ଦୈନିକ ସଂକ୍ରମଣରେ ୧୨% ବୃଦ୍ଧି: ୩୪୫୦କୁ ବଢ଼ିଲା ସଂକ୍ରମଣ, ୧୯ ମୃତ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ପୁଣିଥରେ ସଂକ୍ରମଣ ବଢ଼ିଛି। ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୨ ପ୍ରତିଶତ ବଢ଼ିଛି। ଏହାସହ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। କେବଳ ସଂକ୍ରମଣ ନୁହେଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଯେହେତୁ ରାଜ୍ୟରେ ଏବେ ବି ଡେଲ୍‌ଟା ସକ୍ରିୟ ରହିଛି, ତେଣୁ ଏବେ ହେଉଥିବା ମୃତ୍ୟୁ ଡେଲ୍‌ଟା ନା ଅନ୍ୟ କେଉଁ ପ୍ରଜାତି ଯୋଗୁଁ ହେଉଛି ତାହା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିଛିଦିନ ପୂର୍ବରୁ ରାଜ୍ୟ ସରକାର ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଲାଗି ଓମିସିଓର କିଟ୍‌ ମଗାଇଛନ୍ତି। ହେଲେ ଏଥିରେ କେତେ ଜଣ ଚିହ୍ନଟ ହେଲେ ତାହା ରହସ୍ୟମୟ ଅବସ୍ଥାରେ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ସଂପୂର୍ଣ୍ଣ ତଳକୁ ଆସିନାହିଁ। ଗତ ୩ଦିନ ଧରି ଦୈନିକ ସଂକ୍ରମଣ ୩ହଜାର ଉପରେ ରହିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମାତ୍ର ଏବେ ବି କିଛି ଆକ୍ରାନ୍ତ ଆଇସିୟୁ ଓ ଭେଣ୍ଟିଲେଟରରେ ଭର୍ତି ହୋଇଛନ୍ତି। ତେଣୁ ଆଗକୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ଶୀର୍ଷ ସଂକ୍ରମଣ ସମୟରେ ହସ୍ପିଟାଲରେ ଆଡମିସନ୍ ଅଧିକ ରହିଥାଏ। ପରିସଂଖ୍ୟାନକୁ ଦେଖିଲେ ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ଭେଣ୍ଟିଲେଟରେ ଥିବା ରୋଗୀଙ୍କ କ୍ଷେତ୍ରରେ ୫୫-୬୦ ପ୍ରତିଶତ ଓ ଆଇସିୟୁରେ ଥିବା ୩୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ରାଜ୍ୟରେ ସ୍ଥିତି ଏବେ ଭଲ ରହିଛି। ଯେତିକି କରୋନା ମୃତ୍ୟୁର ଡେଥ୍ ଅଡିଟ୍‌ ହୋଇଛି ତାହାର ଅନୁଶୀଳନ କଲେ ହିଁ କରୋନାର କେଉଁ ପ୍ରଜାତିରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିବ। ମାତ୍ର ଏଥିପାଇଁ ସମୟ ଲାଗିବ। ତେବେ ଓମିକ୍ରନ୍‌ ନୂଆ ଉପ-ପ୍ରଜାତି ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୭୧୪, ସୁନ୍ଦରଗଡ଼ ୨୮୭, କଟକ ୨୦୨, ଅନୁଗୁଳ ୧୫୨, ମୟୂରଭଞ୍ଜ ୧୮୦, ବାଲେଶ୍ବର ୧୦୫, ବଲାଙ୍ଗୀର ୧୦୩, ନୟାଗଡ଼ ୧୨୫, ସମ୍ବଲପୁର ୧୩୧ ଓ ଷ୍ଟେଟ୍‌ ପୁଲରୁ ୧୪୫ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୫୫ହଜାର ୭୭୬କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୯ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଘୋଷଣା ହୋଇଛି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୬୪୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୬୦୬୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୧,୬୯୫କୁ ଖସି ଆସିଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୨ଲକ୍ଷ ୧୫ହଜାର ୩୮୦ଜଣ କରୋନାରୁ ମୁକ୍ତ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର