ଟି-୨୦ ବିଶ୍ବକପ୍‌ ଜୈବ ବଳୟ‌ରେ ସୋଏବ-ସାନିଆ

ଦୁବାଇ: ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଏହି ଦଳର ବ୍ୟାଟର୍‌ ସୋଏବ ମଲିକଙ୍କ ସହ ଭାରତୀୟ ଟେନିସ୍‌ ତାରକା ତଥା ତାଙ୍କ ପତ୍ନୀ ସାନିଆ ମିର୍ଜା ସେଠାକାର ଜୈବ ବଳୟରେ ପ୍ରବେଶ କରିଛନ୍ତି। ଏହି ତାରକା ଦମ୍ପତିଙ୍କ ସହ ମଧ୍ୟ ସେମାନଙ୍କ ପୁଅ ଇଜ୍‌ହାନ୍‌ ରହିଛନ୍ତି। ଏହାର କିଛିଦିନ ପୂର୍ବରୁ ସାନିଆ ସାମାଜିକ ଗଣମାଧ୍ୟମରେ ପଛପଟେ ଟେନିସ କୋର୍ଟ ଥିବା ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ। ଏହାର ‌ଶିରୋନାମାରେ ସେ ଲେଖିଥିଲେ ଯେ ‘‘ମୁଁ ଗତ ଦୁଇ ଦିନ ହେଲା ସଂଗରୋଧରେ ରହିଛି ଏବଂ ଜୈବ ବଳୟକୁ ଯିବା ଲାଗି ସଂଘର୍ଷ କରୁଛି’’। ପାକିସ୍ତାନ ରବିବାର ତା’ର ଚିରପ୍ରତିନ୍ଦ୍ବନ୍ଦ୍ବୀ ଭାରତ ସହ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ସୂଚନାଯୋଗ୍ୟ ଯେ ଖେଳାଳିମାନେ ସେମାନଙ୍କ ପରିବାର ସହ ଜୈବ ବଳୟରେ ପ୍ରବେଶ କରିବାର ଅନୁମତି ଆଇସିସି ପୂର୍ବରୁ ଦେଇଛି। ଫଳରେ ପ୍ରାୟ କ୍ରିକେଟର୍‌ ନିଜ ନିଜ ପରିବାର ଏବଂ ବାନ୍ଧବୀଙ୍କ ସହ ୟୁଏଇ ଓ ଓମାନ ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର