ନିର୍ବାଚିତ ହେବା ପରେ ବି କରୁଛନ୍ତି ମନରେଗା କାମ

ସାଥୀ ଶ୍ରମିକଙ୍କ ସହ ମାଟି ବୋହୁଛନ୍ତି ସମିତି ସଭ୍ୟ

ଭାଲୁମୁଣ୍ଡା: ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲା ପରେ ବି ମନ୍‌ରେଗା ଯୋଜନାରେ ଶ୍ରମିକ ଭାବେ କାମ କରୁଛନ୍ତି। ସାଥୀ ଶ୍ରମିକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ନିଜେ ମାଟି ଖୋଳିବା ସହ ବୋହି ନେଉଛନ୍ତି। ଏହା ଦ୍ବାରା ଅନ୍ୟ ଶ୍ରମିକମାନଙ୍କ ମନୋବଳ ବୃଦ୍ଧି ପାଇଛି ଓ ସେମାନେ ମଧ୍ୟ କାମ କରିବାକୁ ଉତ୍ସାହିତ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ବିରିପାଲି ପଞ୍ଚାୟତର ଏହି ନିଆରା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ ବିରିପାଲି ପଞ୍ଚାୟତର ବସ୍ତ୍ରେନମୁଣ୍ଡା ପୋଖରୀରେ ଶନିବାରଠାରୁ ମନ୍‌ରେଗା ଯୋଜନାରେ ମାଟି କାମ ହେଉଛି। ଏହି କାମରେ ପଞ୍ଚାୟତର ନବନିର୍ବାଚିତ ସମିତି ସଭ୍ୟ ଯୋଗେଶ୍ବର ବେହେରାଙ୍କ ନେତୃତ୍ୱରେ ପ୍ରଥମ ଦିନ ୩୦ ଜଣ ଶ୍ରମିକ ନିୟୋଜିତ ଥିଲେ। ସେମାନଙ୍କ ସହିତ ସମିତି ସଭ୍ୟ ଶ୍ରୀ ବେହେରା ମଧ୍ୟ ନିଜେ ମାଟି କାମ କରିଥିଲେ। ଆଗରୁ ମଧ୍ୟ ସେ ଶ୍ରମିକ ଭାବେ ମାଟି କାମ କରିଆସୁଥିଲେ। ସେଥିପାଇଁ ଶ୍ରମିକମାନଙ୍କୁ କେମିତି ଶହେ ଦିନର କାମ ଯୋଗାଇ ଦେବେ ନିଜେ ଅନୁଭବ କରି ମାଟି କାମ କରିବାକୁ ଆଗେଇ ଆସିଛନ୍ତି। ଶୁଖିଲା ମାଟି ଖୋଳିବାରେ ବହୁ କଷ୍ଟ ହେଉଛି ବୋଲି ସେ କହିଛନ୍ତି। ତେଣୁ ପାରିଶ୍ରମିକ ୨୨୨ ଟଙ୍କାରୁ ୩୧୫ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି। ମାଟି କାମ ସମୟରେ ଗ୍ରାମ ରୋଜଗାର ସେବକ ସଚିନ ବିଭାର, ଗାଁ ସାଥୀ ଭୂମିସୁତା ସରାଫ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର