ବାରବାଟୀ ଦିନିକିଆ: ଭାରତକୁ ୩୧୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ୍‌, ଯୁବ ବୋଲର ନଭଦୀପ ସଇନି ନେଲେ ୨ ଓ୍ଵିକେଟ୍‌

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜକ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ତିନି ମ୍ୟାଚ୍‌ର ଦିନିକିଆ ଅନ୍ତର୍ଜାତୀୟ ଶୃଙ୍ଖଳାର ଅନ୍ତିମ ମୁକାବିଲା ଆରମ୍ଭ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ଭାରତକୁ ୩୧୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିକୋଲାସ ପୂରନ (୮୯ ରନ୍‌, ୬୪ ବଲ, ୧୦ ଚୌକା, ୩ ଛକା) ଓ ଅଧିନାୟକ କିରଣ ପୋଲାର୍ଡ (ଅପରାଜିତ ୭୪ ରନ୍‌, ୫୧ ବଲ, ୩ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍‌ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ କରିଛି। ଭାରତର ଯୁବ ବୋଲର ନଭଦୀପ ସଇନି ନିଜର ପଦାର୍ପଣ ମ୍ୟାଚ୍‌ରେ ୨ଟି ଓ୍ଵିକେଟ୍‌ ନେଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ର ଓପନର ଇଭିନ୍‌ ଲୁଇସ୍‌ (୨୧ ରନ୍‌) ଓ ସାଇ ହୋପ୍‌ (୪୨ ରନ୍‌) ଧୀମା ଗତିରେ ଇନିଂସ ଆରମ୍ଭ କରିଥିଲେ। ଟିମ୍‌ ୧୫ ଓଭର ପରି ସମାପ୍ତି ପରେ ଗୋଟିଏ ଓ୍ଵିକେଟ ହରାଇ ୫୭ ରନ୍‌ କରିଥିଲା। ସ୍ପିନର ରବୀନ୍ଦ୍ର ଜାଦେଜାଙ୍କ ବଲ୍‌ ଉଦୟମାନ ଖେଳାଳି ନଭଦୀପ ସଇନିଙ୍କୁ କ୍ୟାଚ୍‌ ଦେଇ ଲୁଇସ୍‌ ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ। ଏହା ପରେ ରସ୍ତନ ଚେଜ୍‌ ପଡ଼ିଆକୁ ପ୍ରବେଶ କରିଥିଲେ। ସେ ୪୮ଟି ବଲର ସମ୍ମୁଖୀନ ହୋଇ ୩୮ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିଲେ ଏବଂ ଭାରତର ଚତୁର୍ଥ ଓ୍ଵିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ।

Photo: Hindustan Times

ଚେଜ୍‌ ଆଉଟ୍‌ ହେବା ବେଳକୁ ୱେଷ୍ଟଇଣ୍ଡିଜ୍‌ର ସ୍କୋର ୧୪୪ ରନ୍‌ ହୋଇ ସାରିଥିଲା। ଲୁଇସ୍‌ଙ୍କ ପୂର୍ବରୁ ସାଇ ହୋପ୍‌ (୪୨ ରନ୍‌) ଓ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ସିମରନ୍‌ ହେଟମେୟର (୩୭ ରନ୍‌) ପାଭଲିୟନକୁ ଫେରି ସାରିଥିଲେ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଦ୍ୱାରା ହୋପ୍‌ ବୋଲ୍ଡ ହୋଇଥିବା ବେଳେ ନଭଦୀପ ସଇନିଙ୍କ ଦ୍ୱାରା ବିପର୍ଯ୍ୟୟର ଶିକାର ହୋଇଥିଲେ।

ୱେଷ୍ଟଇଣ୍ଡିଜ୍‌ ଟିମ ୭୦ ରନ୍‌ରେ ଦ୍ୱିତୀୟ ଓ ୧୩୨ ରନ୍‌ରେ ୩ୟ ଓ୍ଵିକେଟ ଓ ୨୭୯ ରନ୍‌ରେ ୫ମ ଓ୍ଵିକେଟ୍‌ ଭାବେ ନିକୋଲାସ୍‌ ପୂରନଙ୍କୁ ହରାଇଥିଲା। ଭାରତୀୟ ବୋଲର ନଭଦୀପ ସଇନିଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲା।

ସମ୍ବନ୍ଧିତ ଖବର