ଅଷ୍ଟ୍ରେଲିଆକୁ ଭାରତ ଅଖାରେ ପୂରାଇ ଛେଚିଲା: ଅଖତର

ଲାହୋର : ଆଡିଲେଡ୍ ଟେଷ୍ଟ୍‌ରେ ଭାରତ ଯେତେବେଳେ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ‌ହେଲା, ସେତେବେଳେ ଟିମ୍ ଇଣ୍ଡିଆକୁ କଡ଼ା ଭାଷାରେ କଟାକ୍ଷ କରିବା ସହ ତାଚ୍ଛଲ୍ୟ କରିବାକୁ ପଛାଇ ନଥିଲେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଭାରତ ଏବେ ମେଲବର୍ନରେ କଙ୍ଗାରୁ ସେନାକୁ ଧରାଶାୟୀ କରିବା ପରେ ଅଖତର ତାଙ୍କ ସ୍ବର ବଦଳାଇ ଦେଇଛନ୍ତି। ଭାରତୀୟ ଖେଳାଳିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ସେ। ବୁଧବାର ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଥିବା ଏକ ଭିଡିଓରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବ ଶୈଳୀକୁ ବେଶ୍ ପସନ୍ଦ କରିବା ସହ ଘରୋଇ ଅଷ୍ଟ୍ରେଲିଆକୁ ଅଖାରେ ପୂରାଇ ଭାରତ ଅଦା ଛେଚିଲା ଭଳି ‌ଛେଚିଲା ବୋଲି କହିଛନ୍ତି। ସେହିଭଳି ୩୬ ରନ୍‌ର ଐତିହାସିକ ବିପର୍ଯ୍ୟୟକୁ ଭୁଲି ଭାରତ ଯେଭଳି ପ୍ରଦର୍ଶନ କଲା ତାହା ସେମାନଙ୍କ ବଳିଷ୍ଠ ଓ ଲଢ଼ୁଆ ଚରିତ୍ରକୁ ପରିପ୍ରକାଶ କରୁଛି ବୋଲି ମଧ୍ୟ କହିଥିଲେ ସେ।

ମୁରଲୀଧରନ୍‌ଙ୍କୁ ଟପିଲେ ଅଶ୍ବିନ୍‌
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ମେଲ୍‌ବର୍ନ ଟେଷ୍ଟ୍‌ରେ ଭାରତର ମହାବିଜୟର ଅନ୍ୟତମ କର୍ଣ୍ଣଧାର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ନିଜ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରେ ସବୁଠୁ ଅଧିକ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାରେ ଏହି ଭାରତୀୟ ସ୍ପିନର ସିଂହଳୀ କିଂବଦନ୍ତି ସ୍ପିନର ମୁଥେୟା ମୁରଲୀଧରନ୍‌ଙ୍କୁ ଟପି ଯାଇଛନ୍ତି। ମେଲ୍‌ବର୍ନରେ ଶେଷ ହୋଇଥିବା ବକ୍ସିଂ ଡେ’ ଟେ‌ଷ୍ଟ୍‌ରେ ଜୋସ୍‌ ହାଜେଲଉଡ୍‌ଙ୍କୁ ଆଉଟ୍‌ କରି ଏହି ମାଇଲଖୁଣ୍ଟରେ ପହଞ୍ଚି ଯାଇଥିଲେ। ଅଶ୍ବିନ୍‌ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ୍‌ରେ ୧୦ ୱିକେଟ୍‌ ଅକ୍ତିଆର କରିସାରିଲେଣି। ମୋଟ ୮୦୦ ଟେଷ୍ଟ୍‌ ୱିକେଟ୍‌ ସହ ଅଗ୍ରଣୀ ବୋଲର ରହିଥିବା ମୁରଲୀଧରନ୍‌ ତାଙ୍କ ଲମ୍ବା କ୍ୟାରିୟର ମଧ୍ୟରେ ୧୯୧ ଜଣ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଶିକାର କରିଥିଲେ। ହେଲେ ମଙ୍ଗଳବାର ଅଶ୍ବିନ୍‌ ତାଙ୍କୁ ଅତିକ୍ରମ କରିଯାଇଛନ୍ତି। ଫଳରେ ମୁରଲୀଧରନ୍‌ ଦ୍ବିତୀୟକୁ ଖସି ଯାଇଛନ୍ତି। ଅଶ୍ବିନ୍‌ (୧୯୨) ଓ ମୁରଲୀ (୧୯୧)ଙ୍କ ବ୍ୟତୀତ ଏହି ମାଇଲଖୁଣ୍ଟ କ୍ଲବ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ (୧୮୬), ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା ଏବଂ ସ୍ପିନ୍‌ କିଂବଦନ୍ତି ସେନ୍‌ ୱର୍ନ (ପ୍ରତ୍ୟେକ ୧୭୨) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର