ଆଜିଠୁ ପୂର୍ବାଞ୍ଚଳ ସ୍ନୁକର: ଭ‌ାଗନେବେ ୭୦ ଖେଳାଳି

ଭୁବନେଶ୍ବର : ସିକ୍ସପକେଟ୍ସ ଆନୁକୂଲ୍ୟରେ ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ପ୍ରାୟୋଜିତ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା ଗୁରୁବାରଠୁ ଭୁବନେଶ୍ବର ପଟିଆ ସ୍ଥିତ ସିକ୍ସପକେଟ୍ସଠାରେ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ପାଖାପାଖି ୭୦ ପ୍ରତିଯୋଗୀ ଭାଗନେବେ। ‌ଏଥିରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରୁ ୨୦ ଖେଳାଳି ଅଂଶଗ୍ରହଣ କରିବାକୁ ସମ୍ମତି ଦେଇଥିବା ବୁଧବାର ଅନୁ‌ଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିକ୍ସପକେଟ୍ସର ପ୍ରତିଷ୍ଠାତା ଜିତେନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ସାବାଜ ଖାନ୍‌ଙ୍କୁ ଶୀର୍ଷ ମାନ୍ୟତା ମିଳିଥିଲା ବେଳେ ରେଳବାଇର ନୀରଜ କୁମାର, ଓଡ଼ିଶାର ସୁବ୍ରତ ଦାସ, ଆଶୁତୋଷ ପାଢ଼ୀ, ପଶ୍ଚିମବଙ୍ଗର ମନୀଷ ଜୈନ, ଓଡ଼ିଶାର ଆକାଶ ମହାପାତ୍ରଙ୍କୁ ଯଥାକ୍ରମେ ଦ୍ବିତୀୟରୁ ଷଷ୍ଠ ମାନ୍ୟତା ମିଳିଛି। ମ୍ୟାଚ୍‌ଗୁଡ଼ିକ ନକ୍‌ଆଉଟ୍‌ ପଦ୍ଧତିରେ ଖେଳାଯିବାକୁ ଥିଲାବେଳେ ମାନ୍ୟତା ଖେଳାଳିମାନେ ସିଧାସଳଖ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରୁ ଅଭିଯାନ ଆରମ୍ଭ କରିବେ। ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ମୋଟ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ବିଜେତା, ଉପବିଜେତା ଓ ସେମିଫାଇନାଲିଷ୍ଟଙ୍କୁ ଟ୍ରଫି ସହ ଯଥାକ୍ରମେ ୨୦,୦୦୦, ୧୦,୦୦୦ ଓ ୫,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଥିଲା ବେଳେ କ୍ବାର୍ଟର ଫାଇନାଲିଷ୍ଟ୍‌ଙ୍କୁ ୨,୫୦୦, ପ୍ରି-କ୍ବାର୍ଟର ଫାଇନାଲିଷ୍ଟ୍‌ଙ୍କୁ ୧,୨୫୦ ଏବଂ ସର୍ବାଧିକ ବ୍ରେକ୍‌ (୭୫ରୁ ଅଧିକ) ପଏଣ୍ଟ୍‌ ଅର୍ଜନ କରିଥିବା ଖେଳାଳିଙ୍କୁ ୫,୦୦୦ ଟଙ୍କା ଦିଆଯିବ। ଏଥିସହ ବିଭିନ୍ନ ସ୍ବତନ୍ତ୍ର ପୁରସ୍କାରର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତା ସଂଯୋଜକ ତଥା ବରିଷ୍ଠ ଖେଳାଳି ଗୋବିନ୍ଦ ଶର୍ମା ଏବଂ ବ୍ଲୁଟେକ୍‌ ପ୍ରଡକ୍ଟସର ମାଲିକ ମିଶାଲ ସ୍ବାଇଁ ଉପସ୍ଥିତ ଥିଲେ। ପ୍ରତ୍ୟେକ ଦିନ ୧୦ଟାରୁ ମ୍ୟାଚ୍‌ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଖେଳାଯିବ।

ସମ୍ବନ୍ଧିତ ଖବର