ବ୍ରହ୍ମପୁର: ଦଳରେ ଅଲୋଡ଼ା ହୋଇ ରହିଥିବା ଅଭିଯୋଗ କରି ବିଜେଡିର ଦୁଇ ପୂର୍ବତନ ବିଧାୟକ ଦଳ ଛାଡ଼ିଛନ୍ତି। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ବ୍ରହ୍ମପୁର ପୌରପାଳିକା ସମୟର ପୂର୍ବତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ଓ ତାଙ୍କ ପତ୍ନୀ ତଥା ରାଜ୍ୟ ମହିଳା ସଂଗଠନର ସାଧାରଣ ସଂପାଦିକା ଜାମୁଲା ସୁଷମାରାଣୀ ଦଳ ଛାଡ଼ିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୫ରୁ ୯୦ ପର୍ଯ୍ୟନ୍ତ ବ୍ରହ୍ମପୁର ବିଧାୟକ ଭାବେ କ˚ଗ୍ରେସ ଦଳରୁ ଜିତିଥିବା ଶିବଶଙ୍କର ସାହାଣୀ ୨୦୧୪ରେ ବିଜେଡିରେ ସାମିଲ ହୋଇଥିଲେ। ଦଳର ଉପସଭାପତି ରହିବା ପରେ ସ˚ପ୍ରତି ଜିଲ୍ଲା କାର୍ଯ୍ୟକାରିଣୀରେ ରହି କାର୍ଯ୍ୟ କରିଥିଲେ ବି ଦଳର ସାଂଗଠନିକ ସ୍ଥିତିକୁ ନେଇ ବିମୁଖ ରହିଥିଲେ। ପୂର୍ବତନ ବିଧାୟକ ଭାବେ ଯେପରି ଗୁରୁତ୍ବ ମିଳିବା କଥା ତାହା ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଗତ ଦିନରେ ସହରର କ’ଣ ବିକାଶ କରିଛନ୍ତି ଯେ ଏବେ ପୁଣି ଦଳ ତାଙ୍କୁ ଭରଷା କରିଛି ବୋଲି ପ୍ରଶ୍ନ କରିଥିଲେ। ସେହି ଭଳି ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୯୯୦ରୁ ୧୯୯୫ପର୍ଯ୍ୟନ୍ତ ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ହରିହର ସାହୁ ମଧୢ ବିମୁଖ ହୋଇ ଦଳ ଛାଡ଼ିଛନ୍ତି। ୧୯୯୦ରୁ ଜନତା ଦଳରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡିରେ ରହି କାମ କରୁଥିଲେ। ଦଳ କ୍ରମାଗତ ଭାବେ ଅଣଦେଖା କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।
ବ୍ରହ୍ମପୁରର ପୂର୍ବତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ଓ ତାଙ୍କ ପତ୍ନୀ ଜାମୁଲା ସୁଷମାରାଣୀ ୨୦୧୪ରେ ବିଜେଡିରେ ସାମିଲ ହୋଇଥିଲେ ବି ଦଳ ସେମାନଙ୍କୁ ଗୁରୁତ୍ବ ଦେଇନଥିବା କହିଛନ୍ତି। ଆଜି ସେମାନେ ଇସ୍ତଫା ପତ୍ର ଦଳର ମୁଖିଆଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି। ଏଥିପୂର୍ବରୁ ଛତ୍ରପୁରର ଅସନ୍ତୁଷ୍ଟ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଦଳରୁ ଇସ୍ତଫା ଦେଇଥିଲେ। ପୂର୍ବତନ ବିଧାୟକ ଶ୍ରୀ ସେଠୀ ସଂପ୍ରତି ଖଲ୍ଲିକୋଟ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି।