୨୦୨୦ ମସିହାରେ ଓଡ଼ିଶାର ମୃତ୍ୟୁ ହାର ଦେଶରେ ଦ୍ୱିତୀୟ ସର୍ବାଧିକ

ରାଜ୍ୟରେ କୋଭିଡରେ ପ୍ରାଣ ହରାଇଛନ୍ତି ୮୭୧୧!

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ସାମ୍ପୁଲ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ବା ଏସ୍‌ଆରଏସ୍‌ ରାଜ୍ୟ ସରକାରଙ୍କ କୋଭିଡ ମୃତ୍ୟୁର ମୁଖା ଖୋଲିଛି। ୨୦୨୦ ମସିହାରେ ଓଡ଼ିଶାରେ ସରକାର ଘୋଷଣା କରିଥିବା ମୃତ୍ୟୁସଂଖ୍ୟାରୁ ‌କୋଭିଡ ମୃତ୍ୟୁ ସଂଖ୍ୟା ‌ଯେ ଢେର ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏସ୍‌ଆରଏସ୍‌ ପକ୍ଷରୁ ଜାରି ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍‌ସିସିଡିର କୋଡ୍‌ସ ପର ସ୍ପେଶାଲ ପରପଜ୍(କୋଭିଡ-୧୯)ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୨୦ ମସିହାରେ ରାଜ୍ୟରେ ୩,୬୨,୯୮୨ଜଣ ଲୋକଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଥିବା ବେଳେ ତାହାର ୨.୪ ପ୍ରତିଶତ କେବଳ କୋଭିଡରେ ପ୍ରାଣ ହରାଇଛନ୍ତି। ଯାହାକି ମୋଟ ମୃତ୍ୟୁ ସଂଖ୍ୟାର ଏହା ୮୭୧୧। ୨୦୨୦ରେ ରାଜ୍ୟ ସରକାର ୧୮୭୬ଜଣଙ୍କର ଓ ବର୍ତମାନ ସୁଦ୍ଧା ୯୧୨୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛନ୍ତି।

୨୦୨୦ରେ ହୋଇଥିବା ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ଏମ୍‌ସିସିଡିରେ ଓଡ଼ିଶାରେ ସର୍ବାଧିକ ସର୍କୁଲେଟାରି ସିଷ୍ଟମ୍ ଜନିତ ୨୧.୪ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଏହାପରେ ନିଶ୍ବାସପ୍ରଶ୍ବାସ ଜନିତ ରୋଗରେ ୧୨.୩ ଓ କୋଭିଡ ମୃତ୍ୟୁକୁ ମିଶାଇଲେ ୩୬ ପ୍ରତିଶତ ଲୋକ କେବଳ ଏହି ୩ଟି ରୋଗରେ ଜୀବନ ଯାଇଛି। ସେହିପରି ୨୦୨୦ ମସିହାରେ ଓଡ଼ିଶାରେ ମୃତ୍ୟୁ ହାରରେ ମଧ୍ୟରେ ବୃଦ୍ଧି ହୋଇଛି। ଦେଶର ୨୧ଟି ବଡ଼ ରାଜ୍ୟଙ୍କ ଭିତରେ ଯେଉଁସବୁ ରାଜ୍ୟରେ ମୃତ୍ୟୁ ହାର ଅଧିକ ରହିଛି ତହିଁରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୦ ମସିହାରେ ଓଡ଼ିଶାରେ ମୃତ୍ୟୁ ହାର ୭.୩ ପ୍ରତିଶତ ଥିବା ବେଳେ ଏଥିରେ ପୁରୁଷ ୭.୯ ଓ ମହିଳାଙ୍କ ମୃତ୍ୟୁ ହାର ୬.୮ ରହିଛି। ଯଦି ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ଭାଗ ଭାଗ କରି ଦେଖାଯାଏ ତାହାଲେ ଗ୍ରାମାଞ୍ଚଳରେ ମୃତ୍ୟୁ ହାର ୭.୫ ଓ ସହରାଞ୍ଚଳରେ ୬.୫ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ପୁରୁଷଙ୍କ କ୍ଷେତ୍ରରେ ଏହା ୮ ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭, ସହରାଞ୍ଚଳରେ ପୁରୁଷଙ୍କ କ୍ଷେତ୍ରରେ ଏହା ୭.୪ ଓ ମହିଳାଙ୍କ କ୍ଷେତ୍ରରେ ୫.୫ ରହିଛି। ଏହିବର୍ଷ ଜାତୀୟସ୍ତରରେ ମୃତ୍ୟୁହାର ୬ ପ୍ରତିଶତ ରହିଛି। ଯଦି ସଂଖ୍ୟା ଦୃଷ୍ଟିରୁ ହିସାବକୁ ନିଆଯାଏ ତାହାଲେ ୨୦୧୯ ମସିହାରେ ରାଜ୍ୟରେ ୩,୪୨,୯୪୭ଜଣଙ୍କ ମୃତ୍ୟୁ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୩,୬୨,୯୮୨କୁ ବୃଦ୍ଧି ପାଇଥିଲା। ସମୁଦାୟ ୨୦,୦୩୫ଜଣ ଅଧିକ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିଲା। ୨୦୧୯ ମସିହାରେ ରାଜ୍ୟରେ ମୃତ୍ୟୁହାର ୭.୧ ରହିଥିଲା।

କୋଭିଡ ପାଇଁ ଓଡ଼ିଶାରେ ବଢ଼ିଛି କି ମୃତ୍ୟୁ ହାର?
କେବଳ ଛତିଶଗଡ଼ର ମୃତ୍ୟୁ ହାର ଓଡ଼ିଶାଠୁ ଅଧିକ

123rf.com

ଅପରପକ୍ଷରେ ୨୦୨୦ ମସିହାରେ ରାଜ୍ୟ ସରକାର ଡିସେମ୍ବର ମାସ ଶେଷ ସୁଦ୍ଧା ୧୮୭୬ଜଣଙ୍କ କୋଭିଡ ମୃତ୍ୟୁ ସଂପର୍କରେ ଘୋଷଣା କରିଥିଲେ। ମାତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ମଶାନରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ଦିନ ଦିନ ଧରି ଶ୍ମଶାନରେ ନିଆଁ ଲିଭି ନ ଥିବା ବେଳେ ସରକାରଙ୍କ କୋଭିଡ ମୃତ୍ୟୁକୁ ବେଶ୍ ମାପିଚୁପି ଘୋଷଣା କରାଯିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ପରବର୍ତୀ ସମୟରେ ସୁପ୍ରିମକୋର୍ଟ କୋଭିଡ ମୃତ୍ୟୁକୁ ନେଇ ସଂଶୋଧିତ ଗାଇଡଲାଇନ୍ ଜାରି କରିବା ପରେ କୋଭିଡ ମୃତ୍ୟୁର ପରିସୀମା ବୃଦ୍ଧି ପାଇଥିଲା। ମୃତକଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ଏହାପରେ ରାଜ୍ୟ ସରକାର କୋଭିଡ ମୃତକଙ୍କ  ସଂପର୍କୀୟ(ଏନ୍‌ଓକେ)ଙ୍କୁ କ୍ଷତିପୂରଣ ପାଇଁ ଯେଉଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ଏଥିରେ ୨୮ ଫେବ୍ରୁଆରି ସୁଦ୍ଧା ୧୬,୭୫୫ଜଣ ଆବେଦନ କରିଥିବା ବେଳେ ତହିଁରୁ ୧୫,୭୬୫ଜଣଙ୍କୁ ଏଥିପାଇଁ ଅନୁମୋଦନ ଦେଇଥିଲେ। ହେଲେ ୨୦୨୦ରେ ରାଜ୍ୟରେ ଯେଉଁ ଅତିରିକ୍ତ ୨୦ହଜାର ମୃତ୍ୟୁ ହୋଇଥିଲା କ୍ଷତିପୂରଣ ପାଇଁ ଆବେଦନ କରିଥିବା ଲୋକଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ କମ୍ ରହିଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୨୦୨୦ରେ କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିଲା। କୋଭିଡ ସଂକ୍ରମଣ ଯୋଗୁଁ ଅଧିକାଂଶ କୋ-ମର୍ବିଡ ବା ଜଟିଳ ରୋଗ ଥିବା ବ୍ୟକ୍ତି ପ୍ରାଣ ହରାଇଥିଲେ। ଏ ଦୃଷ୍ଟିରୁ ୨୦୨୦ବର୍ଷରେ ଅନ୍ୟ ବର୍ଷ ତୁଳନାରେ ମୃତ୍ୟୁ ହାର ଅଧିକ ରହିବା ପଛରେ ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ଏହାସହ କିଛି ପୂର୍ବରୁ ପ୍ରାଣ ହରାଇଥିବା ବ୍ୟକ୍ତି ମଧ୍ୟ ସେହିବର୍ଷ ମୃତ୍ୟୁକୁ ପଞ୍ଜୀକରଣ କରିଥାଇ ପାରନ୍ତି। ହେଲେ ଏହି ସଂଖ୍ୟା ଯଥେଷ୍ଟ କମ୍। ତେଣୁ କୋଭିଡ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ସ୍ବାଭାବିକ୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର