କୋରାପୁଟ୍‌ରେ ମେ’ ୨୭ରୁ ଆରମ୍ଭ ହେବ ରବି ଧାନ କିଣା, ବିକିବେ ୧୯,୩୪୫ ଚାଷୀ 

କୋରାପୁଟ: କୋରାପୁଟ ଜିଲ୍ଲାରେ ଖରିଫ ଋତୁରେ ଧାନ କିଣା ଏକ ପ୍ରକାର ଶେଷ ହୋଇଛି। ଆଜି ରବି ଋତୁ ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ମେ’ ମାସ ୨୭ ତାରିଖ ଠାରୁ ଜୁନ ୩୦ ତାରିଖ ଯାଏ ରବିଋତୁ ପାଇଁ ଜିଲ୍ଲାରେ ରହିଥିବା ଚାଷୀଙ୍କଠାରୁ ଧାନ କିଣାଯିବ। ଜିଲ୍ଲାସ୍ତରୀୟ ପକ୍ୟୁରମେଣ୍ଟ କମିଟିର ବୈଠକ ଅନୁସାରେ୧୯ହଜାର ୩୪୫ ଜଣଚାଷୀଙ୍କଠାରୁ କିଣାଯିବ ୨୪ ଲକ୍ଷ କୁଇଣ୍ଟାଲ ଧାନ। ଏହି ବୈଠକରେ ଏଡିଏମ ରାଜେଶ୍ବର ମାଝି, ପିଡିଡିଆରଡିଏ ହେମକାନ୍ତ ସୟ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଉପାଧ୍ୟକ୍ଷ ରାଧାମୋହନ ସାମନ୍ତରାୟ, ବିଧାୟକଙ୍କ ପ୍ରତିନିଧି, ସାଂସଦଙ୍କ ପ୍ରତିନିଧିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ।

କିନ୍ତୁ ରବି ଋତୁ ପାଇଁ ଚାଷୀମାନଙ୍କ ଠାରୁ ୨ଟି କୃଷି ସମବାୟ ସମିତି, ୧୫ଟି ସ୍ବଂୟ ସହାୟକ ଗୋଷ୍ଠୀ ପେକ୍ସ ଓ ୧୬ ଲାମ୍ପସରେ ଆଗୁଆ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସରକାର ରବିଋତୁରେ ଚାଷୀଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ। ସେଥିପାଇଁ ପହିଲାରୁ ଚାଷୀଙ୍କର ନବୀକରଣ ଓ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରାଯିବ। ଏହି ନବୀକରଣ ପାଇଁ ଆସନ୍ତା ମାସ ୧୫ ତାରିଖ ଯାଏ କୃଷି ସମବାୟ ସମିତି, ଏସଏସଜି, ପାଣିପଞ୍ଚାୟତ ପ୍ୟାକ୍ସ ଓ ଲାମ୍ପସରେ ନବୀକରଣ ଫର୍ମ ପାଇପାରିବେ।

ଅନ୍ୟପକ୍ଷରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀମାନେ ଫୁଡଓଡିଶା ପୋଟାର୍ଲକୁ ଫାର୍ମ ରେଜିଷ୍ଟ୍ରେସନରେ ଥିବା ରବି ନବୀକରଣ ଫର୍ମ ୨୦୨୨ ଟ୍ୟାବକୁ ଖୋଲି ପ୍ରିଣ୍ଟ କରି ଫର୍ମ ପୂରଣ କରିପାରିବେ। ଖରିଫ୍‌ ଋତୁରେ ପଞ୍ଚୀକୃତ ହୋଇଥିବା ଚାଷୀମାନେ ଚାଷ କରିଥିବା କେବଳ ଜଳସେଚିତ ଜମିର ତଥ୍ୟ ଉକ୍ତ ଫର୍ମର ଦ୍ବିତୀୟ ଭାଗରେ ଖାତା ଓ ପ୍ଲଟ ହିସାବରେ ତଥ୍ୟ ଦେବେ। ଅନ୍ୟପକ୍ଷରେ ଯେଉଁ ଚାଷୀମାନେ ଖରିଫ ଋତୁରେ ପଞ୍ଜୀକରଣ କରି ନ ଥିବେ ସେହି ନୂତନ ଚାଷୀମାନେ ସେମାନଙ୍କର ସମିତିରୁ ଗୋଟିଏ ନୂତନ ପଞ୍ଜୀକରଣ ଫର୍ମ ପୂରଣ କରିବେ । ଏହାସହ ଏହିର ଏକ ନକଲ ମଧ୍ୟ ରାଜ୍ୟ ସରକାରଙ୍କ ଫୁଡଓଡ଼ିଶା ପୋର୍ଟଲରେ ଉପଲବ୍ଧ ରହିଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ନିକଟରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ ନୂତନ ଚାଷୀ ପଞ୍ଜୀକରଣ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଚାଷୀମାନେ କୃଷି ସମବାୟ ସମିତି, ପାଣିପଞ୍ଚାୟତ, ପ୍ୟାକ୍ସ ଓ ଲାମ୍ପସ ସହ ଯୋଗଯୋଗ କରିବାକୁ କୁହାଯାଇଛି। ପଞ୍ଜୀକରଣ ଓ ନବୀକରଣ ପାଇଁ ଚାଷୀମାନେ ପଞ୍ଜୀକରଣ ଫର୍ମ ସହ କିଶାନ କ୍ରେଡିଟ କାର୍ଡ, ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ, ଭୋଟର ପରଚୟ ପତ୍ର ସହ ଆଧାର କାର୍ଡର ନକଲ, ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର ନକଲ, ଦାଖଲ ହୋଇଥିବା ଜମି ବିବରଣୀର ଆରଓଆରର ନକଲ ପ୍ରଭୃତି ଆବଶ୍ୟକ କାଗଜପତ୍ର ଦାଖଲ କରିବା ନିତାନ୍ତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୨୧-୨୨ ଆର୍ଥିକ ବର୍ଷରେ ଖରିଫ ଋତୁରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୩୩୮୦୬ ଜଣ ଚାଷୀଙ୍କ ମଧ୍ୟରୁ ୩୦୯୬୩ ଜଣ ଚାଷୀଙ୍କଠାରୁ ୨୪୧୩୮୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି।

ସମ୍ବନ୍ଧିତ ଖବର