ଲକ୍‌ଡାଉନ୍‌ରେ ବେଧଡ଼କ୍ ଗୁଟ୍‌ଖା କାରବାର : ଦେଢ଼କୋଟି ଟଙ୍କାର ସାମଗ୍ରୀ ଜବତ, ୮ ଗିରଫ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଲକ୍‌ଡାଉନ୍‌ରେ ସବୁ କିଛି ବନ୍ଦ ରହିଥିବା ବେଳେ ବେଆଇନ ନିଶା କାରବାର ବନ୍ଦ ହେଉ ନାହିଁ। ଗଞ୍ଜାମ ଜିଲ୍ଲାରେ ନକଲି ମଦ, ଗୁଟ୍‌ଖା କାରବାର ସହ ଗଂଜେଇ ଚାଲାଣ ଜାରି ରହିଛି। ଏଭଳି ଏକ ଗୁଟ୍‌ଖା କାରବାର ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ନେତୃତ୍ବରେ ଏକ ଟିମ୍‌ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି, ମାର୍ଥାପଲ୍ଲୀ ଓ ବରପଲ୍ଲୀରେ ଚଢ଼ଉ କରି ୩ଟି କାରଖାନା ଠାବ କରିଛନ୍ତି। ସେଠାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗୁଟ୍‌ଖା, କଞ୍ଚାମାଲ୍‌ ମେସିନ୍‌ ପ୍ରଭୃତି ଜବତ ହୋଇଛି। ଏ ସଂକ୍ରାନ୍ତରେ ସଦର ଥାନା ପୁଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଅଞ୍ଚଳରେ ଗୁଟ୍‌ଖା ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ସେ ନେଇ ଉପଜିଲ୍ଲାପାଳ ଓ କୁକୁଡ଼ାଖଣ୍ଡି ତହସିଲଦାର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ପ୍ରଥମେ ମାର୍ଥାପଲ୍ଲୀଠାରେ ଥିବା ଏକ ଧାନକଳ ସମ୍ମୁଖରେ ଥିବା ଘରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେଠାରୁ ୬ଟି ଗୁଟ୍‌ଖା ପ୍ରସ୍ତୁତି ମେସିନ୍‌, ୧କୋଟି ଟଙ୍କାରୁ ଅଧିକ ଗୁଟ୍‌ଖା ଜବତ କରାଯାଇଥିଲା। ସେହିପରି ୮ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ପରେ ଗୁରୁଣ୍ଠି ପଞ୍ଚଶକ୍ତି ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହରୁ ୫୦ଲକ୍ଷ ଟଙ୍କାର ଗୁଟ୍‌ଖା ସହ ବିଭିନ୍ନ ସରଞ୍ଜାମ ଜବତ ହୋଇଥିଲା। ସେହି କାରଖାନା ଚଳାଉଥିବା ବ୍ୟକ୍ତିଙ୍କ ବରପଲ୍ଲୀ ସ୍ଥିତ କାଜୁ ଫ୍ୟାକ୍ଟ୍ରିରେ ଚଢ଼ଉ କରି ପୁଲିସ ଏକ ଟାଙ୍କିରୁ ବହୁ ପରିମାଣ ଲେବଲ୍‌ ଓ ପଲିଥିନ୍‌ ଜବତ କରିଥିଲା। ଚଢ଼ଉରେ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତି ଓ ଆର୍‌ଆଇ, ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର, ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ସାମିଲ ଥିଲେ।

ସମ୍ବନ୍ଧିତ ଖବର