ପୁରୀ ଐତିହ୍ୟ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଲା ପ୍ରଶାସନ

ବି ପି ଦାଶ କମିସନ ସୁପାରିସ ଆଧାରରେ ହେଉଛି ପ୍ରକଳ୍ପ
ଖୁସିବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ, ବିଧାନସଭାରେ ବି ପାରିତ ହୋଇଛି
ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ଦେଇଛି, ଏନଓସି ଦେଇଛି ଏନ୍‌ଏମ୍ଏ

ଭୁବନେଶ୍ବର : ପୁରୀ ଐତିହ୍ୟ ପ୍ରକଳ୍ପ ନେଇ ବିବାଦ କ୍ରମଶଃ ବଢୁଥିବା ବେଳେ ଏହି ପ୍ରକଳ୍ପ ସପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ଯୁକ୍ତି ବାଢ଼ିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଆଧ୍ୟାତ୍ମିକ ଓ ଈଶ୍ବରୀୟ ଭାବନା ନେଇ ପୁରୀ ଆସିଥାନ୍ତି। ହେଲେ ଅନେକ ସମୟରେ ମୌଳିକ ସୁବିଧା ସୁଯୋଗ ଅଭାବରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବେଳେ ବେଳେ ଭକ୍ତମାନଙ୍କ ଧାଡି ଜାତୀୟ ରାଜପଥ ଯାଏ ଲମ୍ବିଥାଏ। ବିଶେଷ ପର୍ବପର୍ବାଣୀରେ ଦଳଚକଟା ଭୟ ଥାଏ। ଅତୀତରେ ଏଭଳି ଅଘଟଣ ଘଟିଛି।

ଏସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଐତିହ୍ୟ କରିଡ଼ର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହା ଜଷ୍ଟିସ ବି ପି ଦାଶ କମିସନଙ୍କ ସୁପାରିସ ଉପରେ ଆଧାରିତ। ଏହି ପ୍ରକଳ୍ପକୁ ଗଜପତି ମହାରାଜାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ଦେଇଛନ୍ତି ଓ ୨୦୨୧ ଫେବ୍ରୁଆରି ୨୭ରେ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି। କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

୨୦୧୮ମସିହାରେ ଆଗତ ଏକ ରିଟ୍ ପିଟିସନ ଉପରେ ୨୦୧୯ ନଭେମ୍ବର ୪ ତାରିଖ ଦିନ ଶୁଣାଣି ବେଳେ କୋର୍ଟ ଏହି ପ୍ରକଳ୍ପ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ସହଯୋଗ ଓ ଅନୁମତି ପାଇଁ ଏଏସ୍‌ଆଇକୁ କହିଥିଲେ।

ସେହିଭଳି ଏନଏମ୍ଏ ଗତ ସେପ୍ଟେମ୍ବର ୪ ତାରିଖରେ ଆପତ୍ତି ବିହୀନ ପ୍ରମାଣ ପତ୍ର ଦେଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟର ସମର୍ଥନ କରିଛି। ଏଏସଆଇ ମହାନିର୍ଦେଶକ ଗତ ଫେବ୍ରୁଆରି ୨୧ରେ ଏହାର ସମୀକ୍ଷା କରିଥିଲେ। ଯେହେତୁ ଭକ୍ତମାନଙ୍କ ସୁବିଧା ପାଇଁ ଏହି ପ୍ରକ​ଳ୍ପ ଉଦ୍ଦିଷ୍ଟ, ଏଣୁ ଏହାକୁ ଅନୁମତି ଦିଆଯାଇପାରେ ବୋଲି ସହମତି ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ଏହି ବିକାଶମୂଳକ କାର୍ଯ୍ୟ ପାଇଁ ସେମାନଙ୍କର କୃତଜ୍ଞତା ଜଣାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର