ବାସନ୍ତୀଙ୍କ ପାଇଁ ବିଜୟ ନାଏକ ଓ ବୁଢ଼ାନଙ୍କ ବାଟରେ ଭାଦବ କଣ୍ଟା

ବାରିପଦା: ମୟୂରଭଞ୍ଜ ଲୋକସଭା ସମେତ ୯ଟି ବିଧାନସଭା ଆସନରୁ ୬ଟିରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ମଧ୍ୟ ୫ଟି ଆସନରେ ପ୍ରାର୍ଥୀ ଦେଇସାରିଛି। ତେବେ ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ ଓ ରାଇରଙ୍ଗପୁର ଆସନ ଏଯାଏ ଝୁଲିରହିଛି। କରଞ୍ଜିଆ ଆସନରୁ ବିଜେଡିରୁ ପ୍ରତିନିଧିତ୍ବ କରୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ଓ ସାରସକଣା ଆସନରୁ ବିଜେପି ବିଧାୟକ ଥିବା ଡାକ୍ତର ବୁଢ଼ାନ ମୁର୍ମୁଙ୍କ ଟିକେଟ୍‌ ଉପରେ ଉଭୟ ଦଳ ନିଷ୍ପତ୍ତି ନେଇ ପାରୁନାହାନ୍ତି।

୨୦୦୯ ଓ ୧୪ ନିର୍ବାଚନରେ କରଞ୍ଜିଆରୁ ବିଜେଡି ନେତା ବିଜୟ ନାଏକ ବିଧାୟକ ଥିଲେ। ଏହି ଆସନରେ ତାଙ୍କର ପ୍ରାଧାନ୍ୟ ଥିଲେ ମଧ୍ୟ ୧୯ରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ଏନ୍‌ଏସି କାଉନସିଲର୍‌ରୁ ରାଜନୀତି ଆରମ୍ଭ କରିଥିବା ବାସନ୍ତୀଙ୍କୁ ଟିକେଟ୍‌ ଦେଇଥିଲା। ସାରା ଜିଲ୍ଲାରେ ବିଜେପି ଲହର ସତ୍ତ୍ବେ ବିଜେପିର ପଦ୍ମଚରଣ ହାଇବୁରୁଙ୍କୁ ପରାସ୍ତ କରିଥିଲେ ବାସନ୍ତୀ। ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ତ୍ରୀ ପଦ ବି ମିଳିଥିଲା। ହେଲେ ମନ୍ତ୍ରୀ ହେବା ପରେ ସଙ୍ଗଠନ ପାଇଁ ସମୟ ନ ଦେବା, ନିଜ ଦଳର ନେତା ଓ କର୍ମୀଙ୍କୁ ଅଣଦେଖା କରିବା, ଠାକୁରମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସହ ବିବାଦ ଆଦି କାରଣରୁ ତାଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲା। ଏହାଛଡ଼ା ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ବି କୁଆଡ଼େ ବାସନ୍ତୀଙ୍କ ବିପକ୍ଷରେ ଯାଇଥିବା କୁହାଯାଉଛି। ତେଣୁ ଏଥର ବାସନ୍ତୀଙ୍କ ବଦଳରେ ପୂର୍ବତନ ବିଧାୟକ ବିଜୟ ନାଏକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଗୋଟିଏ ଗୋଷ୍ଠୀ ପ୍ରଚାର ଚଳାଇଛନ୍ତି। ଏହାକୁ କିନ୍ତୁ ବାସନ୍ତୀଙ୍କ ସମର୍ଥକ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି, ଜଣେ ଆଦିବାସୀ ମହିଳା ମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ଦଳର ମୁଖ୍ୟ ପୂର୍ବ ପରି ଏଥର ମଧ୍ୟ ଅଗ୍ରାଧିକାର ଦେବେ।

ଏପଟେ ଗତ ନିର୍ବାଚନରେ ମୟୂରଭଞ୍ଜରୁ ଜିତିଥିବା ଦଳର ସମସ୍ତ ବିଧାୟକଙ୍କୁ ବିଜେପି ପୁଣି ଭରସା କରି ଟିକେଟ୍‌ ଦେଇଥିଲେ ବି ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁଙ୍କ ଉପରେ ଏଯାଏ କିଛି ନିଷ୍ପତ୍ତି ନେଇନାହିଁ। ଗତଥର ଏଠାରୁ ବିଜେଡିର ଅମର ସିଂ ଟୁଡୁଙ୍କୁ ହରାଇଥିବା ଡାକ୍ତର ମୁର୍ମୁ ଏଥର ବି ଟିକେଟ୍‌ ଦୌଡ଼ରେ ଅଛନ୍ତି। ହେଲେ ତାଙ୍କ ପାଇଁ କଣ୍ଟା ସାଜିଛନ୍ତି ବିଜେଡିର ପୂର୍ବତନ ବିଧାୟକ ଭାଦବ ହାଁସଦା। ସେ ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସାରସକଣାରେ ଭାଦବଙ୍କର ଆଧିପତ୍ୟ ଥିବାରୁ ଏଥର ବୁଢ଼ାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି। ତେବେ ଡାକ୍ତର ଚାକିରି ଛାଡ଼ି ରାଜନୀତିକୁ ଆସି ପ୍ରଥମ ପ୍ରୟାସରେ ବିଧାୟକ ହୋଇଥିବା ବୁଢ଼ାନଙ୍କୁ ଦଳ ଅସନ୍ତୁଷ କରିବାକୁ ଚାହୁଁନି। ସେଥିପାଇଁ ଏହି ଦୁଇ ପ୍ରମୁଖ ଆଶାୟୀଙ୍କ ମଧ୍ୟରୁ କାହାକୁ ଦଳ ଟିକେଟ ଦେବ ଓ କାହାକୁ ବୁଝାଇସୁଝାଇ ରଖିବ, ତାକୁ ନେଇ ମାନସ ମନ୍ଥନ ଚାଲିଛି। ତେବେ ଦଳ ପୁଣି ଥରେ ତାଙ୍କୁ ସୁଯୋଗ ଦେବ ବୋଲି ଡାକ୍ତର ମୁର୍ମୁ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର