ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୧୫୧, ଗୋଟିଏ ଦିନରେ ସୁସ୍ଥ ୧୭,ଆକ୍ରାନ୍ତ ୧୧

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ଜିଲ୍ଲାରେ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ସବୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକର କୋଭିଡ ହସ୍ପି‌ଟାଲକୁ ନିଆଯାଇଛି। ଜିଲ୍ଲାରେ ଆଜିସୁଦ୍ଧା ମୋ‌ଟ ଆକ୍ରାନ୍ତ ସଂଖ୍ୟା ୧୫୧ ରେ ପହଞ୍ଚିଥିବା ବେଳେ ଜିଲ୍ଲାରେ ଗତକାଲି ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ୨୮ ରହିଛି। ଏମାନେ ସମସ୍ତେ କୋଭିଡ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କଲିକତା ଫେରନ୍ତା ହୋଇଥିବା ବେଳେ ୨ ଜଣ ଗୁଜୁରାଟ ଫେରନ୍ତା। ତାମିଲନାଡୁ, ଦିଲ୍ଲୀ,କର୍ଣ୍ଣାଟକ, ରାଜସ୍ଥାନରୁ ଜଣେ ଲେଖାଏଁ ଫେରିଥିଲା ବେଳେ ୨ ଜଣ ଆକ୍ରାନ୍ତ ମହାରାଷ୍ଟ୍ରରୁ ଭଦ୍ରକ ଫେରିଥିଲେ।

ଏମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତଙ୍କୁ ଚିଙ୍ଗିଡିପୁର ଜଗନ୍ନାଥ ଉପ୍ରା ସ୍କୁଲ, ଭଣ୍ଡାରିପୋଖରୀ ବ୍ଲକରୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଭଣ୍ଡାରିପୋଖରୀ ବ୍ଲକ ମହୁରା ହାଇସ୍କୁଲ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ କରାଯାଇଛି। ସେହିପରି ୨ ଜଣଙ୍କୁ ଡିଏଚଏଚ ଆଇସୁଲେସନ ଓ୍ବାର୍ଡରୁ ଚିହ୍ନଟ କରାଯାଇଥିବା ବେଳେ ୩ ଜଣ ଆକ୍ରାନ୍ତଙ୍କୁ ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ଆଦର୍ଶ ବିଦ୍ୟାଳୟ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ କରାଯାଇଛି। ଜଣେ ଆକ୍ରାନ୍ତ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ବରସ୍ଥିତ ଅପର୍ତ୍ତିଚରଣ ହାଇସ୍କୁଲ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଏହି ବ୍ଲକର ମତ୍ତୋ ହାଇସ୍କୁଲ କେନ୍ଦ୍ରରୁ ଚିହ୍ନଟ କରାଯାଇଛି।

ତିହିଡି ବ୍ଲକର ସିଆରଏସ ହାଇସ୍କୁଲ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ଆଜି ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି। ଅନ୍ୟପକ୍ଷରେ ଆଜି ଜିଲ୍ଲାରୁ ସଟଡାଉନ କଟକଣା ଉଠିଯାଇଥିବା ବେଳେ ଭଦ୍ରକ ସହରରେ ସକାଳୁ ଦିନ ତମାମ ଜନଗହଳି ରହିଥିଲା। ଭଦ୍ରକ ସହରରେ ଲୋକେ ସାମାଜିକ ଦୂରତାକୁ ଭୁଲି ଯାଉଥିବା ବେଳେ ଏହା ଆଗାମୀ ଦିନରେ କରୋନା ସ୍ଥିତିକୁ ଆହୁରି ଜଟିଳ କରିବାର ସମ୍ଭାବନା ଜଳ ଜଳ ହୋଇ ଦିଶି ଯାଉଛି।

ସମ୍ବନ୍ଧିତ ଖବର