ମନରେଗାରେ ୨୬% ପିସି; ଚନ୍ଦ୍ରପୁରର ୮, କାଶୀପୁରର ୨୪ ପରିବାରକୁ ମିଳିଛି ଶହେ ଦିନର କାମ

ଦିଶା ବୈଠକରେ ଅସନ୍ତୋଷ ଝାଡ଼ିଲେ ରାୟଗଡ଼ା ବିଧାୟକ

ରାୟଗଡ଼ା: ମନରେଗା ବିଲ୍ ପାଇଁ ଆଦାୟ ହେଉଛି ୨୬ ପ୍ରତିଶତ ପିସି। ଭାଗ ବାଣ୍ଟି ନେଉଛନ୍ତି ଯନ୍ତ୍ରୀ, ବିଡ଼ିଓ। ଅଧିକାଂଶ ହିତାଧିକାରୀଙ୍କ ନାଁରେ ଭୁଲ୍ ମଷ୍ଟର୍ ରୋଲ୍ ପ୍ରସ୍ତୁତ କରାଯିବା ସହ ସାମଗ୍ରୀ (ମ୍ୟାଟେରିଆଲସ୍) ବାବଦ ବିଲ୍ ପାଇଁ ମିଥ୍ୟା ଭେଣ୍ଡର କୋଡ୍ କରି ହଡ଼ପ ହେଉଛି ହିତାଧିକାରୀଙ୍କ ଟଙ୍କା। ଯେଉଁଥି ପାଇଁ ମନରେଗାରେ କାମ କରିବାକୁ ଶ୍ରମିକ ମୁହଁ ମୋଡ଼ୁଛନ୍ତି।

ଜିଲ୍ଲାରେ ମନରେଗା ଯୋଜନ‌ାରେ ଚାଲିଥିବା ଦୁର୍ନୀତିକୁ ନେଇ ଜିଲ୍ଲାସ୍ତରୀୟ ଉନ୍ନୟନ ସହଭାଗିତା ଓ ପରିଚାଳନା କମିଟି (ଦିଶା) ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ଶ୍ରୀ ମୁଦୁଲି ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରି କହିଛନ୍ତି, ସରକାର ଗ୍ରାମାଞ୍ଚଳ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି। ଯୋଜନା ବାବଦ ଅନୁଦାନରୁ ୬୦ ପ୍ରତିଶତ ଶ୍ରମିକଙ୍କ ମଜୁରୀ, ୪୦ ପ୍ରତିଶତ ମ୍ୟାଟେରିଆଲସ୍ ବାବଦକୁ ଖର୍ଚ୍ଚ କରିବାର ନିର୍ଦେଶ ରହିଛି। କିନ୍ତୁ ଶ୍ରମିକଙ୍କ ନାଁରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରାଯାଇ ମେସିନ୍ ସମସ୍ତ କାମ କରୁଛି।

ସେହିପରି ୪୦ ପ୍ରତିଶତ ମ୍ୟାଟେରିଆଲସ୍ କାମରେ କଲର୍ଭଟ୍, ଗାର୍ଡ ୱାଲ୍ ସହିତ ଅନ୍ୟ ନିର୍ମାଣ କାମ କରିବାକୁ ବ୍ଲକରେ କଣ୍ଟ୍ରାକ୍ଟର ଭିଡ଼ ଜମାଉଛନ୍ତି। ନିମ୍ନମାନର କାମ କରି ଭେଣ୍ଡର କୋଡ୍ ମାଧ୍ୟମରେ ବିଲ୍ ପାସ୍ କରୁଥିବାରୁ ଏହା ବାବଦକୁ ୨୬ ପ୍ରତିଶତ ପିସି ଆଦାୟ ହେଉଛି। ଯାହା ସଂପୃକ୍ତ ପଞ୍ଚାୟତର ଯନ୍ତ୍ରୀ, ପିଇଓ, ଜିଆରଏସଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ମଧ୍ୟରେ ଭାଗବଣ୍ଟା ହେଉଛି। ଠିକ୍ ସମୟରେ ମଜୁରୀ ଓ କାମ ମିଳୁନଥିବାରୁ ଶ୍ରମିକ ମନରେଗାରେ କାମ ନ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଯାହାର ଉଦାହରଣ ମନରେଗା ଯୋଜନାରେ ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରରେ ମାତ୍ର ୮ ପରିବାରକୁ ଶହେ ଦିନର କାମ ମିଳିଥିବାରୁ ସ୍ପଷ୍ଟ।

କାଶୀପୁର ବ୍ଲକର ୨୪ ପରିବାରକୁ, କଲ୍ୟାଣସିଂହପୁରର ୩୫, ବିଷମକଟକର ୫୨ ପରିବାରକୁ ମିଳିଛି ଶହେ ଦିନର କାମ। ଏହି ୪ ବ୍ଲକରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ବ୍ଲକ୍ କର୍ତ୍ତୃପକ୍ଷ ମନରେଗାର ସଠିକ୍ ପରିଚାଳନାରେ ବିଫଳ ହୋଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲାରେ ୧ କୋଟି ୧୬ ଲକ୍ଷ ୫୧ ହଜାର ୫୦୦ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଥିବା ବ‌େଳେ ଆଜି ସୁଦ୍ଧା ୨୬.୪୧ ପ୍ରତିଶତ ହାରରେ ୩୦ ଲକ୍ଷ ୭୬ ହଜାର ୯୪୫ ଶ୍ରମ ଦିବସ ସୃଷ୍ଟି ହୋଇଛି। ଯୋଜନାରେ ଶ୍ରମିକଙ୍କ ସହଭାଗିତା ହାର ରହିଛି ୪୭.୪୭ ପ୍ରତିଶତ।

ବୈଠକରେ ମନରେଗା ସହିତ କେନ୍ଦ୍ର ସରକାରଙ୍କ ଦ୍ବାରା ଜିଲାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପର ଭିତ୍ତିଭୂମି ବିକାଶ, ଟେଲି ଯୋଗାଯୋଗ, ସାଂସଦ ଆଦର୍ଶ ଗ୍ରାମ, ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଜାତୀୟ ଜୀବିକା ମିଶନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା। ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଯୋଜନାର ଅସମ୍ପୂର୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ମତ ପ୍ରକାଶ ପାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷିତାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ପିଡି ଡିଆରଡିଏ ମହେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର