କଟକ: ୧୯୭୫ରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରି ଇନ୍ଦିରା ଗାନ୍ଧୀ ଯେଉଁ ଭୁଲ କରିଥିଲେ, ପରେ ସେ ସେହି ଭୁଲର ଫଳ ଭୋଗିଥିଲେ। ଏହି ଘଟଣା ଆମ ଗଣତନ୍ତ୍ର ପାଇଁ ଏକ ଶିକ୍ଷା। ଏହା ଏକ ଇତିହାସ ହୋଇ ଯୁଗଯୁଗକୁ ରହି ଯାଇଛି। ବିନା ଭୁଲରେ ଇତିହାସ ସୃଷ୍ଟି ହୁଏ ନାହିଁ। କିନ୍ତୁ ଜରୁରିକାଳୀନ ପରିସ୍ଥିତି ଭଳି ଘଟଣାକୁ ଆମେ ହଜମ କରିଥିଲେ। ଆମ ଗଣତନ୍ତ୍ର ଏଭଳି ଘଟଣାକୁ ଦବେଇଦେବାରେ ସକ୍ଷମ ହୋଇଥିଲା। ସେ ସମୟରେ ସବୁ ରାଜନେତା ଏକାଠି ହୋଇ ଅନ୍ୟାୟ ବିରୋଧରେ ସ୍ବର ଉଠାଇଥିଲେ। କିନ୍ତୁ ଏବେ ରାଜନୀତିରେ ସେ ପ୍ରକାର ମୂଲ୍ୟବୋଧ ଆଉ ନାହିଁ। ରାଜନେତାମାନେ ଏବେ ଆଶଙ୍କାରେ। ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହେବା ସମୟକୁ ୪୪ ବର୍ଷ ପୂରିବା ଅବସରରେ ଟାଉନହଲରେ ଆୟୋଜିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଭବିଷ୍ୟତରେ ଜରୁରୀ ପରିସ୍ଥିତି ଭଳି ଅବସ୍ଥା ଯେପରି ନ ଆସେ ସେଥିପାଇଁ ଅତୀତର
Sambad is now on WhatsApp
Join and get latest news updates delivered to you via WhatsApp
ଖଳନାୟକମାନଙ୍କୁ ମନେ ରଖିବା ସହିତ ଭବିଷ୍ୟତର ଖଳନାୟକଙ୍କ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଉପସ୍ଥିତ ଯୁବ ବର୍ଗଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ନିଜ କଥା ଅପେକ୍ଷା ଅନ୍ୟ କଥା ଚିନ୍ତା କର। ଏକାଠି ହୁଅ, ଏକାଠି ହେଲେ ଗଣତନ୍ତ୍ରରେ ଅନେକ କିଛି ହାସଲ କରିହେବ।
କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାରତୀୟ ହକି ମହାସଂଘ ଉପସଭାପତି ପ୍ରତାପ ଶତପଥୀ କହିଥିଲେ ଯେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ଗଣତନ୍ତ୍ରର କଣ୍ଠରୋଧ ପାଇଁ କଂଗ୍ରେସର ଏକ ଚକ୍ରାନ୍ତ ଥିଲା। କିନ୍ତୁ ଏହା ବିରୋଧୀ ନେତାଙ୍କୁ ଏକାଠି ହେବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥିଲା। ଅନ୍ୟତମ ଅତିଥି ବିଜେଡି ରାଜ୍ୟ ସାଧାରଣ ସଂପାଦକ ବିଶ୍ବଜିତ ମହାନ୍ତି, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ମହାନଗର ବିଜେଡି କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ ପ୍ରମୁଖ ଜାତୀୟ ଜରୁରିକାଳୀନ ପରିସ୍ଥିତି ସମୟରେ ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟି ସାଧାରଣ ସଂପାଦକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜରୁରି କାଳୀନ ପରିସ୍ଥିତି ସମୟରେ ଜେଲ କାଟିଥିବା କୃଷ୍ଣ କେଶବ ମିଶ୍ର, ରମେଶ ଅଲ୍ଲୀ ବେସାନ୍ତ, କୃଷ୍ଣଚନ୍ଦ୍ର ପ୍ରଧାନ, ସୀତାରାମ ଶତପଥୀ, କମଳାକାନ୍ତ ସାହୁ, ସୁଶିଲ ପଣ୍ଡା ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀବୀ ଜୟନ୍ତ ବିଶ୍ବାଳ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।