ମିସନ୍ ଶକ୍ତି ‘ବ୍ୟାଙ୍କ ସଖୀ’ଙ୍କ ଦ୍ବାରା ୨୩୦ କୋଟି କାରବାର

ଭୁବନେଶ୍ବର : ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ନାହିଁ, ସେଠାରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ ସେବା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ନିମନ୍ତେ ଏକ ଆହ୍ବାନ ଥିଲା। ସହଯୋଗୀ ବ୍ୟାଙ୍କଗୁଡ଼ିକ ସହ ସମନ୍ବୟ ରକ୍ଷା କରି ବ୍ୟାଙ୍କ ନ ଥିବା ପଞ୍ଚାୟତଗୁଡ଼ିକରେ ଲୋକଙ୍କ ପାଇଁ ମୌଳିକ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ନିମନ୍ତେ ମିସନ୍ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ/ମହାସଂଘର ସଦସ୍ୟମାନଙ୍କୁ ବ୍ୟାଙ୍କ ସଖୀ ଭାବେ ନିୟୋଜିତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ବ୍ୟାଙ୍କ ସଖୀ ଭାବେ ମିସନ୍ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି। ଯୋଗ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ/ସଂଘର ସଦସ୍ୟାମାନଙ୍କୁ ଚୟନ କରିବା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯାଇଛି।

ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମରେ ମିସନ୍ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସକ୍ରିୟ ସଂପୃକ୍ତିକୁ ଦର୍ଶାଉଛି। ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନ ଥିବା ପଞ୍ଚାୟତଗୁଡ଼ିକରେ ୧୨୫୨ ମିସନ୍ ଶକ୍ତି ଏସ୍ଏଚ୍‌ଜି ସଦସ୍ୟମାନେ ବ୍ୟାଙ୍କିଙ୍ଗ୍ ସେବାରେ ନିୟୋଜିତ ହୋଇଛନ୍ତି। ଏଥି ପାଇଁ ଆବଶ୍ୟକ ବୈଷୟିକ ଉପକରଣ ସଂଗ୍ରହ ପାଇଁ ରାଜ୍ୟ ସରକାର ଓ ନାବାର୍ଡ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟାଙ୍କ ସଖୀଙ୍କୁ ଆର୍ଥିକ ସୁରକ୍ଷା ପାଇଁ ପ୍ରତି ମାସରେ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସଖୀମାନଙ୍କ ଦ୍ବାରା ପାଖାପାଖି ୨୩୦ କୋଟି ଟଙ୍କାର ଆର୍ଥିକ କାରବାର କରାଯାଇପାରିଛି। ଏହା ବ୍ୟାଙ୍କ ସଖୀମାନେ ମାସିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ବୋଲି ମିସନ୍ ଶକ୍ତି ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର