ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର, ଭିତରକୁ ପ୍ରବେଶ କରିବେ ୧୬ ଜଣିଆ ଟିମ୍‌ 

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କ’ଣ ଅଛି ତାହା ଜାଣିବା ପାଇଁ ସାରା ବିଶ୍ୱରେ ଜଗନ୍ନାଥପ୍ରେମୀ ବ୍ୟାକୁଳ ହୋଇ ବସିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏପ୍ରିଲ ୪ରେ ଖୋଲିବକୁ ଯାଉଛି। ଅପରାହ୍ନ ୨ଟାରେ ପ୍ରଶାସନର ୧୬ ଜଣିଆ ଟିମ୍‌ ରତ୍ନଭଣ୍ଡାକୁ ପ୍ରବେଶ କରି ଦେଖିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମହାରାଜ ଗଜପତି ଦେବଙ୍କ ନେତୃତ୍ୱରେ ଏହି ୧୬ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ। ଏଥିରେ ଭଣ୍ଡାର ମେକାପଙ୍କ ସହି ଛତିଶାନିଯୋଗ ମହାନାୟକ, ଦେଉଳକରଣ ଓ ତଢ଼ଉକରଣ ଯିବେ। ସେହିଭଳି ଏଏସ୍‌ଆଇର ୩ଜଣ, କୋର କମିଟିର ଜଣେ ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ସଦସ୍ୟ ରତ୍ନଭଣ୍ଡାରକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଏସ୍‌ପି ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁସାରେ ଛତିଶାନିଯୋଗର ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ଚଢ଼ାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି, ଏଏସ୍‌ଆଇର ଏଚ୍‌.ଏ. ନାୟକ, ଚିତ୍ତରଂଜନ ଦାଶ, କୋର କମିଟି ଜି.ସି. ମିତ୍ର, ଏନ୍‌.ସି.ପାଲ, ହାଇକୋର୍ଟଙ୍କ ପ୍ରତିନିଧି ଏନ୍‌.କେ. ମହାନ୍ତି, ରତ୍ନଭଣ୍ଡାର ସବ୍‌କମିଟିର ୨ଜଣ ସଦସ୍ୟ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍‌ପି ଡ.ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ କୁମାର ଜେନା ଓ ନୀତି ପ୍ରଶାସକ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ।

ସୂଚନାଯୋଗ୍ୟ, ଆଗାମୀ ଏପ୍ରିଲ ୪ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଇ ସାରିଛନ୍ତି। ମାତ୍ର ରତ୍ନଭଣ୍ଡାର ବହୁବର୍ଷ ହେବ ବନ୍ଦ ଥିବାରୁ ଏହାରି ଭିତରକୁ ପ୍ରବେଶ କରିବା ପୂର୍ବରୁ କ’ଣ ସବୁ ସତର୍କ ମୂଳକ ପଦକ୍ଷେପ ନିଆଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି। ପୁରୀର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ଲୋକନାଥ। ତାଙ୍କର ପ୍ରିୟ ଅଳଙ୍କାର ହେଉଛି ନାଗ ସାପ। ବାବା ଲୋକନାଥଙ୍କ ପ୍ରକୃତ ଆତ୍ମା ରତ୍ନଭଣ୍ଡାରରେ ଥାଏ ପୂର୍ବ ପୁରୁଷମାନେ କହିଥାନ୍ତି। ସେ ଯାହାବି ହେଉ ଯେହେତୁ ବହୁ ବର୍ଷ ହେବ ରତ୍ନଭଣ୍ଡାର ବନ୍ଦ ଅଛି ଏହାରି ଭିତରକୁ ପ୍ରବେଶ କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିହାତି ଦରକାର।

 

ସମ୍ବନ୍ଧିତ ଖବର