ଉତ୍କଳ କରାଟେ ସ୍କୁଲ୍‌କୁ ସ୍କିଲ୍‌ ଇଣ୍ଡିଆ ଟ୍ରେନିଂ ପାର୍ଟନର ମାନ୍ୟତା

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ସାମରିକ କଳା ଓ ଶକ୍ତି ଭିତ୍ତିକ କ୍ରୀଡ଼ା ଅନୁଷ୍ଠାନ ଉତ୍କଳ କରାଟେ ସ୍କୁଲ୍‌ କେନ୍ଦ୍ର ସରକାରଙ୍କ ସ୍କିଲ୍‌ ଇଣ୍ଡିଆ (ଦକ୍ଷତା ବିକାଶ) ବିଭାଗର ପ୍ରଶିକ୍ଷକ ସହଭାଗିତା ହାସଲ କରିଛି। ଆତ୍ମରକ୍ଷା ଓ ଫିଟ୍‌ନେସ୍‌ ପ୍ରଶିକ୍ଷକଙ୍କ ତାଲିମ ଉତ୍କଳ କରାଟେ ସ୍କୁଲ୍‌ଠାରେ ପ୍ରଦାନ କରାଯିବ। ଏଥିସହ ଏମାନଙ୍କ ପରୀକ୍ଷା ସ୍କୁଲ୍‌ ମାଧ୍ୟମରେ ଦକ୍ଷତା ବିକାଶ ଏବଂ ଉଦ୍ୟେଗ ମନ୍ତ୍ରଣାଳୟର କ୍ରୀଡ଼ା, ଶାରିରୀକ ଶିକ୍ଷା ଫିଟ୍‌ନେସ ଏବଂ ଅବକାଶ ପରିଷଦ ଦ୍ବାରା କରାଯିବ। ପ୍ରାରମ୍ଭିକସ୍ତରରେ ଫିଟ୍‌ନେସ୍‌ ଟ୍ରେନିଂ, ଆତ୍ମରକ୍ଷା ପ୍ରଶିକ୍ଷଣ ବିଭାଗର ପୂର୍ବରୁ ଦକ୍ଷତା ଓ ଅଭିଜ୍ଞତା ଥିବା ପ୍ରଶିକ୍ଷକମାନେ ସିଧାସଳଖ କେନ୍ଦ୍ର ସରକାରଙ୍କର ଏହି ବିଭାଗ ପାଖରେ ସ୍କୁଲ ମାଧ୍ୟମରେ ପରୀକ୍ଷା ଦେଇ ଉନ୍ନୀତ ହୋଇପାରିବେ।

ନୂତନ ଶିକ୍ଷାନବୀଶମାନେ ସଂପୂର୍ଣ୍ଣ ପ୍ରଶିକ୍ଷଣ ନେଇ ପରୀକ୍ଷା‌ ଦେବାକୁ ଯୋଗ୍ୟତା ହାସଲ କରିପାରିବେ ବୋଲି ‌ରବିବାର ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କରା‌‌ଟ ସ୍କୁଲ୍‌ର ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ପୂର୍ବରୁ ଉତ୍କଳ କରାଟେ ସ୍କୁଲ ଓଡ଼ିଶା ସରକାରଙ୍କର ସହଯୋଗିତା‌ରେ ‘ରିଆକ୍ଟ’ ଆତ୍ମରକ୍ଷା ‌ପ୍ରଶିକ୍ଷଣକୁ ରାଜ୍ୟର ୧୭ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରୀମାନଙ୍କୁ ପ୍ରଦାନ କରିଛି। ଗତ ୪ ବର୍ଷ ହେଲା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ପ୍ରଶିକ୍ଷଣ ସଂସ୍ଥାର ମାନ୍ୟତା ପାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ଚିତ୍ତରଂଜନ ସ୍ବାଇଁ, ଗୌରୀ ମହାନ୍ତି, ଅବିନାଶ ଫୁନ୍ଦିର, ଚିନ୍ମୟୀ ଭୂୟାଁ ଓ ହିମାଂଶୁ ଶେଖର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର