୩୪ତମ ସ୍ବାଧୀନତା ସଂଗ୍ରାମୀ ସମିତି ମହୋତ୍ସବ: ‘ମହତାବ ଏକ ବିଚାରଧାରା’

ଭୁବନେଶ୍ବର : ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଜଣେ ବ୍ୟକ୍ତି ନୁହଁନ୍ତି, ଏକ ବିଚାରଧାରା। ଏହି ବିଚାରଧାରା ବା ମହତାବବାଦ୍‌କୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସ ତଥା ୩୪ତମ ସ୍ବାଧୀନତା ସଂଗ୍ରାମୀ ସମିତି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି। ସେ ଆହୁରି କହିଲେ, ସଂପ୍ରତି ଏକବିଂଶ ଶତାବ୍ଦୀରେ ମହତାବ ବିଚାରଧାରାକୁ ତିଆରି କରିବା ପାଇଁ ଓଡ଼ିଆ ଜାତିକୁ ଉଦ୍ୟମ କରିବାକୁ ପଡ଼ିବ। ଆମ ଜାତି ଧର୍ମପଦ, ବାଜି ରାଉତ ଭଳି ବୀରଙ୍କ ପାଇଁ ପରିଚିତ। ତେଣୁ ଆମକୁ ହିଁ ବିଶେଷକରି ଯୁବପିଢ଼ି ଏହାକୁ ନେଇ ଆଗେଇ ଆସିବାକୁ ପଡ଼ିବ। ମହତାବଙ୍କ ବିଚାରଧାରାକୁ ଯୁଗଦ୍ରଷ୍ଟା ବୋଲି ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଲେ, ପୁନେଠାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପିମ୍ପରି ପେନସିଲିନ୍ କାରଖାନା ପାଇଁ ଆଜି କରୋନା ଟିକାକରଣରେ ଅଗ୍ରଣୀ ଭାବେ ଉଭା ହୋଇଛି। ସମଗ୍ର ଦେଶରେ ଯେତିକି ଟିକା ପ୍ରସ୍ତୁତ ହେବ, ତା’ଠାରୁ ଅଧିକ ଟିକା ପୁନେସ୍ଥିତ ଏହି କାରଖାନାରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ମହୋତ୍ସବକୁ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନରେ ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚନ କରାଯିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଅଧିବେଶନକୁ ବିରୂପାକ୍ଷ ତ୍ରିପାଠୀ ସଂଚାଳନ କରିଥିବା ବେଳେ ଉପେନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେ।

ସେହିଭଳି ଅପରାହ୍‌ଣରେ ଯୁବ ସାମ୍ମୁଖ୍ୟ ସମାବେଶ ଅନୁଷ୍ଠିତ ହୋଇଥିଲା। ରାଜ୍ୟସଭା ସାଂସଦ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜେପି ନେତା ଭୃଗୁ ବକ୍ସିପାତ୍ର, ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଓ ଯୁବ ସଂଗଠକ ମନ୍ମଥ ରାଉତରାୟ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଶରତ ଚନ୍ଦ୍ର ପ୍ରଧାନ ଓ ବୈଷ୍ଣବ ଚରଣ ଜେନା ଅତିଥି ପରିଚୟ ଦେଇଥିବା ବେଳେ ସନ୍ତୋଷ ପତି, ଅଭୟ ବଡ଼ଜେନା, ଜଗନ୍ନାଥ ପାଢ଼ୀ, ସୁଧାଂଶୁ ମହାପାତ୍ର, ଶ୍ୟାମ ପ୍ରସାଦ ପଟ୍ଟନାୟକ, ମାଲା ସିଂ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର