ତାରକା ବନିବେ କିମ୍ବଦନ୍ତୀ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌ରେ ବହୁ ଅଲିମ୍ପିକ୍ସ ଓ ବିଶ୍ବକପ୍ ବିଜେତାଙ୍କ ସହ ଏଫ୍‌ଆଇଏଚ୍ ବର୍ଷର ଶ୍ରେଷ୍ଠ ଖେଳାଳି ଅଂଶ ଗ୍ରହଣ କରିବେ। ବେଲ୍‌ଜିୟମର ଅର୍ଥର ଭାନ୍ ଡୋରେନ୍, ଆଜେର୍ଣ୍ଟିନାର ଲୁକାସ ଭିଲ୍ଲା ଓ ଅଷ୍ଟ୍ରେଲିଆର ଦୁଇଟି ବିଶ୍ବକପ୍ ବିଜେତା ଏଡି ଓକେନଡେଙ୍କ ଭଳି ହକି ସୁପରଷ୍ଟାରଙ୍କୁ ଏଥିରେ ଦେଖିବାକୁ ମିଳିବ। ଏଠାରୁ ମଧ୍ୟ ଅନେକ ଉଦୀୟମାନ ଖେଳାଳି ନିଜ ବଳିଷ୍ଠ ପ୍ରଦର୍ଶନ ବଳରେ ତାରକା ହୋଇ ସ୍ବଦେଶ ଫେରିବେ। ନୂଆ ପିଢ଼ିର ଏହି ନୂଆ ହକି ନାୟକଙ୍କ ମଧ୍ୟରୁ ୬ ଜଣ ଭୁବନେଶ୍ବରରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବେ ବୋଲି ଆଶା କରାଯାଉଛି। ବିଶ୍ବ ହକିର ଏହି ୬ ଉଦୀୟମାନ ନବପ୍ରତିଭାଙ୍କ ଉପରେ ଆସନ୍ତୁ ନଜର ପକାଇବ।

ମାଇକୋ କାସେଲା-ଆର୍ଜେଣ୍ଟିନା
ବୟସ: ୨୧, ମ୍ୟାଚ୍: ୩୫
ଅଲିମ୍ପିକ୍ସ ବିଜେତା ଆଜେର୍ଣ୍ଟିନା ବିଶ୍ବକପ୍ ହକି ଦଳର ସର୍ବକନିଷ୍ଠ ଖେଳାଳି ହେଉଛନ୍ତି ମାଇକୋ କା‌ସେଲା। ୨୦୧୬ରେ ଲକ୍ଷ୍ନୌଠାରେ ଅନୁଷ୍ଠିତ କନିଷ୍ଠ ହକି ବିଶ୍ବକପ୍‌ରେ ସେ ବଳିଷ୍ଠ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ବଳରେ ହିଁ ତାଙ୍କୁ ଆର୍ଜେଣ୍ଟିନା ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୧ ବର୍ଷୀୟ କାସେଲା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ମାତିଆସ୍ ପରେଡେସ୍ ଏବଂ ଲାକାସ ଭିଲାଙ୍କ ମାର୍ଗଦର୍ଶନରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିଚାଲିଛନ୍ତି। କାସେଲାଙ୍କୁ ଜଣେ ଶ୍ରେଷ୍ଠ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ଉଭୟ ପରେଡେସ୍ ଓ ଭିଲା ମଧ୍ୟ ନିଜ ଦୀର୍ଘ ଅଭିଜ୍ଞତାକୁ ଭରପୁର ଉପଯୋଗ କରୁଛନ୍ତି। ୫ ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ କାସେଲା ୨୦୧୫ରେ ମାତ୍ର ୧୮ ବର୍ଷ ବୟସରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଅଗ୍ରଭାଗରେ ଖେଳି ସେ ଏ ପର୍ଯ୍ୟନ୍ତ ୩୫ ମ୍ୟାଚ୍‌ରେ ଆର୍ଜେଣ୍ଟିନାର ପ୍ରତିନିଧିତ୍ବ କରିଛନ୍ତି।

ଜେକ୍ ହାର୍ଭି-ଅଷ୍ଟ୍ରେଲିଆ
ବୟସ: ୨୦, ମ୍ୟାଚ୍: ୩୯
ଗତ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆ ହକି ଦଳର ଉଦୀୟମାନ ଯୁବ ପ୍ରତିଭା ହେଲେ ୨୦ ବର୍ଷୀୟ ଜେକ୍ ହାର୍ଭି। ୧୯୯୮ ମସିହା ମାର୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ହାର୍ଭି ରକ୍ଷଣଭାଗରେ ଖେଳୁଥିଲା ବେଳେ ୩୯ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଛନ୍ତି। ସେ ହେଉଛନ୍ତି ତିନିଟି ଅଲିମ୍ପିକ୍ସ ଖେଳିଥିବା ଗର୍ଡନ ପିଅର୍ସଙ୍କ ନାତି। ତାଙ୍କ ଚାରି ଭାଇ ଏବଂ ଦାଦା ମଧ୍ୟ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ବ କରିଛନ୍ତି। ଏଣୁ ହାର୍ଭିଙ୍କ ପ୍ରତିଟି ରକ୍ତ ବିନ୍ଦୁରେ ହକି ଭରି ରହିଛି। ଏଥର ଅଷ୍ଟ୍ରେଲିଆ ଭୁବନେଶ୍ବରରେ ବିଶ୍ବକପ୍ ବଜାୟ ରଖିବା ଲାଗି ଚେଷ୍ଟା କରିବ। ଏଥିରେ ହାର୍ଭିଙ୍କ ପ୍ରଦର୍ଶନର ଢେର ଗୁରୁତ୍ବ ରହିବ। ହାର୍ଭି ୨୦୧୭ ଭୁବନେଶ୍ବର ବିଶ୍ବ ହକି ଲିଗ୍ ଫାଇନାଲ୍ ଏବଂ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଟିମ୍ ହର୍ଜବ୍ରକ୍‌-ଜର୍ମାନି
ବୟସ: ୨୧, ମ୍ୟାଚ୍: ୫୪
ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଜର୍ମାନି ହକି ଦଳର ଯୁବ ତାରକା ହେଉଛନ୍ତି ଟିମ୍ ହର୍ଜବ୍ରକ୍। ଅଗ୍ରଭାଗରେ ଖେଳି ପ୍ରତିପକ୍ଷକୁ ଚକ୍‌ମା ଦେବାର ସେ ପୂରା ସିଦ୍ଧହସ୍ତ। ଲକ୍ଷ୍ନୌ କନିଷ୍ଠ ବିଶ୍ବକପ୍‌ରେ ହର୍ଜବକ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ପ୍ରଦର୍ଶନ ବଳରେ ତାଙ୍କୁ ୨୦୧୭ରେ ଜର୍ମାନି ଜାତୀୟ ଦଳରେ ସ୍ଥାନ ମିଳିଥିଲା। ସେବେଠାରୁ ହର୍ଜବକ୍ ଜର୍ମାନ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇ ଆସିଛନ୍ତି। ଆଘାତପ୍ରାପ୍ତ ହୋଇ ପୁନର୍ବାର ହକି ପଡ଼ିଆକୁ ଫେରିବା ପରେ ତାଙ୍କ ପ୍ରଦର୍ଶନରେ ଆହୁରି ଉନ୍ନତି ପରିଲକ୍ଷିତ ହେଉଛି।

ଦିଲ୍‌ପ୍ରୀତ ସିଂହ-ଭାରତ
ବୟସ: ୧୯, ମ୍ୟାଚ୍: ୩୬
ଭାରତୀୟ ବିଶ୍ବକପ୍ ଦଳର ସର୍ବକନିଷ୍ଠ ତାରକା ହେଉଛନ୍ତି ଦିଲ୍‌ପ୍ରୀତ ସିଂହ। ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ଆସ୍ଥା ପ୍ରକଟ ପାଇଁ ସେ ବିଶ୍ବକପ୍ ଖେଳିବାର ସୁଯୋଗ ପାଇଛନ୍ତି। ଏଣୁ ପଞ୍ଜାବର ଏହି ଯୁବ ବୀର ବିଶ୍ବକପ୍‌ରେ ବଳିଷ୍ଠ ପ୍ରଦର୍ଶନ କରି ହରେନ୍ଦ୍ରଙ୍କ ନିଷ୍ପତ୍ତିର ସମ୍ମାନ ରଖିବାକୁ ଚେଷ୍ଟା କରିବେ। ଗୋଲ୍ ବର୍ଷା ହେଉଛି ଦିଲ୍‌ପ୍ରୀତଙ୍କ ଅଭ୍ୟାସ ଓ ନିଶା। ୨୦୧୭ ସୁଲତାନ ଜୋହର କପ୍ ହକି ପ୍ରତିଯୋଗିତାରେ ସେ ଏକାକି ୬ ମ୍ୟାଚ୍‌ରେ ୯ ଗୋଲ୍ ଦେଇଥିଲେ। ଏହି ପ୍ରଦର୍ଶନ ବଳରେ ହିଁ ସେ ଜାତୀୟ ଦଳକୁ ଡାକରା ପାଇଥିଲେ। ବିଶ୍ବକପ୍ ତାଙ୍କ ପାଇଁ ନିଜ ଦକ୍ଷତା ଦେଖାଇବାର ବଳିଷ୍ଠ ସୁଯୋଗ ଭାବେ ଉଭା ହୋଇଛି।

ଜୋରିଟ୍ କ୍ରୁନ୍ -ନେଦରଲାଣ୍ଡ
ବୟସ: ୨୦, ମ୍ୟାଚ୍: ୫୬
୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଶିକ୍ଷକ ମ୍ୟାକ୍ସ କାଲଡାସ୍ ଯେତେବେଳେ ୧୭ ବର୍ଷୀୟ ଜୋରିଟ୍ କ୍ରୁନଙ୍କୁ ଦଳରେ ନେଲେ ନେଦରଲାଣ୍ଡରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। ଜୋରିଟ ଏତେ କମ୍‌ ବୟସରେ ନେଦରଲାଣ୍ଡ ଜାତୀୟ ଦଳରେ ସ୍ଥାନ ପାଇବା ନେଇ ଅନେକ ଖୋଲା ଖୋଲି ପ୍ରଶ୍ନ ଉଠାଇଥିଲେ। କାଲଡାସ୍ ଜୁଆ ଖେଳିଛନ୍ତି ବୋଲି ସେମାନେ ମତ ରଖିଥିଲେ। ହେଲେ କ୍ରୁନ ନିଜ ଜବରଦସ୍ତ ପ୍ରଦର୍ଶନ ବଳରେ ସମାଲୋ‌ଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ। ୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଥିବା କ୍ରୁନ୍ ୨୧ ବର୍ଷ ବୟସ ଛୁଇଁବା ପୂର୍ବରୁ ୟୁରୋପୀୟ ଟ୍ରଫି ଜିତି ନେଇଥିଲେ। ନେଦରଲାଣ୍ଡ ଦଳର ସେ ଏବେ ଜଣେ ପ୍ରମୁଖ ସଦସ୍ୟ ପାଲଟିଛନ୍ତି। ଭୁବନେଶ୍ବରରେ ସେ ଅନେକ ନୂଆ ପ୍ରଶଂସକ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

ଏନରିକ୍ ଗୋଞ୍ଜାଲେଜ୍-ସ୍ପେନ୍
ବୟସ: ୨୨, ମ୍ୟାଚ୍: ୭୩
ଏନରିକ୍ ଗୋଞ୍ଜାଲେଜ୍ ସ୍ପେନ୍ ହକି ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ଉଭା ହୋଇଛନ୍ତି। ଅଗ୍ରଭାଗରେ ଖେଳୁଥିବା ଏହି ୨୨ ବର୍ଷୀୟ ତାରକା ନିଜ ଗତି ଏବଂ ଷ୍ଟିକ୍ ଚାଳନାରେ ଅଭିଜ୍ଞ ରକ୍ଷଣଭାଗ ଖେଳାଳିଙ୍କୁ ଚକମା ଦେବାର ଦକ୍ଷତା ରଖନ୍ତି। ସେ ମଧ୍ୟ ଲକ୍ଷ୍ନୌ କନିଷ୍ଠ ହକି ବିଶ୍ବକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ସ୍ପେନ୍ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ‌କରିଥିବା ବଛା ବଛା ଖେଳାଳି ତାଲିକାରେ ସେ ରହିଥିଲେ। ଯେ କୌଣସି ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ସେ ପୂରା ସକ୍ଷମ।

ବାରବାଟୀ ଅନ୍‌ଲାଇନ୍‌ ଟିକେଟ୍‌ ରିଡେମ୍ପ୍‌ସନ୍‌ ୨୪ରୁ
ଭୁବନେଶ୍ବର: ହକି ବିଶ୍ବ କପ୍‌ ଲାଗି ଚଳିତ ମାସ ୨୮ ତାରିଖରେ କଟକର ବାରାବାଟୀ ଷ୍ଟାଡିୟମରେ ହେବାକୁଥିବା ଉତ୍ସବ ପାଇଁ ଗତ ୨୦ ତାରିଖରେ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା। ଶନିବାରଠୁ ଅନ୍‌ଲାଇନ୍‌ରୁ କିଣିଥିବା ଟି‌କେଟ୍‌କୁ ବଦଳାଇ ଅସଲି ଟିକେଟ୍‌ ନେଇପାରିବେ। ଏଥି ଲାଗି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ୪ ନମ୍ବର ଗେଟ୍‌ ନିକଟସ୍ଥିତ ବକ୍ସ ଅଫିସ୍‌ ଏବଂ କଟକର ମିସନ୍‌ରୋଡ୍‌ସ୍ଥିତ ୟୁନାଇଟେଡ୍‌ ଥିଓଲୋଜିକାଲ ସ୍କୁଲ, ଭୁବନାନନ୍ଦ ଓରିଶା ସ୍କୁଲ ଅଫ୍‌ ଇଂଜିନିୟରିଙ୍ଗ୍‌ (ବୋସ୍‌) ଓ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସାରଳା ଭବନ‌ଠାରେ କାଉଣ୍ଟର ଖୋଲାଯାଇଛି। ସକାଳ ୧୦ରୁ ସଂଧ୍ୟ ୫ଟା ପର୍ଯ୍ୟନ୍ତ କାଉଣ୍ଟର ଗୁଡ଼ିକ ଖୋଲା ରହିବ।

ଆଦିଦାସ ସହ ଯୋଡ଼ି ହେଲେ ମନ୍‌ପ୍ରୀତ୍‌
ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ ପାୱାର ବିଶ୍ବର ଅଗ୍ରଣୀ କ୍ରୀଡ଼ା ସାମଗ୍ରୀ ଯୋଗାଣ କମ୍ପାନି ଆଦିଦାସ ସହ ଯୋଡ଼ି ହୋଇଛନ୍ତି।‌ ତାଙ୍କୁ କମ୍ପାନିର ଦୂତ ଭାବେ ନିଯୁକ୍ତ କରିଥିବା‌ ନେଇ ଆଦିଦାସ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ପୂର୍ବରୁ ଏହି କମ୍ପାନି ହିମା ଦାସ, ସ୍ବପ୍ନା ବର୍ମନ୍‌, ରୋହିତ ଶର୍ମା, କୁଲଦୀପ ଯାଦବ, ଋଷବ ପନ୍ତ, ଦୀପିକା ପାଲିକଲ, ଜିଲ୍‌ ଦେଶାଇ, ନିଖନ୍ତ ଜାରିନ୍‌, ସିନ୍ଧାନ୍ତ ବାନ୍ତିଆ ଓ ମନ‌ଜୋତ କାଲ୍‌ରାଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ଦୂତ ଭାବେ ନିଯୁକ୍ତ କରି ସାରିଛି। ପ୍ରତ୍ୟେକ ଖେଳାଳି ଆଦିଦାସ ସହିତ ଯୋଡ଼ି ହେବାକୁ ସୁଯୋଗ ଖୋଜନ୍ତି ଓ ମୋତେ ଏହା ମିଳିଥିବାରୁ ମୁଁ ବହୁତ ‌ଖୁସି ବୋଲି କହିଛନ୍ତି ମନ୍‌ପ୍ରୀତ।

ସମ୍ବନ୍ଧିତ ଖବର