ସର୍ଦାରଙ୍କ ସନ୍ୟାସ

ଚଣ୍ଡିଗଡ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦରା ସିଂହ ବୁଧବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଏସିଆଡ୍‌ରେ ଭାରତ ସ୍ୱର୍ଣ୍ଣ ପଦକ ବଜାୟ ରଖିବାରେ ବିଫଳ ହେବା ଏହାର କାରଣ ବୋଲି ସର୍ଦାର ସଂକେତ ଦେଇଛନ୍ତି। ହରିଆଣାର ଏହି ପୁରୁଖା ଖେଳାଳି ଗତ ୧୨ ବର୍ଷ ଧରି ଭାରତୀୟ ହକି ଦଳର ନିୟମିତ ସଦସ୍ୟ ରହି ଆସିଥିଲେ। ତେବେ ବୟସ ବଢ଼ିବା ସହ ସେ ଆଉ ଆଗ ଭଳିଆ ହକି ଖେଳି ପାରୁ ନଥିଲେ। ଏସିଆଡ୍‌ରେ ତାଙ୍କ ପ୍ରଦର୍ଶନ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତାଙ୍କ ଗତି ପୂର୍ବାପେକ୍ଷା ଢ଼େର କମି ଯାଇଥିଲା। ଏଣୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ମୁଁ ଆଜି ଅବସର ଘୋଷଣା କରୁଛି ବୋଲି ସର୍ଦାର କହିଛନ୍ତି। ହେଲେ ଅଷ୍ଟାଦଶ ଏସିଆଡ୍‌ ଖେଳୁଥିଲା ବେଳେ ସେ ଭିନ୍ନ ମତ ପୋଷଣ କରିଥିଲେ। ଏବେବି ମୋ ପାଖରେ ବହୁତ ହକି ବାକି ଅଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ମୋ ଶେଷ ଇଚ୍ଛା ବୋଲି ସର୍ଦାର ସେତେବେଳେ କହିଥିଲେ। ଏଣୁ ଆଜି ସେ ଅବସର ନେବାର ଅନ୍ୟ କିଛି କାରଣ ଅଛି ବୋଲି ଆଲୋଚନା ହେଉଛି। ଆସନ୍ତା ୧୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ସ୍ଥାନ ନମିଳିବା ସର୍ଦାର ଅଚାନକ ଅବସର ଘୋଷଣା କରିବାର ମୁଖ୍ୟ କାରଣ ବୋଲି କେତେକ ପୂର୍ବତନ ହକି ଖେଳାଳି କହିଛନ୍ତି। ଚୟନକର୍ତା ଏବେ ଯୁବ ଖେଳାଳିଙ୍କୁ ଜାତୀୟ ଦଳରେ ନେବାକୁ ଚାହୁଁଥିବାରୁ ସର୍ଦାର ସେମାନଙ୍କ ପଥ ଅବରୋଧ ନକରିବା ଲାଗି ଅବସର ନେଇଥିବା ମଧ୍ୟ ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ହରିଆଣାର ସିରସାରେ ଜନ୍ମ ଗ୍ରହଣ କରିଥିବା ସର୍ଦାର ଚଳିତ ବର୍ଷ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସ୍ଥାନ ପାଇ ନଥିଲେ। ହେଲେ କଠିନ ପରିଶ୍ରମ କରି ନିଜ ଫିଟ୍‌ନେସ୍‌ ସୁଧାରିବା ସହ ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷିତ ଭାରତୀୟ ଦଳକୁ ସେ ଫେରିଥିଲେ। ସେହି ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକ ଜିତିଥିଲା। ଏସିଆଡ୍‌ରେ କିନ୍ତୁ ସେ ସେହି ସଫଳତା ଦୋହରାଇ ପାରି ନଥିଲେ।

ସମ୍ବନ୍ଧିତ ଖବର