୪୧ ଡିଗ୍ରି ଉପରେ ରାଜ୍ୟର ୧୮ଟି ସହର: ୪୩.୬ ଡିଗ୍ରି ସହ ବାରିପଦା ଉତ୍ତପ୍ତ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଖରା ଆଜି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ରାସ୍ତାଘାଟ ଶୂନଶାନ ଦେଖାଯାଇଛି। ଲୋକେ ଗଛମୂଳ ଓ ଛାଇ ଥିବା ସ୍ଥାନ ଆଶ୍ରୟ ଖୋଜିଛନ୍ତି। ଏଥି ସହିତର ରାଜ୍ୟରେ ଚଳିତ ସିଜିନରେ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ୨୯ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ବାରିପଦାରେ ଚଳିତ ସିଜିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରି ପାରା ଛୁଇଁଛି। ୧୮ଟି ସହରରେ ୪୧ ଡ଼ିଗ୍ରି କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କିଛି ଦିନ ଭିତରେ ଏଥର ତାପମାତ୍ରା ୪୫ ଡିଗ୍ରି ପହଞ୍ଚିପାରେ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ବାରିପଦାରେ ଆଜି ୫.୫ ଡିଗ୍ରି ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରି, ତାଳଚେର, ବୌଦ୍ଧରେ ୪୨ ଡିଗ୍ରି ପାରା ଛୁଇଁଛି। ଭୁବନେଶ୍ବରରେ ଆଜି ହଠାତ୍‌ ୪.୧ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇଁ ଏହା ୪୧.୯ ଡିଗ୍ରିରେ ପହଞ୍ଚିଛି।

ମାଲକାନଗିରିରେ ୪୧.୯, ନୟାଗଡ଼, ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୧.୬, ଖୋର୍ଦ୍ଧା, ଟିଟିଲାଗଡ଼ରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ବରରେ ୪୧.୪, ବାଲେଶ୍ବରରେ ୪୧.୧, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର