ସୁଶୀଲ କୁମାର ଫେରାର୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍‌ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଥର ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ଶନିବାର ଗିରଫ ହୋଇଥିବା ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଥି‌େଲ ମଧ୍ୟ ସେ ‌ଏବେ ବି ଫେରାର୍‌ ଥିବା ଜଣାପଡ଼ିଛି। କେତେକ ହିନ୍ଦୀ ଗଣମାଧ୍ୟମ ସୁଶୀଲଙ୍କୁ ପଞ୍ଜାବ ପୋଲିସ୍ ଗିରଫ କରିଥିବା ପ୍ରକାଶ କରିଥିଲେ ମଧ୍ୟ ଚଢ଼ଉ ବେଳେ ସୁଶୀଲ ପୁଲିସକୁ ଚକ୍‌ମା ଦେଇ ଖସି ଯାଇଥିବା କୁହାଯାଉଛି।

ମେ’ ୪ ତାରିଖରେ ଉତ୍ତର ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍‌ ମଧ୍ୟରେ ହୋଇଥିବା କୁସ୍ତିଯୋଦ୍ଧାଙ୍କ ମାଡପିଟ୍‌ ଘଟଣାରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସୁଶୀଲ କୁମାରଙ୍କ ନାମରେ ଏଫଆଇଆର୍‌ ଦିଆଯାଇଥିଲା। ସେବେଠାରୁ ସୁଶୀଲ କୁମାର ପୁଲିସ୍‌କୁ ଚକ୍‌ମା ଦେଇ ଫେରାର୍‌ ଅଛନ୍ତି। ଶନିବାର ମଧ୍ୟ ଏକ ଦିଲ୍ଲୀ ଅଦାଲତ ସୁଶୀଲଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଥିଲେ। ସୂଚନାଯୋଗ୍ୟ, ସୁଶୀଲ ଏକମାତ୍ର ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇ ଥର ବ୍ୟକ୍ତିଗତ ପଦକ ଜିତିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ଏବଂ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ଏବେ ଏହି ମହାନ କୁସ୍ତିଯୋଦ୍ଧାଙ୍କ ପତନ ବେଳ ଆସିଯାଇଛି ବୋଲି ଜାତୀୟ ଗଣମାଧ୍ୟମ ଆଶଙ୍କା ପ୍ରକଟ କରିଛି। ଟୋକିଓ ଅଲିମ୍ପିକ୍ସ ଅଂଶଗ୍ରହଣ ବାଟ ମଧ୍ୟ ବନ୍ଦ‌ ହୋଇଯାଇଛି।

ସମ୍ବନ୍ଧିତ ଖବର