ଦୀର୍ଘ ସମୟ ଧରି ବଡ଼ ପାଳି ବାହାରୁନଥିବାରୁ ଦୁଶ୍ଚିନ୍ତା ବଢ଼ିଥିଲା: କୋହଲି

ଅହମଦାବାଦ: ଭାରତୀୟ ଦଳ ପାଇଁ ଦୀର୍ଘ ଦିନ ଧରି ବଡ଼ ରନ୍‌ ବାହାର କରିପାରୁନଥିବାରୁ ଏହା ଭିତରୁ ମୋତେ ଖାଇ ଯାଉଥିଲା। ତେଣୁ ବଡ଼ ରନ୍‌ ପାଇଁ ଅପେକ୍ଷା କରିବା ପରେ ଏବେ ଆଶ୍ବସ୍ତି ମିଳିଥିବା ଭାରତର ତାରକା ବ୍ୟାଟର ବିରାଟ କୋହଲି କହିଛନ୍ତି। ଅହମଦାବାଦରେ ତିନି ବର୍ଷର ଅପେକ୍ଷା ପରେ କୋହଲିଙ୍କ ବ୍ୟାଟ୍‌ରୁ ଶତକ (୧୮୬) ବାହାରିଥିଲା। ବିସିସିଆଇ ୱେବସାଇଟ୍‌ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କୋହଲି ଓ ରାହୁଲ ଦ୍ରାବିଡ୍‌ ମ୍ୟାଚ୍‌ ସଂକ୍ରାନ୍ତରେ ବାର୍ତ୍ତାଳାପ କରୁଥିବା ଦେଖାଯାଇଛି। ଉକ୍ତ ଭିଡିଓରେ କୋହଲି କହିଛନ୍ତି ଯେ ଜଣେ ବ୍ୟାଟର ଭାବେ ତିନି ଅଙ୍କ ବିଶିଷ୍ଟ ରନ୍‌ ହାସଲ କରିବା ପାଇଁ ସବୁବେଳେ ବ୍ୟଗ୍ରତା ରହିଥାଏ। ମ୍ୟାଚ୍‌ରେ ଯଦିଓ ରନ୍‌ ବାହାରୁଛି, କିନ୍ତୁ ତାଙ୍କ ଭଳି ବ୍ୟାଟର ପାଇଁ ୪୦-୫୦ ରନ୍‌ ଆତ୍ମସନ୍ତୋଷ ଦେଇପାରେନାହିଁ। ତେଣୁ ଯେତେବେଳେ ୪୦ ରନ୍‌ କରି ବ୍ୟାଟିଂ କରୁଥାଏ ସେତେବେଳେ ୧୫୦ ରନ୍‌ ମଧ୍ୟ କରିପାରିବି ବୋଲି ବିଶ୍ବାସ ଥାଏ। କିନ୍ତୁ ତାହା ହାସଲ ହୋଇପାରୁନଥିବାରୁ ଭିତରୁ ଦୁଶ୍ଚିନ୍ତା ବଢିଯାଉଥିଲା ବୋଲି କୋହଲି କହିଛନ୍ତି। ତଥାପି ଶତକ ଅର୍ଜନ କରିବା ଏତେ ସହଜ ନଥିଲା। କାରଣ ହୋଟେଲ୍‌ ରୁମ୍‌ରୁ ବାହାରିବା ପରଠୁ ବସ୍‌ ଡ୍ରାଇଭର ପର୍ଯ୍ୟନ୍ତ ସ‌ମସ୍ତେ ବାଟସାରା ମୋ’ଠୁ ଶତକ ଆଶା ରଖୁଛନ୍ତି। ତେଣୁ ଏପରି ଆହ୍ବାନକୁ ପାର୍‌ କରିବା ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।

ରାହୁଲ ମଧ୍ୟ କୋହଲିଙ୍କ ଶତକକୁ ଉପଭୋଗ କରିଛନ୍ତି। କୋହଲିଙ୍କ ମାଷ୍ଟରକ୍ଲାସ୍‌କୁ ପ୍ରଶଂସା କରିବାକୁ ଯାଇ ‌ରାହୁଲ କହିଛନ୍ତି ଯେ କୋହଲି ଅନେକ ଶତକ ମାରୁଥିବା ଟିଭିରେ ଦେଖିବାକୁ ମିଳିଥିଲା। ‌ତେବେ ୧୫-୧୬ ମାସ ପୂର୍ବରୁ ପ୍ରଶିକ୍ଷକ ଦାୟିତ୍ବ ନେବା ପରଠୁ କୋହଲିଙ୍କ ଶତକ ଦେଖିବାକୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ଡ୍ରେସିଂ ରୁମ୍‌ରେ ବସି ତାଙ୍କ ଶତକ ଉପଭୋଗ କରି ହେଉଛି ବୋଲି ରାହୁଲ କହିଛନ୍ତି। ତେବେ ଟେଷ୍ଟ୍‌ରେ ବଡ଼ ପାଳି ଖେଳିବା ପଛରେ ଶାରୀରିକ ଦକ୍ଷତା ମଧ୍ୟ ବଡ଼ ଭୂମିକା ନେଉଥିବା କୋହଲି କହିଥିଲେ। ଟେଷ୍ଟରେ ୪ କିମ୍ବା ୫ ଅର୍ଦ୍ଧରେ ବ୍ୟାଟିଂ କରିବାକୁ ହେଲେ ନିଜକୁ ଫିଟ୍‌ ରଖିବାକୁ ହେବ। ତେଣୁ ପଡ଼ିଆକୁ ଯିବା ସମୟରେ ସବୁବେଳେ ରିଲାକ୍ସ ହେବାକୁ ପଡ଼ିଥାଏ। ଯଦି ଶରୀର ମାତ୍ର ତିନି ଅର୍ଦ୍ଧ ଖେଳିବା ଭଳି ହେବ ତାହେଲେ ଶୀଘ୍ର ରନ୍‌ ବାହାର କରିବାକୁ ଯାଇ ଆଉଟ ହେବା ସମ୍ଭାବନା ରହିବ। ତେଣୁ ଲମ୍ବା ଖେଳିବାକୁ ହେଲେ ଶାରୀରିକ ଭାବେ ଫିଟ୍‌ ରହିବା ସହ ଧୈର୍ଯ୍ୟ ରଖିବାକୁ ‌ହେବ। ପଡ଼ିଆରେ ଅଧିକ ସମୟ ବିତାଇଲେ ବାଉଣ୍ଡରୀ ଆପେ ଆପେ ଆସିବ। ଯଦି ଏଭଳି ଖେଳିଚାଲେ ତାହେଲେ ୬ଟି ଅର୍ଦ୍ଧରେ ବ୍ୟାଟିଂ ପରେ ୧୫୦ ରନ୍‌ ଅର୍ଜନ କରିବା ସହଜ ହୋଇଯାଏ ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର