ବଡ଼ମ୍ବାରେ ଦନ୍ତା ହାତୀ ମୃତ୍ୟୁ ଘଟଣା: ବନବିଭାଗ ହାଜତରେ ଅଟକ ବ୍ୟକ୍ତିଙ୍କୁ ହତ୍ୟା!

ପ୍ରତିବାଦରେ ତୁମୁଳକାଣ୍ଡ: ରାସ୍ତାରୋକ, ବିଟ୍‌ ହାଉସ୍‌ ପୋଡ଼ାଜଳା, ଭଙ୍ଗାରୁଜା

କଟକ/ଆଠଗଡ଼/ବଡ଼ମ୍ବା : ଦନ୍ତା ହାତୀ ଶିକାର ଓ ଦାନ୍ତ ଲୁଟ୍‌ ଅଭିଯୋଗରେ ବନ ବିଭାଗ ଅଟକ ରଖିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବନ ବିଭାଗର ବାଣପୁର ବିଟ୍‌ ହାଉସ୍ ଭଙ୍ଗାରୁଜା, ପୋଡ଼ାଜଳା କରିଛନ୍ତି। ବଡ଼ବାରସିଂହ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ଜାରି ରହିବାରୁ ଅତିରିକ୍ତ ଏସ୍‌ପି, ଉପଜିଲ୍ଲାପାଳ, ଆଠଗଡ଼ ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବନବିଭାଗ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ସହ ପରିବାରର ଜଣଙ୍କୁ ମାସକ ମଧ୍ୟରେ ଚାକିରି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହି ଅର୍ଥରୁ ୧ ଲକ୍ଷ ଟଙ୍କା ଏବଂ ରେଡକ୍ରସ ପକ୍ଷରୁ ୩୦ହଜାର ଟଙ୍କା ସହାୟତା ରାଶି ଆଜି ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଛି। ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକରୁ ଓହରି ଯାଇଥିଲେ। ଅନ୍ୟପଟେ ହେପାଜତରେ ଥିବା ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେବା ଅଭିଯୋଗ ଆଧାରରେ ପୁଲିସ ଆଠଗଡ଼ ବନଖଣ୍ଡର ୨ଜଣ ସହକାରୀ ବନଖଣ୍ଡ ଅଧିକାରୀ(ଏସିଏଫ୍), ବଡମ୍ବା ରେଞ୍ଜରଙ୍କ ସମେତ ୧୫ଜଣ ବନ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଦୁଇ ଏସିଏଫ୍‌, ରେଞ୍ଜରଙ୍କ ସମେତ ୧୫ ଜଣଙ୍କୁ ‌ଅଟକ ରଖି ପୁଲିସର ଜେରା
ମୃତକଙ୍କ ପରିବାରକୁ ବନ ବିଭାଗ ଦେବ ୪ ଲକ୍ଷ ୭୦ ହଜାର ଟଙ୍କା, ପରିବାରର ଜଣଙ୍କୁ ଚାକିରି

ସୂଚନା ଅନୁସାରେ, ଜାନୁଆରି ୩୧ ତାରିଖରେ ବଡ଼ମ୍ବା ଓ ହିନ୍ଦୋଳ ସୀମାବର୍ତ୍ତୀ ମାଣିଆବନ୍ଧ ବିଟ୍‌ ଅନ୍ତର୍ଗତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ହାତୀକୁ ଗୁଳିକରି ହତ୍ୟା ପରେ ଦାନ୍ତକୁ କାଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଏହି ଘଟଣାର ତଦନ୍ତ କରି କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ବନ୍ଧୁକ ମଧ୍ୟ ଜବତ୍‌ କରିଥିବା କୁହାଯାଉଛି।

ଉକ୍ତ ଅଟକ ରହିଥିବା ବ୍ୟକ୍ତିଙ୍କ ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ଧନେଶ୍ବର ବେହେରା(୫୯)ଙ୍କୁ ଆଣି ବନ ବିଭାଗ କର୍ମଚାରୀ ଅଟକ ରଖିଥିଲେ। ଧନେଶ୍ବର ନିଜ ଝିଅର ସାଦଭାର ନେଇ ଅଟୋରେ ଫେରୁଥିବା ବେଳେ ବଡମ୍ବା ପେଟ୍ରୋଲ ପମ୍ପ ନିକଟରୁ ବନବିଭାଗ ତାଙ୍କୁ ନେଇଯାଇଥିଲା। ତାଙ୍କୁ ହେପାଜତରେ ରଖି ବନ ବିଭାଗ ତଦନ୍ତ କରୁଥିବାବେଳେ ଗତକାଲି ରାତି ପ୍ରାୟ ସାଢେ ୧୨ଟାରେ ଧନେଶ୍ବରଙ୍କୁ ଗୁରୁତର ଅବସ୍ଥାରେ ବନକର୍ମଚାରୀମାନେ ତିଗିରିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ‌ ଘୋଷଣା କରିଥିବାବେଳେ ବନକର୍ମଚାରୀମାନେ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଠେଲାପେଲା କରି ସେଠାରେ ଶବକୁ ଛାଡିଦେଇ ପଳାଇ ଯାଇଥିଲେ। ତିଗିରିଆ ମେଡିକାଲ ଡାକ୍ତରଙ୍କ ସୂଚନାକୁ ଆଧାର କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସିସିଟିଭି ଫୁଟେଜ୍‌କୁ ସଂରକ୍ଷିତ ରଖିଛି।

ଧନେଶ୍ବରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କ ପରିବାର ଓ ଗାଁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ମୃତ ଧନେଶ୍ବରଙ୍କ ପତ୍ନୀ ତୁଳସୀ ଓ ଅନ୍ୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବିନ ବିଭାଗ କର୍ମଚାରୀ ଧନେଶ୍ବରଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଅଭିଯୁକ୍ତ ବନ ବିଭାଗ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକ ସେଠାରେ ପ୍ରତିବାଦ କରିଥିଲେ। ବିକ୍ଷୋଭ, ଭଙ୍ଗାରୁଜା, ପୋଡ଼ାଜଳା ସହିତ ରାସ୍ତାରୋକ କରିଥିଲେ। ରାସ୍ତାରୋକ ସ୍ଥଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ବିଜେପି ନେତା ବିଜୟ କୁମାର ଦଳବେହେରା, ମଙ୍ଗୁଳି ସାହୁ, ସରପଞ୍ଚ ସ୍ବାଧୀନ ସାହୁ, ସାନବାରସିଂହ ସରପଞ୍ଚ ସଦାନନ୍ଦ ସ୍ବାଇଁ, ଆଠଗଡ ଏସ୍‌ଡିପିଓ ବିଜୟକୁମାର ବିଶି, ତହସିଲଦାର ନୀଳକଣ୍ଠ ବେହେରା, ଥାନା ଅଧିକାରୀ ସ୍ନିଗ୍ଧାରାଣୀ ବରାଳ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।

ମୃତ ଧନେଶ୍ୱରଙ୍କ ପତ୍ନୀ ତୁଳସୀଙ୍କ ଅଭିଯୋଗ ଆଧାରରେ ବଡମ୍ବା ଥାନାରେ ପୁଲିସ ମାମଲା ରୁଜୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ସବ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ବନ ବିଭାଗର କର୍ମଚାରୀଙ୍କୁ ବଡ଼ମ୍ବାରୁ କାବୁ କରି ବଡମ୍ବା ଥାନାକୁ ଓ ପରେ ଆଠଗଡ ଥାନାକୁ ଆଣିଥିଲେ। ଅତିରିକ୍ତ ଏସ୍‌ପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ , ଆଠଗଡ ଉପଖଣ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ପ୍ରମୁଖ ଆଠଗଡ ଥାନାରେ ପହଞ୍ଚି ଘଟଣାର ଛାନଭିନ୍ କରିଥିଲେ। ଆଠଗଡ ଥାନା ପରିସରରେ ଅତିରିକ୍ତ ଏସ୍‌ପି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଆଠଗଡ ଏସ୍‌ଡିପିଓ ବିଜୟ କୁମାର ବିଶି ଏହି ଘଟଣାର ତଦନ୍ତକାରୀ ଅଧିକାରୀ ରହିଛନ୍ତି। ପୁଲିସ ଏସିଏଫ୍ ଘନଶ୍ୟାମ ମୁଦୁଲି, ଏସିଏଫ୍ ହରେକୃଷ୍ଣ ମଲ୍ଲିକ, ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଫରେଷ୍ଟର, ଗାର୍ଡ ଓ ସ୍କ୍ବାଡ୍‌ର ୧୫ଜଣଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ଅଧିକ ଜେରା ଚଳାଇଛି। ତଦନ୍ତ ସମୟରେ ଯେଉଁ ମାନଙ୍କ ବିରୋଧରେ ଠୋସ ପ୍ରମାଣ ମିଳିବ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତାକାଲି ସମସ୍ତ ତଥ୍ୟ ଜଣାପଡିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ବାଳ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଶ୍ରୀ ବିଶ୍ବାଳ କହିଛନ୍ତି ଯେ ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଘଟଣାର ତଦନ୍ତ ପାଇଁ କଞ୍ଜରଭେଟର୍‌ ରୢାଙ୍କର ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି। ଆଜି ସୁଦ୍ଧା ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଏବେ ଅଭିଯୁକ୍ତର ଶବ ବ୍ୟବ‌ଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଥାର୍ଡ ଡିଗ୍ରି ଅଭିଯୁକ୍ତର ମୃତ୍ୟୁର କାରଣ ହୋଇଥିବ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧ‌‌ରେ କଠୋର୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର