରେ ଯୋଗ ଦେଇପାରିନଥିଲେ। ତାଙ୍କ ପ୍ରତିନିଧି ଭାବେ ପୂର୍ବରୁ ଏହି ପୁରସ୍କାର ପାଇଥିବା ତଥା ରାଜେଶଙ୍କ ଗୁରୁ ଦୀପକ ମଙ୍ଗରାଜ ପୁରସ୍କାର ଗ୍ରହଣ କରିଥିଲେ। ଗତ ଋତୁରେ ‌ମହିଳା କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲ କରିଥିବା ପ୍ରିୟଙ୍କା ନିଜେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲା ବେଳେ ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍‌ ତଥା କନିଷ୍ଠ ଭାରତୀୟ କ୍ରିକେଟ୍‌ ଦଳର ଚୟନକର୍ତା ଦେବାଶିଷ ମହାନ୍ତି, ସହିଦ ସ୍ପୋର୍ଟିଂ କ୍ଲବ୍‌ର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋ‌ଗଦେଇଥିଲେ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ସଭା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ପ୍ରଥମ ଥର ଲାଗି ଉଭୟ ପୁରୁଷ ଏବଂ ମହିଳାଙ୍କ ପୁରସ୍କାର ରାଶିକୁ ସମାନ ପରିମାଣ କରାଯାଇଛି। ଆସନ୍ତା ବର୍ଷ ଏହାକୁ ବଢ଼ାଇବା ଲାଗି ପୂର୍ବତନ ବିଜେତା ତଥା ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ାଙ୍କ ଅନୁରୋଧକୁ ପ୍ରାୟୋଜକ ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ପରିଚାଳନା ନିର୍ଦେଶକ ଶ୍ରୀ ସିଂହ ସମ୍ମତି ଦେବା ସହ ଚୟନ ସମିତି ଉପରେ ନିଷ୍ପତ୍ତି ଛାଡ଼ିଥିଲେ।

ସମ୍ବନ୍ଧିତ ଖବର