୪ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ, ଦୁଇ ଗିରଫ

ଖୋର୍ଦ୍ଧାରୁ ଗଞ୍ଜାମକୁ ଲମ୍ବିଛି ରାକେଟ୍

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁଲିସ ଆଜି ୪ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ପୋଲସରା ଥାନା ମଧୁସୂଦନପୁର ଗ୍ରାମର ରଞ୍ଜିତ କୁମାର ସାହୁ (୪୭) ଓ ଖୋର୍ଦ୍ଧା ଜିଲ୍ଲା ଗଡ଼ଖୋର୍ଦ୍ଧାର ସଞ୍ଜୟ କୁମାର ଚମ୍ପତି (୨୪)। ସେମାନଙ୍କଠୁ ଦୁଇଟି ମୋବାଇଲ୍ ମଧ୍ୟ ଜବତ ‌ହୋଇଥିବା ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ନେଇ ଆଜି ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ ସଞ୍ଜୟ ଓ ରଞ୍ଜିତ୍ ତିନିମାସ ହେଲା ଏହି ବେଆଇନ ବ୍ୟବସାୟ କାରବାରରେ ଲିପ୍ତ ରହିଛନ୍ତି। ସେମାନେ ଖୋର୍ଦ୍ଧାରୁ ବ୍ରାଉନ୍ ସୁଗାର୍ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଆଜି ଭୋର୍ ସାଢ଼େ ୪ଟାରେ ସେମାନେ ଟାଙ୍ଗି (ଖୋର୍ଦ୍ଧା ଜିଲ୍ଲା) ଯିବା ଲାଗି ପୋଲସରା-ମଥୁରା ରାସ୍ତାରେ ବସ୍‌କୁ ଅପେକ୍ଷା କରିଥିଲେ। ସୂଚନା ପାଇ ଉସ୍ତାପଡ଼ା ନିକଟ ପୋଲରେ ଥାନାର ଏଏସ୍‌ଆଇ ଅଜୟ କୁମାର ମଲ୍ଲିକ ଓ କର୍ମଚାରୀମାନେ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିଲେ। କେସ୍ ନମ୍ବର ୪୬୭ ଅନୁସାରେ ମାମଲା ରୁଜୁ ସହ ଉଭୟଙ୍କଠୁ ୪ ଗ୍ରାମ୍ ବ୍ରାଉନ୍ ସୁଗାର୍ ଓ ଦୁଇଟି ମୋବାଇଲ୍ ଜବତ ହୋଇଛି। ତଦନ୍ତ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି। ତେବ‌େ ସଂପ୍ରତି ବ୍ରାଉନ୍‌ ସୁଗାର୍ କାରବାରର ରାକେଟ୍ ଖୋର୍ଦ୍ଧାରୁ ଗଞ୍ଜାମ ଜିଲ୍ଲାକୁ ଲମ୍ବିଥିବା ଏଥିରୁ ସ୍ପଷ୍ଟ ହେଉଛି।

ସମ୍ବନ୍ଧିତ ଖବର