ଲୋକଙ୍କ ସେବା ଆମର ପ୍ରଥମ କର୍ତବ୍ୟ: ଅଚ୍ୟୁତ ସାମନ୍ତ

କରୋନା ସହ ଲଢ଼ୁଛି ସାରା ଓଡ଼ିଶା। ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀ ଦିନରାତି ଏକ କରି କରୋନା ଆକ୍ରାନ୍ତଙ୍କ ସେବାରେ ଲାଗି ପଡିଛନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ଏମାନେ ଅଗଧାଡ଼ିର ଯୋଦ୍ଧା ସାଜିଥିବା ବେଳେ ପଛଦପଟରେ ରହି ଆହୁରି ଅନେକ ଲୋକ ବି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କିଟ୍ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ। ଶ୍ରୀ ସାମନ୍ତଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: କୋଭିଡ୍-୧୯ ମୁକାବିଲାରେ କିମ୍ସର ଭୂମିକା କଣ?
ଉତ୍ତର: ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଭାବେ କିମ୍ସ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହୋଇଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସାହିତ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି।

ପ୍ରଶ୍ନ: ଆଗକୁ ଆଉ କେଉଁଠି କୋଭିଡ୍‌ ଖୋଲିବାକୁ ଯୋଜନା ଅଛି?
ଉତ୍ତର: ଭୁବନେଶ୍ୱର ବ୍ୟତୀତ ବାରିପଦା, ବଲାଙ୍ଗୀର ଓ ଫୁଲବାଣୀରେ ବି କୋଭିଡ ହସ୍ପିଟାଲ ଖୋଲାଯାଇ ରୋଗୀଙ୍କ ସେବା ପ୍ରଦାନ କରାଯାଉଛି। ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଆଉ କେଉଁଠି କୋଭିଡ ହସ୍ପିଟାଲ ଖୋଲିବାକୁ କହିବେ, ସେଦିଗରେ ଆମେ ଚିନ୍ତା କରିବୁ।

ପ୍ରଶ୍ନ:- ଲକ ଡାଉନ ସମୟରେ କିଟ ଓ କିସ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷା ଦିଆଯାଉଛି?
ଉତ୍ତର: କିଟ ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଯେଉଁଠାରେ ଲକ ଡାଉନ ହେବା ଦିନଠାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଅନ ଲାଇନରେ ଶିକ୍ଷା ଦିଆଯାଉଛି। କିସର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ହ୍ବାଟ୍ସଆପ ଗ୍ରୁପରେ ଶିକ୍ଷା ପ୍ରଦାନ କରୁଛନ୍ତି। ଯେଉଁଥିରେ ୭୦ରୁ ୭୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି।

ପ୍ରଶ୍ନ- କନ୍ଧମାଳରୁ ରାଜ୍ୟ ବାହାରେ ଥିବା ଲୋକଙ୍କୁ ଆଣିବା ଲାଗି କଣ କରାଯାଉଛି?
ଉତ୍ତର: କନ୍ଧମାଳ ଜିଲ୍ଲାର ୩୫୯ ଲୋକ ବାହାରୁ ଆସିଛନ୍ତି। ସେମାନଙ୍କ ରହିବା, ଖାଇବା ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି।

ପ୍ରଶ୍ନ: ଲକ ଡାଉନରେ ଆପଣଙ୍କ ସମୟ କିଭଳି କଟେ?
ଉତ୍ତର: ମୁଁ ପ୍ରତିଦିନ ୧୬ରୁ ୧୭ ଘଣ୍ଟା କାମ କରେ। ତେବେ ଲକ ଡାଉନ ପରେ ଏତେ କାମ କରୁଛି ଯେ ସମୟ କେତେବେଳେ ସରିଯାଉଛି ଜାଣିପାରୁନି। ଲେଖାଲେଖି କରିବା, ମୋବାଇଲ ମାଧ୍ୟମରେ ବହୁ ଲୋକଙ୍କ ସହ ଆଲୋଚନା କରୁଛି।

ପ୍ରଶ୍ନ: କରୋନା ସମୟରେ ରାଜ୍ୟବାସୀଙ୍କ ପାଇଁ ବାର୍ତ୍ତା କଣ ଦେବେ?
ଉତ୍ତର: ଏହା ଏକ ମହାମାରୀ ବିଭୀଷିକା। କେବେ ଯାଏ ରହିବ, କେତେ ଜୀବନ ନେବ ତାହା ବି ଆକଳନ କରିବା ମୁସ୍କିଲ। ଲୋକେ ଧର୍ଯ୍ୟ ଶକ୍ତି ରଖିବା ଦରକାର। ଯଦି ଧର୍ଯ୍ୟ ରଖିବୁ, ପରସ୍ପରକୁ ସାହାଯ୍ୟ କରିବୁ, ତାହାହେଲେ ଏ ବିପତ୍ତିରୁ ଉଦ୍ଧାର ପାଇବୁ।

ସାକ୍ଷାତକାର- କେଶବ ପାଣି

ସମ୍ବନ୍ଧିତ ଖବର