ହାଇକୋର୍ଟରେ ହାଜର ହେଲେ ଅତିରିକ୍ତ ଶାସନ ସଚିବ

କଟକ : ହାଇକୋର୍ଟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ମୋନା ଶର୍ମା ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ୨୦୨୦, ଡିସେମ୍ବର ୩୦ର ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ପଦବିକୁ ପଦୋନ୍ନତି ସଂପର୍କିତ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ବୋଲି ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୭କୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଏଫ୍‌ଏସ୍ କ୍ୟାଡରରେ ଓଡ଼ିଶା ଫରେଷ୍ଟ ସର୍ଭିସ୍ ଗ୍ରୁପ୍-ଏ (ସିନିୟର ବ୍ରାଞ୍ଚ୍) ପଦକୁ ପଦୋନ୍ନତି ପ୍ରସଂଗରେ ଡିପାର୍ଟମେଣ୍ଟାଲ ପ୍ରମୋସନ୍ କମିଟି(ଡିପିସି) କରିଥିବା ଅନୁମୋଦନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ବରିଷ୍ଠଙ୍କୁ ଉପେକ୍ଷା କରି କନିଷ୍ଠଙ୍କୁ ପଦୋନ୍ନତି ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଡିପିସିର ଅନୁମୋଦନ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ହାଇକୋର୍ଟ ୨୦୨୦, ଅଗଷ୍ଟ ୧୪ରେ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଏ ସଂପର୍କିତ ଅଭିଯୋଗ ଜଙ୍ଗଲ ଓ ପରିବେଶ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦, ଅକ୍ଟୋବର ୫ରେ ଆବେଦନକାରୀଙ୍କ ଏ ସଂପର୍କିତ ଅଭିଯୋଗକୁ ଖାରଜ କରାଯାଇଥିଲା। ଏ ନେଇ ହାଇକୋର୍ଟଙ୍କୁ ମଧ୍ୟ ଅବଗତ କରାଯାଇ ନଥିଲା। ଅନ୍ୟପକ୍ଷରେ ୨୦୨୦, ଡିସେମ୍ବର ୩୦ରେ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏପରି ବିଜ୍ଞପ୍ତି ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଜାନୁଆରି ୫ର ଶୁଣାଣି ସମୟରେ ସ୍ପଷ୍ଟ ହେବା ପରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାନୁଆରି ୨୨ରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ୨୦୨୦, ଡିସେମ୍ବର ୩୦ରେ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟସ୍, ଓଏଫସ୍ ଗ୍ରୁପ୍-ଏ(ଜେବି)ର ଅଧିକାରୀଙ୍କୁ ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ଆଡ୍-ହକ୍ ପ୍ରମୋସନ୍ ପ୍ରଦାନ ସଂପର୍କିତ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଜାନୁଆରି ୫ରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର