ପେରେରା ଶ୍ରୀଲଙ୍କା ଦିନିକିଆ ଦଳ ଅଧିନାୟକ

କଲମ୍ବୋ: ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ଅଲ୍‌ରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କା ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଫଳରେ ଗତମାସରେ ପାକିସ୍ତାନ ବିପକ୍ଷ ଲାହୋର ଟେ୍ଵଣ୍ଟି-୨୦ ଦଳର ବି ନେତୃତ୍ୱ ନେଇଥିବା ଭାରତ ବିପକ୍ଷ ସୀମିତ ଓଭର (ଉଭୟ ଦିନିକିଆ ଓ ଟେ୍ଵଣ୍ଟି-୨୦) ଶୃଙ୍ଖଳାରେ ଅଧିନାୟକ ରହିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଘୋଷଣା କରିଛି। ଦିନିକିଆ ମ୍ୟାଚ୍‌ରେ ନେତୃତ୍ୱ ନେବାରେ ଥିସାରାଙ୍କ ପାଇଁ ପ୍ରଥମ ଅଭିଜ୍ଞତା ରହିବ। ୨୮ ବର୍ଷ ବୟସ୍କ ଥିସାରା ୨୦୦୯ ପଦାର୍ପଣଠାରୁ ଏପର୍ଯ୍ୟନ୍ତ ୧୨୫ ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୦୯ ଥିଲେ ମଧ୍ୟ ହାରାହାରି ମାତ୍ର ୧୭ ରହିଛି। ପୁଣି ଜଣେ ବୋଲର ଭାବେ ସେ ୩୨.୬୨ ହାରରେ ୧୩୩ ଓ୍ଵିକେଟ୍‌ ଦଖଲ କରିଛନ୍ତି। ନିକଟରେ ପାକିସ୍ତାନ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଖିଦୃଶିଆ ନଥିଲା। ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସେ ୯୧ ରନ୍‌ କରିଥିଲା ବେଳେ ମାତ୍ର ୪ ଓ୍ଵିକେଟ୍‌ ପାଇଥିଲେ। ସେହିପରି ଟେ୍ଵଣ୍ଟି-୨୦ରେ ମାତ୍ର ୧୯ ରନ୍‌ କରିଥିଲା ବେଳେ ୩ ଓ୍ଵିକେଟ୍‌ ନେଇଥିଲେ। ଏହାସତ୍ତ୍ୱେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଥିସାରାଙ୍କ ଉପରେ ଭରସା ରଖିଛି। ସେ ପ୍ରଥମେ ପାକିସ୍ତାନରେ ଖେଳିବାକୁ ରାଜି ହୋଇଥିବାରୁ ବୋର୍ଡ ତାଙ୍କୁ ଏହି ପୁରସ୍କାର ଦେଇଛି।

ସମ୍ବନ୍ଧିତ ଖବର