ସିଏଏ ସପକ୍ଷରେ ଯୁକ୍ତି ରଖିଲେ ରାମମାଧବ: ବିରୋଧୀ ଷଡ଼୍ଯନ୍ତ୍ର, ମିଥ୍ୟା ପ୍ରଚାର କରି ହିଂସା କରିବାକୁ ପ୍ରୟାସ କରୁଛନ୍ତି
ଭୁବନେଶ୍ବର: ନାଗରିକ ସଂଶୋଧନ ଆଇନ ନାଗରିକତା ଦେବ। ଏହା କାହାର ନାଗରିକତା ନେବ ନାହିଁ। ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ। ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦୀୟ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଥିଲେ, ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି। ବିନା କାରଣରେ ସେମାନେ ଏହି ସଂଶୋଧନ ଆଇନକୁ ବିରୋଧ ପାଇଁ ବାହାରିଛନ୍ତି। ସେମାନଙ୍କର ଏହି ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି। ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି।
ଶ୍ରୀ ମାଧବ କହିଥିଲେ ଯେ ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ
ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛି ରାଜନୈତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛନ୍ତି। ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରୀ ହୋଇପଡିଛି। ନାଗରିକ ସଂଶୋଧନ ଆଇନ ଆଣି ବିଶ୍ୱ ଦରବାରରେ ପାକିସ୍ତାନରେ ଅଣ ମୁସଲମାନମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ୱକୁ କହିବାର ସୁଯୋଗ ଥିଲା। କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ପାଇଁ ସେ ସୁଯୋଗ ଆମେ ହରାଇଲୁ। ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତି। ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମ ମାଧବ କହିଛନ୍ତି ।
ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି େବାଲି ଆଣି ସେ କହିଥିଲେ, ଭାରତୀୟ ମୁସଲମାନଙ୍କ ସହ ସିଏଏ, ଏନ୍ଆର୍ସିର କୌଣସି ସମ୍ପର୍କ ନାହିଁ। କେବଳ ପାକିସ୍ତାନୀ, ବଙ୍ଗଳାଦେଶ, ଆଫଗାନିସ୍ତାନର ଅଣହିନ୍ଦୁ ମାନଙ୍କ ପାଇଁ ଏହା ହୋଇଛି। ସେମାନଙ୍କୁ ନାଗରିକତା ଦେବା ପାଇଁ ଏହି ସଂଶୋଧନ ହେଉଛି ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାର ଅନୁରୂପ ବୋଲି ରାମ ମାଧବ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।