ସାଧାରଣ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨୯ ନକ୍ସଲ ନିହତ

୩ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି, ସର୍ଚ୍ଚ ଅପରେସନ୍‌ ଜାରି

ଭୁବନେଶ୍ବର/ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। କାଂକେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଂଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲ ନେତା ଶଙ୍କର ରାଓଙ୍କ ସମେତ ୨୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଥି। ତେବେ ଗୁଳି ବିନିମୟରେ ଜଣେ ବିଏସ୍ଏଫ୍ ଇନ୍ସପେକ୍ଟର ସମେତ ୩ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଗୁଳିବିନିମୟରେ ଜାରି ରହିଛି।

ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଏବଂ ଡିଆରଜି ଯବାନ ହାପାଟୋଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲ ସେଠାରେ କ୍ୟାମ୍ପ କରି ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବନ୍ଧୁକ,୩ ଏଲଏମଜି ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ଜଂଗଲରୁ ଯବାନ ଫେରିବା ପରେ ହିଁ କେତେ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ଏସ୍‌ପି ଇନ୍ଦ୍ରା କଲ୍ୟାଣ ଏଲେସେଲା କହିଛନ୍ତି, ଗୁଳି ବିନିମୟରେ ବିଏସ୍‌ଏଫ୍‌ର ଜଣେ ଇନ୍ସପେକ୍ଟର ସମେତ ୨ ଜଣ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ଚଳିତ ମାସ ୧୯ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଯିବ। ଛତିଶଗଡ଼ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ମତଦାନ ମାତ୍ର ୨ ଦିନ ଥିବା ବେଳେ ମାଓଦାବୀ ଗତିବିଧି ଦେଖାଯାଇଛି।

ସମ୍ବନ୍ଧିତ ଖବର